ରାଷ୍ଟ୍ରପତିଙ୍କ ନାମକୁ ନେଇ କଟାକ୍ଷ କରିବା ମହଙ୍ଗା ପଡ଼ିଲା; ‘ଦ ଟେଲିଗ୍ରାଫ୍‌’ ବିରୋଧରେ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ ଜାରି କଲେ ନୋଟିସ୍‌

କୋଲକାତା/ ନୂଆଦିଲ୍ଲୀ: ଏକ ଖବରର ଶିରୋନାମାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ପ୍ରୟୋଗ କରିବା ସହ ତାଙ୍କ ନାମକୁ ନେଇ କଟାକ୍ଷ କରିବା ଘଟଣା ଦେଶର ଅନ୍ୟତମ ପ୍ରତିଷ୍ଠିତ ଇଂରାଜୀ ସମ୍ବାଦପତ୍ର ‘ଦ ଟେଲିଗ୍ରାଫ୍‌’ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରେସ୍‌ କାଉସିଲ ଅଫ୍‌ ଇଣ୍ଡିଆ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ‘ଦ ଟେଲିଗ୍ରାଫ୍‌’ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ସାମ୍ବିଧାନିକ କ୍ଷମତା ବଳରେ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ କରିଥିଲେ। ତେବେ, ‘ଦ ଟେଲିଗ୍ରାଫ୍‌’ ଏହି ଖବରକୁ ନିଜର ପ୍ରଥମ ପୃଷ୍ଠାରେ ପ୍ରମୁଖ ସ୍ଥାନ ଦେଇ ପ୍ରକାଶ କରିଥିବା ବେଳେ ଖବର ଶିରୋନାମା ଦେଇଥିଲା; ‘କୋବିନ୍ଦ, ନଟ୍‌ କୋଭିଡ୍‌, ଡିଡ୍‌ ଇଟ୍‌’। ହେଲେ, ଏକ ପ୍ରକାର ଶିରୋନାମା ରାଷ୍ଟ୍ରପତିଙ୍କ କୋବିନ୍ଦଙ୍କ ପାଇଁ ଅପମାନଜନକ ହେବା ସହ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦାକୁ କ୍ଷୁଣ୍ଣ କରିଥିଲା।

ଏଘଟଣା ପ୍ରେସ୍‌ କାଉସିଲ ଅଫ୍‌ ଇଣ୍ଡିଆର ଦୃଷ୍ଟିକୁ ଆସିବା ପରେ ରାଷ୍ଟ୍ରପତିଙ୍କ ନାମକୁ ଏପରି କଟାକ୍ଷ ଢ଼ଙ୍ଗରେ ଲେଖିବା ସାମ୍ବାଦିକତା ଆଚରଣ ବିଧିର ଧାରା ୧୭(୧)(କ)(ଖ) ଏବଂ ୩୧(୬)ର ଉଲ୍ଲଂଘନ କରୁଥିବା ଦର୍ଶାଇ ପ୍ରେସ୍‌ କାଉସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ‘ଦ ଟେଲିଗ୍ରାଫ୍‌’ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର