ନୂଆଦିଲ୍ଲୀ/ଭୁବନେଶ୍ବର: ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ବର୍ଷରେ ପାଦ ଦେଇଛନ୍ତି। ୧୯୫୮ ମସିହା ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଗ୍ରାମରେ ଏକ ସାନ୍ତାଳୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୂଳ ନାମ ପୁତି ଟୁଡୁ ଥିଲା । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।

Advertisment

ଏହାପରେ ଅଧିକ ଅଧ୍ୟୟନ ପାଇଁ ଭୁବନେଶ୍ବର ଆସି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଦ୍ରୌପଦୀ ମୁର୍ମୁ, ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ ।
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେବା ଓ ସମର୍ପଣ ଭାବରେ ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି।