ରାଷ୍ଟ୍ରପତି ନିର୍ବାଚନ: ସହମତି ପାଇଁ ଏନ୍‌ଡିଏର ପ୍ରୟାସ, ନବୀନଙ୍କ ସହ କଥା ହେଲେ ରାଜନାଥ

ମିଳିତ ପ୍ରାର୍ଥୀ ଲାଗି ଏକାଠି ହେଲେ ବିରୋଧୀ
ଆସନ୍ତା ସପ୍ତାହରେ ପୁଣି ବୈଠକ
ମମତାଙ୍କ ରଣନୀତିକୁ ଝଟ୍‌କା ଦେଲେ ୪ ଦଳ

ନୂଆଦିଲ୍ଲୀ : ଆସନ୍ତା ମାସ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚ‌ନରେ ସହମତି ଭିତ୍ତି‌େ‌ର ପ୍ରାର୍ଥୀ ଚୟନ ଲାଗି ଶାସକ ଏନ୍‌ଡିଏ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନ୍‌ଡିଏ ପକ୍ଷରୁ ବିିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଜି କଥାବାର୍ତ୍ତା କରିଛନ୍ତି। ଏହାସହିତ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି। ପ୍ରାର୍ଥୀଙ୍କ ନାଁ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନଥିଲେ ମଧ୍ୟ ସରକାର ଏନେଇ ବିରୋଧୀ ଦଳ ନେତାମାନଙ୍କ ସହ ସହମତିରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି। ଆଗାମୀ ଦିନରେ ସେ ସୋନିଆ ଗାନ୍ଧି ଏବଂ ଶରଦ ପାୱାରଙ୍କ ବାସଭବନକୁ ଯାଇ ସେମାନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହାପରେ ଏନ୍‌ଡିଏ ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ‌୨୬ ତାରିଖରେ ଜର୍ମାନୀ ଗସ୍ତରେ ଯାଉଥିବା ‌ବେଳେ ଏହା ପୂର୍ବରୁ ବିଜେପି ସଂସଦୀୟ ବୋର୍ଡ ବସି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବ।

ଅନ୍ୟପକ୍ଷରେ ବିରୋଧୀ ଦଳ ନିଜ ଆଡ଼ୁ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ୟମରେ ଆଜି ଏଠାରେ ବିରୋଧୀ ଦଳ ନେତାମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ୧୭ଟି ବିରୋଧୀ ଦଳ ଯୋଗ ଦେଇଥିବା ବେଳେ ୪ଟି ବିରୋଧୀ ଦଳ ବୈଠକରେ ସାମିଲ ହୋଇନାହାନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳମାନେ ମିଳିତ ପ୍ରାର୍ଥୀ ଦେବାକୁ ସହମତ ହୋଇଥିଲେ ମଧ୍ୟ କୌଣସି ନାମକୁ ନେଇ ନିଷ୍ପତ୍ତି ହୋଇପାରି ନଥିବାରୁ ଆସନ୍ତା ସପ୍ତାହରେ ପୁଣି ବୈଠକ ଅନୁଷ୍ଠିତ ହେବ। ତେବେ ଏହି ବୈଠକ ଦିଲ୍ଲୀ ପରିବ‌ର୍ତ୍ତେ ମୁମ୍ବାଇରେ ଆଗାମୀ ୨୦ କିମ୍ବା ୨୧ ତାରିଖରେ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆଜିର ବୈଠକରେ ମମତା ବାନାର୍ଜୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଫାରୁକ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମ ସୁପାରିସ କରିଥିଲେ। ତେବେ ଏହାକୁ ନେଇ ସହମତି ହୋଇପାରି ନଥିଲା। ବୈଠକରେ ଶରଦ ପାୱାରଙ୍କୁ ବିରୋଧୀ ଦଳମାନଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯାଇଥିଲା। ତେବେ ପାୱାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ସେ ସକ୍ରିୟ ରାଜନୀତିରେ ହିଁ ରହିବେ ବୋଲି ‌କହିଥିଲେ।

ଆଜିର ବୈଠକରେ ୪ ପ୍ରମୁଖ ଦଳ ଉପସ୍ଥିତ ନ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ବୈଠକରେ କଂଗ୍ରେସ, ସମାଜବାଦୀ ପାର୍ଟି, ଏନ୍‌ସିପି, ଡିଏମ୍‌କେ, ଆର୍‌ଜେଡି, ଶିବସେନା, ସିପିଆଇ, ସିପିଏମ୍‌, ସିପିଆଇ(ଏମ୍‌ଏଲ), ଏନ୍‌ସି (ନେସନାଲ କନଫରେନ୍ସ), ପିଡିପି, ଜେଡିଏସ୍‌, ଆର୍‌ଏସପି, ଆଇୟୁଏମଏଲ, ଆରଏଲଡି ଏବଂ ଜେଏମ୍‌ଏମ୍‌ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ପ୍ରମୁଖ ନେତାମାନେ ହେଲେ ଏନ୍‌ସିପିର ଶରଦ ପାୱାର ଏବଂ ପ୍ରଫୁଲ ପଟେଲ, କଂଗ୍ରେସର ମଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ ଏବଂ ରଣଦୀପ ସୁର୍ଯେୱାଲା, ଜେଡିଏସ୍‌ର ଏଚ୍‌ଡି ଦେବଗୌଡ଼ା, ଏଚ୍‌ଡି କୁମାରସ୍ବା‌ମୀ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ପିଡିପିର ମେହବୁବା ମୁଫ୍‌ତି ଏବଂ ଏନ୍‌ସି ଦଳର ଓମାର ଅବଦୁଲ୍ଲା। ତେବେ ବିଜେଡି, ଅକାଳି ଦଳ, ଆପ୍‌ ଏବଂ ଟିଆରଏସ୍‌ ବୈଠକକୁ ଆସିନଥିଲେ। ସେମାନେ ମମତାଙ୍କ ରଣନୀତିକୁ ଝଟ୍‌କା ଦେଇଛନ୍ତି।

ସମ୍ବନ୍ଧିତ ଖବର