ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ସାକାର କରିବାକୁ ପଡ଼ିବ

ନୂଆଦିଲ୍ଲୀ : ଭାରତ ୨୦୪୭ରେ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟ ସୁଦ୍ଧା ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶବାସୀ ସଂକଳ୍ପ ନିଅନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ବାନ ଦେଇଛନ୍ତି। ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରବିବାର ଦିନ ଟିଭି ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ‌ଭାରତ ଭଳି ଗୋଟିଏ ପ୍ରାଚୀନ ଦେଶପାଇଁ ୭୫ ବର୍ଷର ସମୟ ଏକ ଆଖି ପିଛୁଳା ଭଳି। କିନ୍ତୁ ଜଣେ ବ୍ୟକ୍ତି ଭାବେ ଆମ ପାଇଁ ଏହି ସମୟ ଏକ ଜୀବନକାଳ। ଆମର ପ୍ରିୟ ଦେଶ ଜୀବନରେ ଆମକୁ ସବୁକିଛି ଦେଇଛି। ତେଣୁ ଦେଶର ସୁରକ୍ଷା, ନିରାପତ୍ତା, ପ୍ରଗତି ଓ ସମୃଦ୍ଧି ପାଇଁ ଯାହା ଆବଶ୍ୟକ ଆମେ ସେସବୁ ଦେବାଲାଗି ଶପଥ ନେବା ଆବଶ୍ୟକ।

ବିଭିନ୍ନ ଉପଲବ୍ଧି ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ଆର୍ଥିକ ପ୍ରଗତି ଅଧିକ ଅନ୍ତର୍ଭୁକ୍ତୀକରଣ ହୋଇଛି। ଆଞ୍ଚଳିକ ବୈଷମ୍ୟ ମଧ୍ୟ ହ୍ରାସ ପାଉଛି। ଭାରତରେ ଯେଉଁ ନୂଆ ଆତ୍ମବିଶ୍ବାସ ସୃଷ୍ଟି ହୋଇଛି ତାହା ଦେଶର ଯୁବକ, କୃଷକ ଏବଂ ସର୍ବୋପରି ମହିଳାଙ୍କ ପାଇଁ ହୋଇପାରିଛି। ଲିଙ୍ଗଗତ ଅସମତା ହ୍ରାସ ପାଉଛି ଏବଂ ସମାଜର ଅନେକ ପ୍ରତିବନ୍ଧକ ଅତିକ୍ରମ କରି ମହିଳାମାନେ ଆଗକୁ ଅଗ୍ରସର ହେଉଛନ୍ତି। ବିଶ୍ବର ବହୁ ପ୍ରତିଷ୍ଠିତ ଗଣତନ୍ତ୍ରରେ ମହିଳାମାନେ ଭୋଟ ଅଧିକାର ପାଇବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଛନ୍ତି। କିନ୍ତୁ ଭାରତ ଏକ ସାର୍ବଜନୀନ ସାବାଳକ ଭୋଟଦାନ ପ୍ରଥା ସାଧାରଣତନ୍ତ୍ରର ଆରମ୍ଭରୁ ଆପଣାଇଛି। ଗଣତନ୍ତ୍ରର ପ୍ରକୃତ ସାମର୍ଥ୍ୟ ପ୍ରକାଶ କରିଥିବାରୁ ବିଶ୍ବ ଏଥିପାଇଁ ଭାରତକୁ ଶ୍ରେୟ ଦେବା ଆବଶ୍ୟକ।

ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ସଫଳତା ମିଳୁଛି
କରୋନା ମୁକାବିଲାରେ ଭାରତ ବିଶ୍ବ ପାଇଁ ଉଦାହରଣ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗୁ ସମସ୍ତଙ୍କୁ ଘର ମିଳିପାରିଛି

ଦେଶର ପ୍ରଥମ ଆଦିବାସୀ ଏବଂ ସର୍ବକନିଷ୍ଠ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ପ୍ରଥମ ଉଦବୋଧନରେ କହିଛନ୍ତି, ଭାରତ ବଡ଼ ବଡ଼ ଆର୍ଥିକ ସଂସ୍କାର ସହିତ ଅନେକ ନୂଆ ସାମାଜିକ ମଙ୍ଗଳ ଯୋଜନାକୁ କାର୍ଯ୍ୟକାରୀ କରିଛି। ନିକଟ ଅତୀତରେ ଭାରତର ଉତ୍‌ଥାନକୁ ସମଗ୍ର ବିଶ୍ବ ଦେଖିଛି। ବିଶେଷକରି କୋଭିଡ-୧୯ ପରେ ଭାରତ ହାସଲ କରୁଥିବା ଅଗ୍ରଗତି ସଂପର୍କରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ବିଶ୍ବସ୍ତରରେ ଦେଖାଦେଇଥିବା ଧାରାକୁ ଭଙ୍ଗକରି ଭାରତର ଅର୍ଥନୀତି ଯଥେଷ୍ଟ ଉନ୍ନତମାନର ଅଗ୍ରଗତି ହାସଲ କରିଛି। ଏଥିପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସରକାର ଏବଂ ନୀତି ନିର୍ମାତାମାନଙ୍କର ପ୍ରଶଂସା କରିଛନ୍ତି। ଭାରତର ଷ୍ଟାର୍ଟଅପ୍ ପରିବେଶ ବିଶ୍ବରେ ଆଗରେ ରହିଛି। ଭାରତରେ ୁ ‌ଷ୍ଟାର୍ଟଅପ୍‌ଗୁଡ଼ିକର ସଫଳତା, ବିଶେଷକରି ୟୁନିକର୍ଣ୍ଣଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ଆମ ଶିଳ୍ପ ଅଗ୍ରଗତିର ଏକ ଉଜ୍ଜ୍ବଳ ଉଦାହାରଣ। ସରକାରୀ ଯୋଜନାଗୁଡ଼ିକ ସଂପର୍କରେ ଉଲ୍ଲେଖ କରି ରା‌ଷ୍ଟ୍ରପତି କହିଛନ୍ତି, ନିଜ ପାଇଁ ଘର ଗରିବଙ୍କ ଲାଗି ଆଉ ସ୍ବପ୍ନ ହୋଇ ରହିନାହିଁ। ଅଧିକରୁ ଅଧିକ ଲୋକଙ୍କ ପାଇଁ ଏହା ବାସ୍ତବତାରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ‌ଯୋଗୁଁ ଏହା ସମ୍ଭବ ହୋଇଛି। ସେହିଭଳି ଜଳ ଜୀବନ ମିସନ ଅଧୀନରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ନିଜ ଜୀବନକୁ ମାତୃଭୂମି ଏବଂ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରିବା ନିମନ୍ତେ ବିଶିଷ୍ଟ ଜାତୀୟତାବାଦୀ କବି କୁଭେମ୍ପୁ ଆହ୍ବାନ ଦେଇଛନ୍ତି। ସେଥିରେ ଉଦ୍‌ବୁଦ୍ଧ ହେବା ପାଇଁ ରାଷ୍ଟ୍ରପତି ଦେଶବାସୀଙ୍କୁ କହିଛନ୍ତି। ଆର୍ଥିକ ଅଭିବୃଦ୍ଧିରେ ଭାରତ ଯେଉଁ ଆଖିଦୃଶିଆ ଉପଲବ୍ଧି ହାସଲ କରିଛି ତାହା ଶ୍ରମିକ, କୃଷକଙ୍କ କଠିନ ପରିଶ୍ରମ ଓ ଉଦ୍ୟୋଗୀଙ୍କ ପ୍ରଖର ବୁଦ୍ଧି ଯୋଗୁ ସମ୍ଭବ ହୋଇଛି। ମହାମାରୀ ମୁକାବିଲାରେ ଭାରତର ସଫଳତା ଅନେକ ବିକଶିତ ଦେଶ ତୁଳନାରେ ଉତ୍କୃଷ୍ଟ ରହିଛି। ଏଥିପାଇଁ ଆମେ ଆମର ବୈଜ୍ଞାନିକ, ଡାକ୍ତର, ନର୍ସ, ପାରାମେଡିକାଲ୍‌ ଓ ଟିକାକରଣ କାର୍ଯ୍ୟରେ ନିୟୋଜିତ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ଋଣୀ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର