ଦେଶବାସୀ ଏକ ପରିବାର ଭଳି ଏକଜୁଟ ହୋଇ କରୋନାରୂପୀ ଶତ୍ରୁର ସଫଳ ମୁକାବିଲା କରିଛନ୍ତି : ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତାକାଲି ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।  କରୋନା ମହାମାରୀକୁ ଦେଶ ଯେପରି ଏକ ହୋଇ ମୁକାବିଲା କଲା ତାହାର ସେ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନିଜ ଅଭିଭାଷଣରେ ସେ କହିଛନ୍ତି, ‘‘ସମଗ୍ର ମାନବ ସମାଜ ଗତବର୍ଷ ଏକ ବିରାଟ ମହାମାରୀର ସମ୍ମୁଖୀନ ହୋଇ ତ୍ରସ୍ତ ହୋଇଯାଇଥିଲା । ଏହି ଅବସରରେ ମୁଁ ଭାରତୀୟ ସମ୍ବିଧାନର ମୂଳତତ୍ତ୍ୱ ଉପରେ ମନୋନିବେଶ କରିଥିଲି । ମୁଁ ସ୍ୱୀକାର କରିଥିଲି ଯେ ମୈତ୍ରୀର ଆମ ସାମ୍ବିଧାନିକ ଆଦର୍ଶ ବଳରେ ହିଁ ଏହି ସଂକଟର ପ୍ରଭାବୀ ମୁକାବିଲା କରିବା ସମ୍ଭବ ହୋଇପାରେ । କରୋନା ଭୂତାଣୁ ରୂପୀ ଶତ୍ରୁର ସମ୍ମୁଖୀନ ହେବାବେଳେ ଦେଶବାସୀ ଏକ ପରିବାର ଭଳି ଏକଜୁଟ ହୋଇ ଅନୁକରଣୀୟ ତ୍ୟାଗ, ସେବା ତଥା ବଳିଦାନର ପରିଚୟ ପ୍ରଦାନ କରିଥିଲେ ଏବଂ ଜଣେ ଅନ୍ୟ ଜଣଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲେ । ମୁଁ ଏଠାରେ ସେସବୁ ଚିକିତ୍ସକ, ସେବିକା, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟସେବାରେ ଯୋଡି ହୋଇଥିବା ପ୍ରଶାସକ ଏବଂ ସଫେଇ କର୍ମୀଙ୍କ ଅବଦାନ ଉଲ୍ଲେଖ କରିବାକୁ ଚାହୁଁଛି; କାରଣ ସେମାନେ ନିଜ ଜୀବନକୁ ବିପନ୍ନ କରି ପୀଡିତଙ୍କ ଚିକିତ୍ସା ଓ ଦେଖାଶୁଣା କରୁଥିଲେ । ଅନେକ ମଧ୍ୟ ଏହି ପ୍ରକ୍ରିୟାରେ ନିଜ ଜୀବନ ହରାଇଥିଲେ । ସେମାନଙ୍କ ସହିତ ଏହି ମହାମାରୀ ପ୍ରାୟ ଦେଢଲକ୍ଷ ନାଗରିକଙ୍କ ଜୀବନ ନେଇଛି । ସେ ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ମୋର ସମବେଦନା ପ୍ରକଟ କରୁଛି ।  କରୋନା ବିରୋଧୀ ସାମ୍ମୁଖ୍ୟରେ ଆଗଧାଡିର ଯୋଦ୍ଧାଭାବେ ଆମର ସାଧାରଣ ନାଗରିକ ମଧ୍ୟ ଅସାଧାରଣ ଯୋଗଦାନ ଦେଇଛନ୍ତି । ଆଗାମୀ ପିଢିର ଲୋକ ଯେତେବେଳେ ଏହି ସମୟର ଇତିହାସ ଜାଣିବେ ସେତେବେଳେ ଏହି ଆକସ୍ମିକ ସଂକଟ ଉପରେ ବିଜୟ ହାସଲ ପାଇଁ ଯେଉଁ ସାହସର ସହିତ ଆପଣମାନେ ସମସ୍ତେ ଲଢେଇ କରିଛନ୍ତି ସେଥିପାଇଁ ଶ୍ରଦ୍ଧାର ସହ ସେମାନେ ନସ୍ତମସ୍ତକ ହେବେ ।’’

ସେ ଆହୁରି କହିଥିଲେ,‘‘ଭାରତର ବିପୁଳ ଜନସଂଖ୍ୟା, ସାଂସ୍କୃତିକ ପରମ୍ପରାର ବିବିଧତା ତଥା ପ୍ରାକୃତିକ ଏବଂ ଭୌଗୋଳିକ ସମସ୍ୟାବଳୀ କାରଣରୁ କୋଭିଡ୍‍ରୁ ସୁରକ୍ଷା ଉପାୟ ବାହାର କରିବା ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଆହ୍ୱାନମୂଳକ କାର୍ଯ୍ୟ ଥିଲା । ଏ ସବୁ ଆହ୍ୱାନ ସତ୍ତ୍ୱେ ଏହି ଭୂତାଣୁର ପ୍ରକୋପ ଉପରେ ନିୟନ୍ତ୍ରଣ ରଖିବାରେ ଆମେ ବିଶେଷ ସଫଳ ରହିଛୁ ।’’

‘‘ଏହି ଭୟଙ୍କର ବିପତ୍ତି ସତ୍ତ୍ୱେ ଆମେ ଅନେକ କ୍ଷେତ୍ରରେ ଆମ କାର୍ଯ୍ୟକଳାପକୁ ସଫଳତା ପୂର୍ବକ ଆଗକୁ ବଢାଇପାରିଛୁ । ଏହି ମହାମାରୀ କାରଣରୁ ଆମର ପିଲାଏ ଏବଂ ଯୁବପିଢିଙ୍କ ଶିକ୍ଷା ପ୍ରକ୍ରିୟା ବିଶେଷଭାବେ ବ୍ୟାହତ ହୋଇଥିଲା । କିନ୍ତୁ ଆମର ବିଭିନ୍ନ ସଂସ୍ଥାନ ଓ ଅନୁଷ୍ଠାନ ତଥା ଶିକ୍ଷକକୂଳ ନୂଆ ଟେକନଲୋଜି ଶୀଘ୍ର ଆପଣାଇ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି । ବିଦ୍ୟାର୍ଥୀଙ୍କୁ ସେମାନେ ନିରନ୍ତର ଶିକ୍ଷା ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି ।’’

ସମ୍ବନ୍ଧିତ ଖବର