ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା: ସାମିଲ ହୋଇପାରେ ଓଡ଼ିଶା ଖାଦ୍ୟ, ଆଦିବାସୀ ବ୍ୟଞ୍ଜନ

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ‌ଦ୍ରୌପଦୀ ମୁର୍ମୁ ଶପଥ ନେବା ପରଠାରୁ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା (ମେନୁ)ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ ଆଦିବାସୀ ବ୍ୟଞ୍ଜନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରତି ରାଷ୍ଟ୍ରପତିଙ୍କ ଅମଳରେ ସେମାନଙ୍କ ରୁଚି, ବ୍ୟକ୍ତିଗତ ପସନ୍ଦ ଓ ସେମାନଙ୍କ ରାଜ୍ୟର ବ୍ୟଞ୍ଜନ ରାଷ୍ଟ୍ରପତି ଭବନ ପାକଶାଳାରେ ସ୍ଥାନ ପାଇଥାଏ। ଯାହାର କି ଏକାଧିକ ନଜିର ରହିଛି। ରାଷ୍ଟ୍ରପତି ଭବନରେ ଏ ଭଳି ଧାରା ୧୯୯୦ ରୁ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଆର୍‌ ଭେଙ୍କଟରମଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ଖାଦ୍ୟ ଇଡଲି ଓ ଉପମାକୁ ରାଷ୍ଟ୍ରପତି ଭବନର ନିୟମିତ ଖାଦ୍ୟ ତାଲିକାରେ ସ୍ଥାନ ପାଇଥିଲା। କେଆର୍‌ ନାରାୟଣନଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ସ୍ନାକ୍ସ, ଏପିଜେ ଅବଦୁଲ କଲାମଙ୍କ ସମୟରେ ରସମ ରାଇସ, ଦହି ଭାତ, ଆଚାର ଓ ‌ଦୋସା ମେନୁରେ ସାମିଲ ହୋଇଥିଲା।

americanbazaaronline.com

ସେହି ଭଳି ପ୍ରତିଭା ପାଟିଲଙ୍କ ଅମଳରେ ଉତ୍ତପମ ଓ ଦାଲ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ‌ରୋହି ମାଛ ଝୋଲ ଓ ଛେନା ମିଠା, ରାମନାଥ କୋବିନ୍ଦ ଲିଟି ଚୋଖାକୁ ମେନୁରେ ସାମିଲ କରାଯାଇଥିଲା। ରାଷ୍ଟ୍ରପତି ଭବନ ମେନୁରେ ବର୍ତ୍ତମାନ ସମୟରେ ବଙ୍ଗୀୟ ଓ ଦକ୍ଷିଣ ଭାରତର ସୁସ୍ବାଦୁ ଖାଦ୍ୟ ରହିଥିବା ବେଳେ ନୂଆ ରାଷ୍ଟ୍ରପତିଙ୍କ ଅମଳରେ ପାକଶାଳାର ମେନୁ ହୁଏତ ବଦଳିପାରେ। ଏଭଳି ସମ୍ଭାବନା କରିଛନ୍ତି ଖାଦ୍ୟପ୍ରେମୀ। ରା‌ଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିରାମିଷାଶୀ। ପିଆଜ କିମ୍ବା ରସୁଣ ଖାଆନ୍ତି ନାହିଁ। ରାଷ୍ଟ୍ରପତି ଭବନର ମେନୁରେ ଜଳଖିଆ, ଦ୍ବି ପହାର ଓ ରାତିର ମେନୁ କ’ଣ ହେବ ଏବଂ ଏଥିରେ ଓଡ଼ିଶା ଖାଦ୍ୟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେବା ସ୍ବାଭାବିକ ବୋଲି ଖାଦ୍ୟ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ଶ୍ରୀମତୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇଥିବାରୁ ରାଷ୍ଟ୍ରପତି ଭବନ ‘ଡାଇନିଂ ଟେବୁଲ’ରେ ଆଦିବାସୀ ବ୍ୟଞ୍ଜନକୁ ମଧ୍ୟ ମର୍ଯ୍ୟାଦା ମିଳିପ‌ାରେ ଏହାର ମଧ୍ୟ ସମ୍ଭାବନା ରହିଛି। ଦେଶରେ ପାଖାପାଖି ୫୮୦ ଆଦିବାସୀ ଗୋଷ୍ଠୀ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ଗୋଷ୍ଠୀଙ୍କ ସ୍ବତନ୍ତ୍ର ବ୍ୟଞ୍ଜନ ରହିଛି। ସେମାନଙ୍କ ବ୍ୟଞ୍ଜନକୁ ବିଶେଷ ସ୍ବୀକୃତି ମିଳିନାହିଁ। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦ୍ବାରା ପ୍ର‌ତି ବର୍ଷ ଆୟୋଜନ କରାଯାଉଥିବା ଆଦି ମହୋତ୍ସବରେ ଆଦିବାସୀ ବ୍ୟଞ୍ଜନଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି। କିଛି ଆଦିବାସୀ ବ୍ୟଞ୍ଜନକୁ ରାଷ୍ଟ୍ରପତି ଭବନ ମେନୁରେ ସାମିଲ କରାଯିବା ସମ୍ଭାବନା ରହିଛି। ଏହା ଦ୍ବାରା ଆଦିବାସୀ ସମାଜକୁ ଏକ ବଡ଼ ବାର୍ତ୍ତା ଯିବା ସହ ଆଦିବାସୀ ବ୍ୟଞ୍ଜନକୁ ପ୍ରୋତ୍ସୋହିତ ମଧ୍ୟ କରାଯାଇପାରିବ। ଯଦି ରାଷ୍ଟ୍ରପତି ଭବନ ମେନୁରେ ଆଦିବାସୀ ପାକ ପ୍ରଣାଳୀ ସ୍ଥାନ ପାଏ, ତା’ ହେଲେ ପ୍ରଚଳିତ ଧାରାରେ ପରିବର୍ତ୍ତନ ଆସିବ।

The Indian Express

ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସରେ ‘ଆଟ ହୋମ’ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ସମାଜର ବିଭିନ୍ନ କ୍ଷେତ୍ର ଯଥା ସାହିତ୍ୟ , ଶିକ୍ଷା, କଳା, ସଂସ୍କୃତି, ସାମ୍ବାଦିକତା, ଆଇନ, ଉଦ୍ୟୋଗ, ସମାଜସେବା ଆଦିରେ ପ୍ରତିଷ୍ଠିତ ବ୍ୟକ୍ତିବିଶେ‌ଷଙ୍କୁ ଏଥିରେ ନିମନ୍ତ୍ରିତ କରାଯାଇଥାଏ। ଅତିଥିମାନଙ୍କୁ ଏହି ସମୟରେ ଖାଦ୍ୟପେୟରେ ଆପ୍ୟାୟିତ କରାଯାଇଥାଏ। ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ନିରାମିଷ ଭୋଜନର ବିଶେଷ ପ୍ରଚଳନ ରହିଛି। ଯେଉଁଥିରେ ସୁଇଟକର୍ଣ୍ଣ ଭେଜିଟେବୁଲ୍‌ ସୁପ୍‌, ପାଲକ ପନିର, ଦାଲ ଅରହର ତଡକା, ଗୋବି ଗାଜର ବିନ୍ସ, ମଲାଇ କୋଫତା, ଜିରା ପଲାଉ, ନାନ, ଫ୍ରେସ ଗ୍ରିନ ସଲାଡ, ବୁନ୍ଦି ରାଏତା, କେଶର ରସ ମଲାଇ ତଥା ତାଜା ଫଳ ଆଦି ସାମିଲ ଅଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଅତିଥିମାନଙ୍କୁ ସ୍ବାଦିଷ୍ଟ ଜଳପାନରେ ମଧ୍ୟ ଆପ୍ୟାୟିତ କରାଯାଇଥାଏ। ଖାଦ୍ୟ ପାନୀୟ ତାଲିକାରେ ମେଦୁ ବରା, ସମୋସା, ଢୋକଲା, ଇମର୍ତ୍ତି, ସନ୍ଦେଶ ସାମିଲ ରହିଥିବା ବେ‌ଳେ ଏଥିରେ ଓଡ଼ିଶାର କୌଣସି ଆଇଟମ ନାହିଁ । ରାଷ୍ଟ୍ରପତି ଭବନ ମେନୁରେ ସୁଇଟ୍‌ସ ବର୍ଗରେ ଓଡ଼ିଶାର ଛେନା ପୋଡ଼ ସ୍ଥାନ ପାଇବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର