ଉତ୍ତରାଖଣ୍ଡରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ

ଡେରାଡୁନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉତ୍ତରାଖଣ୍ଡ ଗସ୍ତ ଆରମ୍ଭ ହୋଇଛି। ଏହି ଅବସରରେ ଶନିବାର ସନ୍ଧ୍ୟାରେ ଡେରାଡୁନଠାରେ ପହଞ୍ଚିବା ପରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ସେ ଆଭାସୀ ଭାବରେ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟସେବା, ଶକ୍ତି ଉତ୍ପାଦନ ଓ ଯୋଗାଣ, ବୈଷୟିକ ଶିକ୍ଷା ଏବଂ ପରିବହନ ସହ ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

ଉପସ୍ଥିତ ଜନମଣ୍ଡଳୀକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଲେ ଯେ, ମା ଭାରତୀ ପାଇଁ ଉତ୍ତରାଖଣ୍ଡ ଓ ଏହାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ। ଉତ୍ତରାଖଣ୍ଡ ହେଉଛି ବହୁ ନଦୀର ଉତ୍ସ, ଯାହା ଭାରତର ଏକ ବୃହତ୍ ଅଞ୍ଚଳକୁ ଜଳସେଚିତ କରି ଉନ୍ନତି କରିବାରେ ସାହାଯ୍ୟ କରୁଛି। ହିମାଳୟ ଓ ଉତ୍ତରାଖଣ୍ଡ ଭାରତୀୟଙ୍କ ହୃଦୟ ଓ ଆତ୍ମାରେ ରହିଛି। ଜ୍ଞାନର ଅନୁସନ୍ଧାନରେ ଆମର ପ୍ରାଚୀନ ମୁନିଋଷିମାନେ ହିମାଳୟର ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେଇ ତପସ୍ୟା କରୁଥିଲେ। ଏହି ରାଜ୍ୟ ହେଉଛି ଆଧ୍ୟାତ୍ମିକ ଶାନ୍ତି ଓ ଶାରୀରିକ ସୁସ୍ଥତାର ଉତ୍ସ।

ଉତ୍ତରାଖଣ୍ଡରେ ବହୁ ପ୍ରାକୃତିକ ଓ ଆୟୁର୍ବେଦ ଚିକିତ୍ସାର କେନ୍ଦ୍ର ରହିଛି। ଏଠାରେ ନେଚର ଟୁରିଜିମ୍, ଆଡ୍‌ଭେଞ୍ଚର ଟୁରିଜିମ୍ ଓ ମେଡିକାଲ ଟୁରିଜିମ୍‌ର ବ୍ୟାପକ ସମ୍ଭାବନା ରହିଛି ବୋଲି ରାଷ୍ଟ୍ରପତି କହିଥିଲେ।

ସମ୍ବନ୍ଧିତ ଖବର