ନୂଆଦିଲ୍ଲୀ: ବିଲ୍ ମଞ୍ଜୁରି କ୍ଷେତ୍ରରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରା ସମୟସୀମା ଧାର୍ଯ୍ୟ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ତାଙ୍କର ଅସାଧାରଣ ସାମ୍ବିଧାନିକ ଅଧିକାର ଆଧାରରେ ଧାରା ୧୪୩(୧)କୁ ପ୍ରୟୋଗ କରି ସୁପ୍ରିମକୋର୍ଟଙ୍କୁ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ରାଜ୍ୟ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ସମୟସୀମା ଅନୁସରଣ କରିବା ଆବଶ୍ୟକ କି ନାହିଁ ସେ ନେଇ ରାଷ୍ଟ୍ରପତି ସୁପ୍ରିମ୍କୋର୍ଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ନିମନ୍ତେ ପଠାଯାଇଥିବା ବିଲ୍ ଉପରେ କାର୍ଯ୍ୟ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୮ତାରିଖରେ ଏକ ରାୟ ଦେଇ ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ରାୟରେ କୁହାଯାଇଥିଲା ଯେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ରାଷ୍ଟ୍ରପତିଙ୍କୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିବ। ଏପ୍ରିଲ ୧୧ତାରିଖରେ ଏହି ଆଦେଶ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ମୁର୍ମୁ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇ ସୁପ୍ରିମ୍କୋର୍ଟଙ୍କୁ ପଚାରିଛନ୍ତି- ‘ଯଦି ସମ୍ବିଧାନ ରାଜ୍ୟପାଳଙ୍କ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରିନାହିଁ, ତେବେ ଅଦାଲତ ଏଥିପାଇଁ ସମୟସୀମା ନିର୍ଦ୍ଧାରଣ କରିପାରିବେ କି?
ତାମିଲନାଡ଼ୁ ସରକାରଙ୍କ ୧୦ଟି ବିଲ୍କୁ ରାଜ୍ୟପାଳ ମଞ୍ଜୁରି ଦେଉନଥିବା ଅଭିଯୋଗ ଆଣି ରାଜ୍ୟପାଳଙ୍କ ପଦକ୍ଷେପ ବିରୋଧରେ ରାଜ୍ୟ ସରକାର ଦାଏର କରିଥିବା ଆବେଦନର ଶୁଣାଣି କରି ଏପ୍ରିଲ ୮ ତାରିଖରେ ସୁପ୍ରିମ୍କୋର୍ଟ କହିଥିଲେ ଯେ ବିଲ୍ ଅଟକାଇବା ପାଇଁ ରାଜ୍ୟପାଳଙ୍କର କୌଣସି ଭିଟୋ କ୍ଷମତା ନାହିଁ। ରାଜ୍ୟ ସରକାରଙ୍କ ଚ୍ୟାଲେଞ୍ଜ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଥିବା ବେଳେ ରାଜ୍ୟପାଳ ଏହି ବିଲ୍ଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ କ୍ଷମତା ଏବଂ ସମ୍ମତି ପ୍ରଦାନ ପାଇଁ ଅନୁସରଣ କରାଯାଉଥିବା ପ୍ରକ୍ରିୟା ଏବଂ ଧାରା ୨୦୧ ଅନୁଯାୟୀ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତିଙ୍କ କ୍ଷମତା ସମ୍ପର୍କିତ ପ୍ରଶ୍ନକୁ ନେଇ ସୁପ୍ରିମ୍କୋର୍ଟ ରାୟ ଶୁଣାଇଥିଲେ। ୪୧୫ ପୃଷ୍ଠାର ଚୂଡ଼ାନ୍ତ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳଙ୍କ କାର୍ଯ୍ୟ ବେଆଇନ ଓ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲେ ଏବଂ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର କ୍ଷମତାର ବ୍ୟବହାର କରି ଏହି ମାମଲାକୁ ରାଜ୍ୟପାଳଙ୍କ ନିକଟକୁ ନ ପଠାଇ ୧୦ଟି ବିଲ୍କୁ ଅନୁମୋଦନ ଦେଇଥିଲେ।
ବିଲ୍ ମଞ୍ଜୁରି ପାଇଁ ସମୟସୀମା ରାୟ
ସୁପ୍ରିମ୍କୋର୍ଟ କ୍ଷମତାର ବ୍ୟାଖ୍ୟା ଓ ବ୍ୟବହାର ଉପରେ ପ୍ରଶ୍ନ କଲେ
ରାଷ୍ଟ୍ରପତିଙ୍କ ବିଚାର ପାଇଁ ଯଦି କୌଣସି ରାଜ୍ୟପାଳ ମଞ୍ଜୁରିକୁ ସ୍ଥଗିତ ରଖନ୍ତି କିମ୍ବା କୌଣସି ବିଲ୍କୁ ସଂରକ୍ଷିତ ରଖନ୍ତି, ତେବେ ତାହା ଉପସ୍ଥାପିତ ହେବାର ତିନି ମାସ ମଧ୍ୟରେ କିମ୍ବା ଯଦି କୌଣସି ରାଜ୍ୟ ବିଧାନସଭା ସମାନ ବିଲ୍ ପୁନଃ ପ୍ରଣୟନ କରେ ତେବେ ଏକ ମାସ ମଧ୍ୟରେ ରାଜ୍ୟପାଳଙ୍କୁ ଅନୁମୋଦନ ଦେବାକୁ ପଡ଼ିବ ବୋଲି ସୁପ୍ରିମ୍କୋର୍ଟ କହିଥିଲେ। ଏପରିକି ଧାରା ୨୦୧ ଅନୁଯାୟୀ ରାଜ୍ୟପାଳଙ୍କଠାରୁ ବିଲ୍ ପାଇବାର ତିନି ମାସ ମଧ୍ୟରେ ରାଷ୍ଟ୍ରପତି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏହି ଅବଧି ଅତିକ୍ରମ ହେଲେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସଂପୃକ୍ତ ରାଜ୍ୟକୁ କାରଣ ଜଣାଇବାକୁ ରାୟରେ କୁହାଯାଇଥିଲା।
ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମ୍କୋର୍ଟ କ୍ଷମତାର ବ୍ୟାଖ୍ୟା ଓ ବ୍ୟବହାର ଉପରେ ରାଷ୍ଟ୍ରପତି ଏବେ ପ୍ରଶ୍ନ ଉଠାଇଛନ୍ତି। ଏହା ଅଧୀନରେ ଅଦାଲତକୁ ସମ୍ପୂର୍ଣ୍ଣ ନ୍ୟାୟ ଦେବାର ଅଧିକାର ମିଳିଥାଏ। ସମ୍ବିଧାନ କିମ୍ବା ଆଇନରେ ଯେଉଁଠି ସ୍ପଷ୍ଟ ବ୍ୟବସ୍ଥା ରହିଛି, ସେ କ୍ଷେତ୍ରରେ ଧାରା ୧୪୨ର ବ୍ୟବହାର ସାମ୍ବିଧାନିକ ଅସନ୍ତୁଳନ ସୃଷ୍ଟି କରିପାରେ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଜ୍ୟ ସରକାରମାନେ ସଂଘୀୟ ପ୍ରସଙ୍ଗରେ ଧାରା ୧୩୧ (କେନ୍ଦ୍ର-ରାଜ୍ୟ ବିବାଦ) ପରିବର୍ତ୍ତେ ଧାରା ୩୨ (ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା) କାହିଁକି ବ୍ୟବହାର କରୁଛନ୍ତି ବୋଲି ରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି। ସେସବୁ ପ୍ରସଙ୍ଗରେ ରିଟ୍ ପିଟିସନ୍ ଜରିଆରେ ରାଜ୍ୟ ସରକାର ସିଧାସଳଖ ସୁପ୍ରିମ୍କୋର୍ଟକୁ ଆସୁଛନ୍ତି। ଏହା ସମ୍ବିଧାନର ଧାରା ୧୩୧ର ବ୍ୟବସ୍ଥାକୁ ଦୁର୍ବଳ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ଭାରତୀୟ ସମ୍ବିଧାନର ଧାରା ୨୦୦ ଅଧୀନରେ କୌଣସି ବିଲ୍ ଉପସ୍ଥାପିତ ହେଲେ ରାଜ୍ୟପାଳଙ୍କ ନିକଟରେ ସାମ୍ବିଧାନିକ ବିକଳ୍ପ କ’ଣ?
ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଏକ ବିଲ୍ ତାଙ୍କ ନିକଟରେ ଉପସ୍ଥାପିତ ହେବା ସମୟରେ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ରାଜ୍ୟପାଳ, ମନ୍ତ୍ରୀ ପରିଷଦ ଦ୍ୱାରା ଦିଆଯାଇଥିବା ସହାୟତା ଏବଂ ପରାମର୍ଶରେ ପରିଚାଳିତ ହେବାକୁ ବାଧ୍ୟ କି?
ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ କ୍ଷମତା ପ୍ରୟୋଗ ଯୁକ୍ତିଯୁକ୍ତ କି?
ରାଜ୍ୟପାଳଙ୍କ କାର୍ଯ୍ୟ ସମ୍ବନ୍ଧରେ ଭାରତୀୟ ସମ୍ବିଧାନର ଧାରା ୩୬୧, ନ୍ୟାୟିକ ସମୀକ୍ଷା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ କି?
ରାଜ୍ୟପାଳଙ୍କ ଦ୍ୱାରା ଭାରତୀୟ ସମ୍ବିଧାନର ଧାରା ୨୦୦ ଅଧୀନରେ ଥିବା ସମସ୍ତ କ୍ଷମତା ବ୍ୟବହାର ପାଇଁ ନ୍ୟାୟିକ ଆଦେଶ ମାଧ୍ୟମରେ ସମୟସୀମା ଧାର୍ଯ୍ୟ କରାଯାଇପାରିବ କି?
ଭାରତୀୟ ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବିଧାନ ପ୍ରଦତ୍ତ ସ୍ବେଚ୍ଛାକୃତ କ୍ଷମତା ପ୍ରୟୋଗ କ’ଣ ଯୁକ୍ତିଯୁକ୍ତ?
ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ନିଜ କ୍ଷମତା ପ୍ରୟୋଗ ପାଇଁ ସାମ୍ବିଧାନିକ ଭାବେ
ନିର୍ଦ୍ଧାରିତ ସମୟସୀମା ଏବଂ କ୍ଷମତା ପ୍ରୟୋଗର ପଦ୍ଧତି ନଥିଲେ କୋର୍ଟ ଦ୍ବାରା ସମୟସୀମା ଲାଗୁ କରାଯାଇପାରିବ କି? ବିଚାର ବିଭାଗୀୟ ଆଦେଶ ମାଧ୍ୟମରେ ଏ ବାବଦ ପଦ୍ଧତି ନିର୍ଦ୍ଧାରଣ କରାଯାଇପାରିବ କି?
ରାଷ୍ଟ୍ରପତିଙ୍କ କ୍ଷମତାକୁ ନିୟନ୍ତ୍ରଣ କରୁଥିବା ସାମ୍ବିଧାନିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭାରତୀୟ ସମ୍ବିଧାନର ଧାରା ୧୪୩ ଅନୁଯାୟୀ ଏକ ରେଫରେନ୍ସ ମାଧ୍ୟମରେ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ ନେବା ଆବଶ୍ୟକ କି? (ଯେତେବେଳେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏକ ବିଲ୍ ସଂରକ୍ଷିତ ରଖନ୍ତି)
ଭାରତୀୟ ସମ୍ବିଧାନର ଧାରା ୨୦୦ ଓ ଧାରା ୨୦୧ ଅନୁଯାୟୀ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆଇନରେ କାର୍ଯ୍ୟକାରୀ ହେବା ପୂର୍ବରୁ ଏହାର ବିଷୟବସ୍ତୁ ଉପରେ ନ୍ୟାୟିକ ବିଚାର କରିବା କ’ଣ ଅଦାଲତ ପାଇଁ ଅନୁମୋଦିତ?
ସାମ୍ବିଧାନିକ କ୍ଷମତାର ପ୍ରୟୋଗ ଏବଂ ରାଷ୍ଟ୍ରପତି/ରାଜ୍ୟପାଳଙ୍କ ଆଦେଶକୁ ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ କୌଣସି ଉପାୟରେ ବଦଳା ଯାଇପାରିବ କି?
ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ ବିନା ରାଜ୍ୟ ବିଧାନସଭା ଦ୍ୱାରା ପ୍ରସ୍ତୁତ ଆଇନ କ’ଣ କାର୍ଯ୍ୟକାରୀ ହେଉଛି?
ଭାରତୀୟ ସମ୍ବିଧାନର ଧାରା ୧୪୫(୩)ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଅଦାଲତର କୌଣସି ଖଣ୍ଡପୀଠ ଏଭଳି ମାମଲାକୁ ସର୍ବନିମ୍ନ ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଚାର ପାଇଁ ସୁପାରିସ କରିବା ଆବଶ୍ୟକ ନଥିଲା କି ?
ସମ୍ବିଧାନ ତଥା ପ୍ରଚଳିତ ଆଇନ ସହିତ ଅସଙ୍ଗତ ନିର୍ଦ୍ଦେଶ/ଆଦେଶ ସୁପ୍ରିମ୍କୋର୍ଟ ଦେଇପାରିବେ କି?
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କେବଳ ସୁପ୍ରିମ୍କୋର୍ଟ କରିପାରିବେ କି?