ଆଗାମୀ ସାଧାରଣ ନିର୍ବାଚନ ହେବ ଏକ ଅସାଧାରଣ ନିର୍ବାଚନ ଯାହାକି ୧୦୦ ବର୍ଷରେ ଥରେ ଆସିଥାଏ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ୭୦ ତମ ସାଧାରଣ ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଦେଇ ଆସନ୍ତା ସାଧାରଣ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରି ଦେଶ ଗଠନରେ ସହାୟକ ହେବାକୁ ଆହ୍ଵାନ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଚଳିତବର୍ଷ ଭାରତର ଜନସାଧାରଣଙ୍କୁ – ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ଆଉ ଏକ ଦାୟିତ୍ୱ ନିର୍ବାହ କରିବାକୁ ଅଛି । ସେଇଟି ହେଲା ସାଧାରଣ ନିର୍ବାଚନରେ ଭୋଟ ଦେଇ ସପ୍ତଦଶ ଲୋକସଭା ଗଠନ କରିବା । ଆମ ଗଣତନ୍ତ୍ରର ବିଚାର ଓ ଆଦର୍ଶ ଏହା ଦ୍ୱାରା ସଂପୂର୍ଣ୍ଣ ଭାବେ ପ୍ରତିପାଦିତ ହେବ । ପ୍ରତି ପାଞ୍ଚବର୍ଷରେ ଥରେ ଆମେ ଯେପରି ଭୋଟ ଦିଅନ୍ତି, ପୁଣି ଥରେ ଏଥର ନିଜର ମତାଧିକାର ସାବ୍ୟସ୍ତ କରିବା । ଏବର୍ଷ ନିର୍ବାଚନରେ ବିଶେଷତ୍ୱ ହେଉଛି ଯେ ଏକବିଂଶ ଶତାବ୍ଦୀରେ ଜନ୍ମଲାଭ କରିଥିବା ଭୋଟରମାନେ ପ୍ରଥମ ଥର ନିଜର ମତଦାନ କରିବାର ସୁଯୋଗ ପାଇବେ ଏବଂ ଏକ ନୂଆ ଲୋକସଭା ଗଠନରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବେ ।

ସେ କହିଛନ୍ତି ଯେ ଭୋଟଦାନ ଏକ ପବିତ୍ର ଦାୟିତ୍ୱ । ଅତଏବ ମତାଧିକାର ସାବ୍ୟସ୍ତ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି । ଭୋଟର କାହାକୁ ଭୋଟଦେବେ ଏହା ସେମାନଙ୍କ ଉପରେ ନିର୍ଭର କରେ । ତେବେ ସବୁ ଯୋଗ୍ୟ ଭୋଟରଙ୍କୁ ମୁଁ ଅନୁରୋଧ କରିବି ଯେ ସେମାନେ ଭୋଟ ଦେବାକୁ ଯାଆନ୍ତୁ ଓ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ । ଆମ ଦେଶ ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଗୋଟିଏ ଦୃଷ୍ଟିରୁ ଏହା ୧୯୪୦ ଓ ୧୯୫୦ ଦଶକର ପ୍ରଥମ ଭାଗ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରଚନାତ୍ମକ । ଆଜିର ନିଷ୍ପତ୍ତି ଓ କାର୍ଯ୍ୟନୁଷ୍ଠାନ ଏକବିଂଶ ଶତାବ୍ଦୀର ଅବଶିଷ୍ଟ ସମୟ ପାଇଁ ଭାରତକୁ ରୂପ ଦେବ । ଅତଏବ ଏହା ଗୋଟିଏ ପିଢ଼ିରେ ଥରେ ଭଳି ସମୟ ନୁହେଁ ବରଂ ଏକ ଶତାବ୍ଦୀରେ ଥରେ ମାତ୍ର ଘଟଣା ।

ଲୋକଙ୍କ ଆଶା ଆକାଙ୍‌କ୍ଷା ପୂରଣ କରିବା ଏବଂ ଏକ ବିକଶିତ ଭାରତ ଗଠନ କରିବା ଦିଗରେ ଆମର ଯେଉଁ ଯାତ୍ରା ଆରମ୍ଭ ହୋଇଛି ଏହି ନିର୍ବାଚନ ସେଥିରେ ଏକ ମାଇଲଖୁଣ୍ଟ ହେବ । ଭାରତ ପ୍ରଥମଥର ପାଇଁ ତା’ର ଇତିହାସରେ ଉତ୍କଟ ଦାରିଦ୍ର୍ୟର ଅବସାନ ଘଟାଇବା ଦ୍ୱାର ଦେଶରେ ଉପନୀତ ହୋଇଛି । ଏକ ସାର୍ବଜନୀନ ଓ ନ୍ୟାୟସଙ୍ଗତ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ହେବାକୁ ଯାଉଛି । ଆମ ସମାଜର ଅଧିକରୁ ଅଧିକ ଲୋକ ଏବେ ଔଷଧପତ୍ର, ଚିକିତ୍ସା ସାମଗ୍ରୀ ଆଦି ଶସ୍ତା ଓ ସୁଲଭ ମୂଲ୍ୟରେ ପାଉଛନ୍ତି । ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଲୋକ ଆଧୁନିକ ପରିମଳ ବ୍ୟବସ୍ଥା, ବିଜୁଳି ଓ ଅନ୍ୟାନ୍ୟ ମୌଳିକ ସୁବିଧା ଥିବା ଉପଯୁକ୍ତ ଘର ରହିବାକୁ ପାଉଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର