ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ନିଜର ଟୁଇଟରରେ ନିଜର ଶୋକବାର୍ତ୍ତରେ ଲେଖିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

Advertisment

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଅବସ୍ଥାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ସୂଚନା ଆସିଥିବା ବେଳେ ପରେ ଏହା ୧୨କୁ ବୃଦ୍ଧି ପାଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ।

ପ୍ରାଥମିକ ସୂଚନା ଅନୁସାରେ, ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍‌ ସହ ମୁହାଁମୁହିଁ  ଧକ୍କା ହେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି।