ଓଡ଼ିଶା ସାଂସଦମାନଙ୍କ ସହ ରାଷ୍ଟ୍ରପତିଙ୍କ ପ୍ରାତଃଭୋଜନ

ପରଷାଗଲା ଛେନାପୋଡ଼, ବାଜିଲା ରଙ୍ଗବତୀ ଗୀତ

ନୂଆଦିଲ୍ଲୀ : ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ଶୁକ୍ରବାର ଦିନ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ପ୍ରାତଃଭୋଜନରେ ଯୋଗ ଦେଇଥିଲେ। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ସାଂସଦମାନଙ୍କୁ ପାଳି କରି ରାଷ୍ଟ୍ରପତି ପ୍ରାତଃଭୋଜନ ପାଇଁ ନିମନ୍ତ୍ରଣ କରିଥାନ୍ତି। ଏହିକ୍ରମରେ ଆଜି ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ଗୋଆ, ତାମିଲନାଡ଼ୁ, ଲାକ୍ଷାଦ୍ବୀପ, ଆଣ୍ଡାମାନ ଓ ନିକୋବାର, ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉର ସାଂସଦମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରଙ୍ଗବତୀ ଗୀତର ଧୂନ୍‌ ଏହାର ପରିବେଶକୁ ସଙ୍ଗୀତମୟ କରିଥଲା। ସାଂସଦମାନଙ୍କ ସହିତ ପ୍ରାତଃଭୋଜନରେ ସକାଳ ୯.୩୦ରୁ ୧୦.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଉପସ୍ଥିତ ରହିଥିଲେ। ସମସ୍ତ ସାଂସଦଙ୍କ ସହ ବ୍ୟକ୍ତିଗତ ଭାବେ ମିଶିବା ସହିତ ସେମାନଙ୍କୁ ସ୍ବାଗତ କରିଥିଲେ। ପ୍ରାତଃଭୋଜନରେ କେବଳ ଭାରତୀୟ ଖାଦ୍ୟ ସାମିଲଥିଲା। ସାଂସଦମାନେ ପ୍ରତିନିଧିତ୍ବ କରୁଥିବା ରାଜ୍ୟମାନଙ୍କ ଖାଦ୍ୟ ଟେବୁଲରେ ସଜ୍ଜିତ ହୋଇଥିଲା।

ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ପ୍ରାତଃଭୋଜନରେ ମିଷ୍ଟାନ୍ନ ବର୍ଗରେ ଛେନାପୋଡ଼ ପରଷାଯାଇଥିଲା। ରାଷ୍ଟ୍ରପତିଙ୍କ ସହ ପ୍ରାତଃଭୋଜନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ, ବିଜେଡି ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ଅଚ୍ୟୁତାନନ୍ଦ ସାମନ୍ତ, ରମେଶ ଚନ୍ଦ୍ର ମାଝି, ମହେଶ ସାହୁ, ଚନ୍ଦ୍ରାଣୀ ମୁର୍ମୁ, ପ୍ରମିଳା ବିଶୋୟୀ, ଶର୍ମିଷ୍ଠା ସେଠି, ମଂଜୁଲତା ମଣ୍ଡଳ, ବିଜେପି ସାଂସଦ ଜୁଏଲ ଓରାମ, ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା କୁମ‌ାରୀ ସିଂହଦେଓ, ବସନ୍ତ କୁମାର ପଣ୍ଡା, ନୀତେଶ ଗଙ୍ଗଦେବ, ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର, ମମତା‌ ମହନ୍ତ, ମାନସ ରଂଜନ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି ଯୋଗଦେଇଥିଲେ। ସମସ୍ତ ସାଂସଦ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ସହିତ ପ୍ରାତଃଭୋଜନ କାର୍ଯ୍ୟକ୍ରମରେ ଯୋଗଦେବ‌ା ଏକ ଅଭୁଲା ଓ ସ୍ମରଣୀୟ ମୁହୂର୍ତ୍ତ ବୋଲି ସାଂସଦମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର