ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର

ନୂଆଦିଲ୍ଲୀ : ସଂସଦ ହେଉଛି ଆମ ଗଣତନ୍ତ୍ରର ମନ୍ଦିର। ଦେଶବାସୀଙ୍କର ଭଲ ମନ୍ଦ ଉପରେ ଅଲୋଚନା ଏବଂ ବିତର୍କ ପଇଁ ଏହା ହେଉଛି ସବଠୁ ଉପଯୁକ୍ତ ଏବଂ ମର୍ଯ୍ୟାଦାଜନକ ମଞ୍ଚ। ଆଲୋଚନା ମାଧ୍ୟମରେ ଏଠି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ।

ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ ‌କୋବିନ୍ଦ। ବିଭିନ୍ନ ପ୍ରସଙ୍ଗ ନେଇ ସଂସଦ ଭିତରେ ଅଚଳାବସ୍ଥା ଯୋଗୁଁ ଏହାକୁ ଦୁଇ ଦିନ ପୂର୍ବରୁ ମୁଲତବୀ କରାଯିବା ପରେ ‌ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ସେହି ପରିପ୍ରେକ୍ଷୀ‌େର ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଗୁରୁତ୍ବ ବହନ କରୁଛି।

ରାଷ୍ଟ୍ରପତି କହିଛନ୍ତି ଯେ ଦେଶ ସ୍ବାଧୀନ ହେବା ପରେ ଅନେକ ଲୋକ ଆମର ଗଣତନ୍ତ୍ରର ଭବିଷ୍ୟତ ନେଇ ସନ୍ଦେହ ପ୍ରକଟ କରିଥିଲେ। କିନ୍ତୁ ଆମେ ଭାରତୀୟ ଆମର ଗଣତନ୍ତ୍ର ବ୍ୟବସ୍ଥାକୁ ଶକ୍ତିଶାଳୀ କରି ଦେଖାଇଦେଇଛୁ। ଆମ ଗଣତନ୍ତ୍ର ବିଶ୍ବରେ ଉଦାହରଣ ସୃଷ୍ଟି କରିଛି। ସେ ଆହୁରି କହିଲେ ଯେ ସଂସଦ ପାଇଁ ନୂଆ ଭବନ ତିଆରି କରାଯାଉଛି। ଏହା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର କଥା।

ନୂଆ କୃଷି ନୀତି ସଂପର୍କରେ ରାଷ୍ଟ୍ରପତି କହିଲେ ଯେ ଚାଷୀମାନଙ୍କ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। କୃଷି ବଜାର ସଂସ୍କାର ଅନ୍ନଦାତା ଚାଷୀଙ୍କୁ ସଶକ୍ତ କରିବ ଏବଂ ଚାଷୀମାନେ ମଧ୍ୟ ସେମାନଙ୍କର ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ।

କୋଭିଡ୍-୧୯ ଯୋଗୁଁ ଆମ ଦେଶରେ ବହୁସଂଖ୍ୟରେ ସଂକ୍ରମଣ ଏବଂ ମୃତ୍ୟୁ ନେଇ ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଯେ ଏହି ମହାମାରୀ ଏବେ ବି ରହିଛି। ତେଣୁ ଆମକୁ ସର୍ବଦା ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। କୋଭିଡ୍‌ର ମୁକାବିଲା ଲାଗି ଟିକା ହେଉଛି ଗୁରୁତ୍ବପୂର୍ଣ୍ଣ ଉପାୟ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ପ୍ରଦର୍ଶନର ପ୍ରଶଂସା କରି ରାଷ୍ଟ୍ରପତି କହିଲେ ଯେ ସେମାନେ ଆମ ଦେଶକୁ ଗୌରବାନ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର