ଗରିବଙ୍କ ପାଇଁ ଧନୀ ସୁବିଧା ଛାଡ଼ନ୍ତୁ

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ଦେଶର ଗରିବଙ୍କ କଲ୍ୟାଣ ପାଇଁ ଧନୀମାନେ ପାଉଥିବା ସରକାରୀ ସୁବିଧା ସ୍ୱେଚ୍ଛାରେ ଛାଡ଼ିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ଵାନ ଦେଇଛନ୍ତି। ଭାରତର ସଂସ୍କୃତି ପରୋପକାର ଏବଂ ଲୋକ କଲ୍ୟାଣ ଉପରେ ଆଧାରିତ ଥିବାରୁ ସ୍ୱେଚ୍ଛାକୃତ ଭାବେ ଧନୀମାନେ ଉପଲବ୍ଧ କରୁଥିବା ସୁବିଧା ତ୍ୟାଗକଲେ ହିଁ ବୃହତ୍ତର ସ୍ୱାର୍ଥ ସାଧନ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

୬୯ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଜନରାଜ୍ୟ ଦିବସର ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ତାଙ୍କର ପ୍ରଥମ ଉଦ୍‌ବୋଧନରେ କହିଛନ୍ତି ଯେ କମ୍‌ ସମୟ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣର ବଡ଼ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଜାରି ରଖିବାକୁ ହେବ। ରାଷ୍ଟ୍ରରେ ନିସ୍ୱାର୍ଥ ଭାବନା ଜାଗ୍ରତ କରିବା କାର୍ଯ୍ୟ ନାଗରିକଙ୍କ ଉପରେ ନ୍ୟସ୍ତ। ତେବେ କେହି କହିବା ଦ୍ୱାରା ଏହି ଭାବନା ଜାଗ୍ରତ ହୋଇପାରିବ ନାହିଁ , ବରଂ ଅନ୍ତରାତ୍ମାର ଡାକରେ ହିଁ ସମାଜରେ ଏହି ପରିବର୍ତ୍ତନ ଆସିବ। ଦେଶବାସୀଙ୍କୁ ନେଇ ହିଁ ଦେଶରେ ଗଣତନ୍ତ୍ର ସମ୍ଭବ ହୋଇପାରିଛି। ଆମର ନାଗରିକ ହିଁ ଗଣତନ୍ତ୍ରର ନିର୍ମାତା, ସଂରକ୍ଷକ ଏବଂ ଆଧାର ସ୍ତମ୍ଭ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ କୌଣସି ପ୍ରସଙ୍ଗକୁ ନେଇ ଅସହମତି ହେଲେ ମଧ୍ୟ ଉଦାରତାପୂର୍ଣ୍ଣ ବ୍ୟବହାର ଆବଶ୍ୟକ। ଅସହମତି ସତ୍ତ୍ୱେ କୌଣସି ନାଗରିକଙ୍କ ଗରିମା ଓ ବ୍ୟକ୍ତିଗତ ଭାବନାକୁ ଆଘାତ ପହଞ୍ଚାଇବା ଠିକ୍‌ ନୁହେଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଏବେ ପଦ୍ମାବତ ଚଳଚ୍ଚିତ୍ରକୁ ନେଇ ହିଂସାତ୍ମକ ଆନ୍ଦୋଳନ ଚାଲିଥିବାରୁ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ପରୋକ୍ଷରେ ଏଭଳି ବକ୍ତବ୍ୟ ରଖଥିବା କୁହାଯାଉଛି।

ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ ହିଁ ଗଣତନ୍ତ୍ରକୁ ଶକ୍ତି ଯୋଗାଉଛନ୍ତି। ପ୍ରତ୍ୟେକ ସୈନିକ ଯିଏ ଦେଶର ରକ୍ଷା କରୁଛନ୍ତି, ପ୍ରତ୍ୟେକ କୃଷକ ଯିଏ ଦେଶବାସୀଙ୍କୁ ଖାଦ୍ୟ ଯୋଗାଇବା କାର୍ଯ୍ୟ କରୁଛନ୍ତି, ପ୍ରତ୍ୟେକ ପୁଲିସ ଏବଂ ଅର୍ଦ୍ଧ ସୈନିକ ବଳ ଯିଏ କି ଦେଶକୁ ସୁରକ୍ଷିତ ରଖୁଛନ୍ତି, ପ୍ରତ୍ୟେକ ମା’ ଯିଏ ଦେଶବାସୀଙ୍କୁ ପାଳନ ପୋଷଣ କରୁଛନ୍ତି, ପ୍ରତ୍ୟେକ ଡାକ୍ତର ଯିଏ ଦେଶବାସୀଙ୍କୁ ଚିକିତ୍ସା କରୁଛନ୍ତି, ପ୍ରତ୍ୟେକ ନର୍ସ ଯିଏ ଦେଶବାସୀଙ୍କ ସେବାରେ ନିୟୋଜିତ ଅଛନ୍ତି, ପ୍ରତ୍ୟେକ ସ୍ୱଚ୍ଛତା କର୍ମଚାରୀ ଯିଏ ଆମ ଦେଶକୁ ସ୍ୱଚ୍ଛ ରଖୁଛନ୍ତି, ପ୍ରତ୍ୟେକ ଅଧ୍ୟାପକ ଯିଏ ଦେଶକୁ ଶିକ୍ଷିତ କରିବା କାର୍ଯ୍ୟ କରୁଛନ୍ତି, ପ୍ରତ୍ୟେକ ବୈଜ୍ଞାନିକ ଯଏ ଉଦ୍ଭାବନ କରୁଛନ୍ତି, ପ୍ରତ୍ୟେକ ଇଂଜିନିୟର ଯିଏ ଦେଶକୁ ଏକ ନୂଆ ସ୍ୱରୂପ ଦେଉଛନ୍ତି, ସେମାନଙ୍କ ପାଇଁ ଗଣତନ୍ତ୍ର ଶକ୍ତିଶାଳୀ ହୋଇଛି।

ସେ କହିଛନ୍ତି ଯେ ଆମ ସମସ୍ତଙ୍କର ସ୍ୱପ୍ନ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଆଗକୁ ବଢ଼ୁଛେ। ଆମର ଯୁବ ଶକ୍ତି ନିଜ କଳ୍ପନା, ଆକାଂକ୍ଷା ଏବଂ ଆଦର୍ଶ ବଳରେ ଦେଶକୁ ଆଗକୁ ନେଉଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବରିଷ୍ଠ ନାଗରିକମାନେ ଗଣତନ୍ତ୍ରକୁ ଯଥେଷ୍ଟ ସୁଦୃଢ଼ କରିଥିବା ବେଳେ ଯୁବବର୍ଗ ଆମ ଦେଶର ଶକ୍ତି, ଆଶା ଏବଂ ଭବିଷ୍ୟତର ଉତ୍ସ ହୋଇ ରହିଛନ୍ତି। ସେମାନଙ୍କ ଯୋଗଦାନରେ ହିଁ ଗଣତନ୍ତ୍ରର ପରାକାଷ୍ଠା ବଜାୟ ରହିଛି। ଭାରତରେ ଗଣତନ୍ତ୍ରର ସ୍ଥାପନା ସହିତ ହିଁ ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତାର ଆଦର୍ଶ ସ୍ଥାପିତ ହୋଇଛି ଏବଂ ଜାତି, ଧର୍ମ, କ୍ଷେତ୍ର ଏବଂ ସଂପ୍ରଦାୟ ନିର୍ବିଶେଷରେ ଏହା କାର୍ଯ୍ୟକାରୀ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର