ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ଉଚ୍ଛେଦ ବିଲ୍‌କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରି ପ୍ରଦାନ କରିଛନ୍ତି। ସଂଦସଦର ଉଭୟ ଗୃହରେ କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହୀତ ହେବାପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ରାଷ୍ଟ୍ରପତି ଆଜି ଏଥିରେ ସ୍ବାକ୍ଷର କରିଛନ୍ତି। ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ରେକର୍ଡ ସମୟରେ ହିଁ କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହୀତ ହୋଇଥିଲା କୃଷି ଆଇନ ଉଚ୍ଛେଦ ବିଲ୍‌ ଲୋକସଭାରେ ୪ ମିନିଟ୍‌ରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ବିଲ୍ ସଂକ୍ରାନ୍ତରେ ସ୍ପଳ୍ପ ଆଲୋଚନା ପରେ ବିଲ୍ ଗୃହୀତ ହୋଇଥିଲା।

Advertisment

ବିନା ଆଲୋଚନାରେ ଲୋକସଭାରେ ବିଲ୍‌ ଗୃହୀତ ହୋଇଥିବାରୁ ବିରୋଧୀ ଦଳ ନେତାମାନେ ଏହାର ପ୍ରତିବାଦ କରିଥିଲେ। ଉଲ୍ଲେଖ‌ଯୋଗ୍ୟ, ୩ କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା ଆନ୍ଦୋଳନ ଜାରି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୯ ତାରିଖରେ କୃଷି ଆଇନ ଉଚ୍ଛେଦ ହେବ ବୋଲି ଘୋଷଣା କରିବା ସହ ବିଲ୍‌ର ସୁଫଳ ନେଇ ଚାଷୀଙ୍କୁ ବୁଝାଇ ପାରିନଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଥିଲେ। ଅନ୍ୟପ‌କ୍ଷେ ଏମ୍‌ଏସପି ସଂକ୍ରାନ୍ତରେ ଆଲୋଚନା ନହେବା ଯାଏଁ କୃଷକମାନେ ଆନ୍ଦୋଳନରୁ ହଟିବେନି ବୋଲି ଆଜି ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି।