ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: କରୋନା ଯାଇନି, କୋହଳ ହେବାନି

ନେତାଜୀଙ୍କ ଅବଦାନକୁ ମନେ ପକାଇଲେ

ନୂଆଦିଲ୍ଲୀ: ୭୩ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ସୈନିକମାନଙ୍କୁ ଜାତିର ଗର୍ବ ବୋଲି କହିବା ସହ କୋଭିଡ୍ ନିୟମ ପାଳନରେ ହେଳା ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏ ବର୍ଷ କୋଭିଡ୍ ଯୋଗୁ ସାଧାରଣତନ୍ତ୍ର ଦିବସ ଉତ୍ସବ ସଂକୁଚିତ ହୋଇପାରେ ମାତ୍ର ଉତ୍ସାହ ପୂର୍ବ ପରି ରହିଛି। ଏହା ହେଉଛି ଐକ୍ୟ ଭାବନାର ଉତ୍ସାହ। ଆମ ଭିତରେ ଗୋଟିଏ ଜିନିଷ ସମାନ ଏବଂ ତାହା ହେଉଛି ଭାରତୀୟତା। ଏହା କହିବା ସହ ରାଷ୍ଟ୍ରପତି ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ସ୍ବାଧୀନତା ସଂଗ୍ରାମକୁ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି। ଦେଶ ପାଇଁ ଅତୁଳନୀୟ ଦୁଃସାହସିକତା ପ୍ରଦର୍ଶନ କରିଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସେ ମନେ ପକାଇଥିଲେ।

ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ, ଆମର ସୈନିକ ଓ ସୁରକ୍ଷା କର୍ମୀମାନେ ହିଁ ଜାତୀୟ ଗର୍ବର ଉତ୍ତରାଧିକାରିତ୍ବ ବହନ କରୁଛନ୍ତି। ହିମାଳୟର ହାଡ଼ଥରା ଜାଡ଼ ଏବଂ ମରୁଭୂମିର ଅସହ୍ୟ ଉତ୍ତାପରେ ନିଜ ପରିବାରଠାରୁ ବହୁ ଦୂରରେ ରହି ସେମାନେ ମାତୃଭୂମିକୁ ସୁରକ୍ଷା ଦେଉଛନ୍ତି। ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ଏବଂ ଯେଉଁଠି ଦରକାର ସେଠିକି ସହାୟତାର ହାତ ବଢ଼ାଉଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ଭାଷଣରେ କହିଛନ୍ତି। ଏହା ଫଳରେ ଭାରତ ୫ଟି ନବୋଦ୍ଭନଶୀଳ ଅର୍ଥନୀତି ଭିତରେ ସ୍ଥାନ ପାଇଛି। କୋଭିଡ୍ ସହ ଭାରତର ଲଢ଼େଇ ଉପରେ ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ତଥା ଅନ୍ୟ କରୋନା ଯୋଦ୍ଧାମାନେ ବହୁ ପରିଶ୍ରମ କରିଛନ୍ତି। ପ୍ରତିକୂଳ ପରିବେଶରେ ଦୀର୍ଘ ସମୟ ଧରି ସେମାନେ କାମ କରିଛନ୍ତି। ସେମାନଙ୍କ ପାଇଁ ଆମେ ଗର୍ବ କରିବା ଉଚିତ। ପ୍ରଥମ ଓ ଦ୍ବିତୀୟ ଲହରକୁ ଆମେ ଅତିକ୍ରମ କରିସାରିଛୁ। ତେବେ କୋଭିଡ୍ ଯାଇନାହିଁ, ତାହା ଏବେ ବି ବ୍ୟାପୁଛି। ତେଣୁ ସମସ୍ତେ ସତର୍କ ରହିବା ଓ ସମସ୍ତ କଟକଣା ମାନିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର