ରାଷ୍ଟ୍ରପତି ନିର୍ବାଚନ ଭୋଟ୍‌ ଗଣତି : ପ୍ରଥମ ରାଉଣ୍ଡ୍‌ରେ ୫୪୦ ଖଣ୍ଡ ଭୋଟ୍‌ ପାଇ ଆଗୁଆ ମୁର୍ମୁ, ଯଶୱନ୍ତଙ୍କୁ ୨୦୮ ଭୋଟ୍‌

ନୂଆଦିଲ୍ଳୀ: ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ଭୋଟ୍‌ ଗଣନା ଜାରି ରହିଥିବା ବେଳେ ଆଗରେ ଅଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ। ପ୍ରଥମ ପର୍ଯ୍ୟାୟରେ ସାଂସଦମାନଙ୍କ ଭୋଟ ଗଣାଯାଇଛି। ଏହି ରାଉଣ୍ଡ୍‌ରେ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ୍‌ ମିଳିଛି। ଦ୍ରୌପଦୀ ମୁୁର୍ମୁଙ୍କୁ ମିଳିଥିବା ଭୋଟର୍‌ ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦। ତେବେ ୧୫ ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିବା ସୂଚନା ରହିଛି। ଅନ୍ୟ ପକ୍ଷରେ ସାଂସଦଙ୍କ ଭୋଟ ଗଣନା ପରେ ବିଧାୟକଙ୍କ ଭୋଟ ଗଣତି ଆରମ୍ଭ ହୋଇଛି।

ଆଜି ପୂର୍ବାହ୍ନ ୧୧ଟାରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ନିର୍ବାଚନ କମିସନ୍‌ଙ୍କ କହିବା ଅନୁସାରେ, ସୋମବାର ଦିନ ଅନୁଷ୍ଠିତ  ଭୋଟ୍‌ ଗ୍ରହଣରେ ସମୁଦାୟ ୯୯%ରୁ ଅଧିକ ଭୋଟର୍‌ ଭୋଟ୍‌ ଦେଇଛନ୍ତି।

ଏଥର ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଛି। କିନ୍ତୁ, ‘ଏନ୍‌ଡିଏ’ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବହୁ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ରହିଥିବାରୁ ସେ ଜିଣିବେ ବୋଲି ଏକ ପ୍ରକାର ନିର୍ଦ୍ଧାରଣ ହୋଇ ସାରିଛି।

କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ଲାଗି ପ୍ରମୁଖ ଆଦିବାସୀ ନେତାମାନେ ଦିଲ୍ଲୀ ଆସୁଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେଉଥିବାରୁ କେବଳ ଆଦିବାସୀ ସମ୍ପ୍ରଦାୟ ନୁହନ୍ତି, ସମସ୍ତ ଭାରତବାସୀ ଗୌରବାନ୍ବିତ ମନେକରୁଛନ୍ତି।

ଦେଶର ସବୁ ପ୍ରାନ୍ତରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିବା ଲାଗି ‘ବିଜେପି’ ହାଇକମାଣ୍ଡ୍‌ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର