ନୀତୀଶଙ୍କ ଉପରେ ଭରସା ନାହିଁ
ବିଜେଡି, ସମର୍ଥନ ପାଇଁ ପ୍ରୟାସ
ନବୀନଙ୍କ ସହ କଥା ହୋଇପାରନ୍ତି ଅମିତ ଶାହ

Advertisment

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ଆଉ କେବଳ ଦୁଇମାସ ବାକି ଅଛି। ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ଉଭୟ ଏନ୍‌ଡିଏ, ୟୁପିଏ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ପକ୍ଷରୁ ଆଲୋଚନା ସେତେ ସରଗରମ ହେଉଛି। ରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଭିମୁଖ୍ୟକୁ ନେଇ ବିବ୍ରତ ବିଜେପି ନୂଆ ରଣକୌଶଳ ଆପଣାଇବାକୁ ଯୋଜନା କରିଛି। ବିଜେପି ଇତିମଧ୍ୟରେ ବିଜେଡି ଏବଂ ୱାଏସ୍‌ଆର୍‌ କଂଗ୍ରେସ ସମର୍ଥନ ହାସଲ ପାଇଁ ପ୍ରୟାସ ଆରମ୍ଭ କରିଛି। ଅନ୍ୟପକ୍ଷରେ ଯଦି ନୀତୀଶ ଏନ୍‌ଡିଏ ସହିତ ରହନ୍ତି, ବିଜେପିକୁ ବିଜେଡି ବା ୱାଇଏସ୍‌ଆର୍‌ କଂଗ୍ରେସ ମଧ୍ୟରୁ ଗୋଟିଏ ପାର୍ଟିର ସମର୍ଥନ ହାସଲ କରିବାକୁ ହେବ। ଏହାଦ୍ବାରା ବିଜେପି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାରେ ସଫଳ ହେବ।

ଏନ୍‌ଡିଏ ପାଖରେ ବର୍ତ୍ତମାନ ୪୮.୯ ପ୍ରତିଶତ ଭୋଟ ଥିବାବେଳେ ୟୁପିଏ ଦଳମାନଙ୍କ ପାଖରେ ୫୧.୧ ପ୍ରତିଶତ ଭୋଟ ରହିଛି। ଶରଦ ପାୱାର, ମମତା ବାନାର୍ଜୀ ବିରୋଧୀ ଏକତା ଦିଗରେ ପ୍ରୟାସ ଚଳାଇଛନ୍ତି। ଏମାନେ ଏନ୍‌ଡିଏରୁ ଜେଡିୟୁକୁ ଅଲଗା କରିବାକୁ ମଧ୍ୟ ଚେଷ୍ଟା ଚଳାଇଛନ୍ତି। ପାୱାର ଓ ମମତାଙ୍କ ଭଳି ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)। କେସିଆର୍‌ ଅଣକଂଗ୍ରେସ ଓ ଅଣବିଜେପି ସଂଯୁକ୍ତ ବିରୋଧୀ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଏହି ମର୍ମରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏନ୍‌ସିପି ନେତା ଶରଦ ପାୱାରଙ୍କୁ ଭେଟିସାରିଛନ୍ତି। ଏହା ବାଦ୍‌ ସେ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ସପା ନେତା ଅଖିଲେଶ ଯାଦବଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି। ଓଡ଼ିଶା, ବିହାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ କେସିଆରଙ୍କ ‌ଯୋଜନା ମଧ୍ୟ ରହିଛି।

ଅନ୍ୟ ପକ୍ଷରେ ବିରୋଧୀଙ୍କ ଏକତାକୁ ମାତ୍‌ ଦେବା ପାଇଁ ବିଜେଡି ଓ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ସମର୍ଥନ ହାତେଇବା ପାଇଁ ବିଜେପି ଚେଷ୍ଟା ଚଳାଇଛି। ନୀତୀଶଙ୍କ ଜେଡିୟୁର ଭୋଟ୍‌ ଭାଲ୍ୟୁ ୨୨ ହଜାରରୁ ଅଧିକ ରହିଛି। ଯଦି ନୀତୀଶ ବିରୋଧୀ କ୍ୟାମ୍ପକୁ ଯାଆନ୍ତି ତା‌ହ‌ା ହେଲେ ବିଜେପିକୁ ଉଭୟ ବିଜେଡି ଓ ୱାଇଏସଆର୍‌ର ସମର୍ଥନ ଲୋଡ଼ିବା ଅପରିହାର୍ଯ୍ୟ ହେବ।

publive-image Image Courtesy of India Today

ଦିଲ୍ଲୀର ରାଜନୈତିକ ମହଲର ଚର୍ଚ୍ଚା ହେଉଛି ଯେ, ବିଜେଡି ସମର୍ଥନ ହାସଲ ପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏନ୍‌ଡିଏ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଶ୍ରୀ ବୈଷ୍ଣବ ଏ ସମ୍ପର୍କରେ ବିଜେଡି ସହିତ ଆଲୋଚନା ଆରମ୍ଭ କରିଥିବା ମଧ୍ୟ କୁହାଯାଉଛି। ସେହିଭଳି ବିଜେପିର ରାଜ୍ୟସଭା ସଦସ୍ୟ ଜିଭିଏଲ୍‌ ନରସିଂହା ରାଓ ୱାଇଏସଆର୍‌ କଂଗ୍ରେସ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଏନ୍‌ଡିଏ କିମ୍ବା ବିରୋଧୀ ଦଳମାନଙ୍କ ପକ୍ଷରୁ କିଛି ଘୋଷଣା କରାଯାଇନାହିଁ। ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ହାତେଇବା ପାଇଁ ଉଭୟ ଏନ୍‌ଡିଏ ଓ ବିରୋଧୀ ଦଳ ଆଶା ରଖିଛନ୍ତି। ଯଦିବା ନବୀନ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦିଆଯିବ ସେ ନେଇ କୌଣସି ଘୋଷଣା କରିନାହାନ୍ତି, କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀକୁ ଦେଖି ସମର୍ଥନ କରାଯିବ ବୋଲି ସେ ନେଇ ଆଭାସ ଦେଇସାରିଛନ୍ତି। ଆଗାମୀ ସପ୍ତାହରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ଏବଂ ୱାଇଏସ୍‌ଆର୍‌ ସହ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ କଥାବାର୍ତ୍ତା କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଶ୍ରୀ ଶାହା ନବୀନ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ସହିତ କଥାବାର୍ତ୍ତା କରିବେ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ପାଖରେ ବିଧାନସଭାରେ ୧୭,୧୩୫ ଏବଂ ସଂସଦରେ ୧୪,୧୬୦ ମୂଲ୍ୟଭୋଟ ସହ ମୋଟ ୩୧,୨୯୫ ମୂଲ୍ୟ‌ଭୋଟ ରହିଛି। ସେହି ଭଳି ୱାଇଏସଆର ପାଖରେ ମୋଟ ୪୩,୬୭୪ ମୂଲ୍ୟଭୋଟ ରହିଛି। ଗତକାଲି ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଦଳର କିଛି ବରିଷ୍ଠ ନେତା ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଅଲୋଚନା କରିଥିଲେ। ହେଲେ ଏନ୍‌ଡିଏ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳମାନଙ୍କ ସହିତ କଥାବାର୍ତ୍ତା ପାଇଁ କୌଣସି କମିଟି ଗଠନ କରାଯାଇନାହିଁ।