ରାଇସିନାକୁ ୨ ଥର ଯାଇଥିବା ରାଷ୍ଟ୍ରପତି: ସବୁଠାରୁ ଅଧିକ ଏବଂ ସବୁଠାରୁ କମ୍‌ ଭୋଟ୍‌ ପାଇଥିବା ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ମୋଟ୍‌ ୧୪ ଜଣ ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଆସୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ରାଷ୍ଟ୍ରପତି ରାଇସିନାକୁ ୨ ଥର ନିର୍ବାଚିତ ହୋଇଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୨ ଥର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଅନ୍ୟ କାହାକୁ ଏହି ସୌଭାଗ୍ୟ ମିଳିନାହିଁ। ରାଜେନ୍ଦ୍ର ପ୍ରସାଦ ମଧ୍ୟ ସବୁଠାରୁ ଅଧିକ ଭୋଟ୍‌ରେ ରେକର୍ଡ ବିଜୟ ହାସଲ କରିଥିଲେ। ଅନ୍ୟପ‌କ୍ଷେ ୧୯୬୯ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଭିଭି ଗିରି ସବୁଠାରୁ କମ୍‌ ଭୋଟ୍‌ ପାଇ ନିର୍ବାଚନ ଜିତିଥିଲେ। ୧୯୫୭ରେ ରାଜେନ୍ଦ୍ର ପ୍ରସାଦ ମୋଟ୍‌ ଭୋଟର ୯୮.୯୯ ପ୍ରତିଶତ ପାଇଥିଲେ। ଆଜି ପର୍ଯ୍ୟନ୍ତ ଏହି ରେକର୍ଡ ଅନ୍ୟ କେହି ଭାଙ୍ଗି ପରିନାହାନ୍ତି। ଏହା ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ୧୯୫୨ରେ ଦେଶର ପ୍ରଥମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ପ୍ରଥମ ନିର୍ବାଚନରେ ସେ ୮୩.୮୧ ପ୍ରତିଶତ ଭୋଟ୍‌ ପାଇଥିଲେ। ଦ୍ବିତୀୟ ରାଷ୍ଟ୍ରପତି ନିର୍ବାଚନ ମେ’ ୬,୧୯୫୭ରେ ହୋଇଥିଲା। ଏହି ନିର୍ବାଚନରେ ସେ ୪୬୪,୦୦୦ ଭୋଟ୍‌ ମୂଲ୍ୟରୁ ୪,୫୯,୦୦୦ ପାଇଥିଲେ। ନିର୍ବାଚନରେ ଅନ୍ୟ ୨ ପ୍ରତିଦ୍ବନ୍ଦ୍ବୀ ଚୌଧୁରୀ ହରି ରାମ ଏବଂ ନାରାୟଣ ଦାସ ୩ ହଜାର ସଂଖ୍ୟା ମଧ୍ୟ ଟପି ପାରିନଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ଜିତିଥିବା ଏକମାତ୍ର ରାଷ୍ଟ୍ରପତି ହେଉଛନ୍ତି ନିଲମ ସଂଜୀବ ରେଡ୍ଡି। ୧୯୭୭ରେ ଶାସକ ଦଳ ଜନତା ପାର୍ଟି ସମର୍ଥନରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ବିରୋଧରେ ଥିବା ୩୬ ପ୍ରାର୍ଥିପତ୍ର ବାତିଲ ହୋଇଯାଇଥିଲା। କିନ୍ତୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏବଂ ସଂସଦୀୟ ବୋର୍ଡ ନୋମିନି ନିଲମ ସଂଜୀବ ରେଡ୍ଡି ୧୯୬୯ ରାଷ୍ଟ୍ରପତି ନିର୍ବାଚନରେ ହାରି ଯାଇଥିଲେ। ରାଷ୍ଟ୍ରପତି ନିର୍ବାଚନ ଇତିହାସ‌ରେ ଭିଭି ଗିରି ସବୁଠୁ କମ୍‌ ଭୋଟ୍‌ରେ ଜିତିଥିଲେ। ସେ ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତାଙ୍କୁ ଇନ୍ଦିରା ଗାନ୍ଧି ସମର୍ଥନ କରିଥିଲେ। ଏହି ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କଂଗ୍ରେସ ବିଧାୟକମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭିଭି ଗିରିଙ୍କୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଥିଲେ। ତେବେ ଅଭିଯୋଗ ହୋଇଥିଲା ଯେ ଇନ୍ଦିରାଙ୍କ ସମର୍ଥକଙ୍କ ଉଦ୍ୟମ ଦ୍ବାରା ରେଡ୍ଡି ଗିରିଙ୍କଠାରୁ ହାରି ଯାଇଥିଲେ। ୧୯୬୯ରେ ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟ୍‌ ମୂଲ୍ୟ ଥିଲା ୮ ଲକ୍ଷ ୨୫ ହଜାର। ଇନ୍ଦିରାଙ୍କ ଦ୍ବାରା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ୪ ଲକ୍ଷ ୨୦ ହଜାର ୭୭ ଭୋଟ୍‌ ପାଇଥିଲେ। ଏହା ଥିଲା ମୋଟ୍‌ ଭୋଟ୍‌ର ୫୦.୯ ପ୍ରତିଶତ। ସେହି ଥର ଗିରିଙ୍କ ପ୍ରତିଦ୍ବନ୍ଦ୍ବୀ ରେଡ୍ଡିଙ୍କୁ ୪ ଲକ୍ଷ ୫ ହଜାର ୪୨୭ ଭୋଟ୍‌ ମିଳିଥିଲା। ସେ ୪୯.୧ ପ୍ରତିଶତ ଭୋଟ୍‌ ପାଇଥିଲେ। ତେବେ ୧୯୬୭ ରାଷ୍ଟ୍ରପତି ନିର୍ବାଚନ‌ରେ ଜାକିର ହୁସେନ ଦ୍ବିତୀୟ ସର୍ବନିମ୍ନ ଭୋଟ୍‌ ପାଇଥିଲେ। ସେ ୫୬.୨ ପ୍ରତିଶତ ଭୋଟ୍‌ରେ ଜିତିଥିଲେ। ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତଥା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ କୋକା ସୁବ୍ବା ରାଓଙ୍କୁ ୪୩.୪ ପ୍ରତିଶତ ଭୋଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର