ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ, ନଭେମ୍ବର ୨୧ରୁ ଆଇଏନଏସ ଚିଲିକାରେ ନୌ-ଅଗ୍ନିବୀରଙ୍କ ତାଲିମ

ଅଗ୍ନିପଥ ସ୍କିମ ସଂପର୍କରେ ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ : ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ତିନି ସେନା  ପକ୍ଷରୁ ରବିବାରଦିନ ଏକ ମିଳିତ ପ୍ରେସମିଟ୍ କରି  ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି । ଏହା ସହିତ ସ୍ବଷ୍ଟ କରାଯାଇଛି ଯେ ଏହି ସ୍କିମ ପ୍ରତ୍ୟାହାର ହେବ ନାହିଁ ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି ଯେ ଭାରତୀୟ ସାମରିକ ବାହିନୀରେ ଏପରି ସଂସ୍କାର ବିଗତ ଅନେକ ବର୍ଷ ଧରି ବକେୟା ରହିଥିଲା । ଏହି ସଂସ୍କାର ଦ୍ବାରା ସେନା ଯବାନଙ୍କ ହାରାହାରି ବୟସ ହ୍ରାସ ପାଇବ ଯାହାକି ସେନାର ଦକ୍ଷତା ବୃଦ୍ଧି କରିବ । ଏବେ ସେନାର ଅଧିକାଂଶ ଯବାନଙ୍କ ବୟସ ୩୦ ବର୍ଷରୁ ଅଧିକ ରହିଛି । ସେ କହିଛନ୍ତି ଯେ ଏହି ସ୍କିମରେ ଆସନ୍ତା ୫ ବର୍ଷରେ ପ୍ରାୟ ୫୦ରୁ ୬୦ ହଜାର ନିଯୁକ୍ତି କରାଯିବ । ଭବିଷ୍ୟତରେ ଏହା ୧.୨୫ଲକ୍ଷକୁ ବୃଦ୍ଧି ପାଇପାରେ ।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ସ୍କିମକୁ ନେଇ କରାଯାଉଥିବା ହିଂସା ଠିକ ନୁହେଁ । ହିଂସା କରୁଥିବା ପିଲାମାନଙ୍କୁ ଏହି ସ୍କିମରେ ସାମିଲ କରାଯିବ ନାହିଁ ।

ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର ପ୍ରତିନିଧିତ୍ବ କରୁଥିବା ଏୟାର ମାର୍ସାଲ ଏସକେ ଝା କହିଛନ୍ତି ଯେ ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ ୨୪ରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ତାଲିମ ଡିସେମ୍ବର ସୁଦ୍ଧା ଆରମ୍ଭ ହୋଇଯିବ ।

ଅନ୍ୟପକ୍ଷରେ ନୌସେନାର ପ୍ରତିନିଧିତ୍ବ କରୁଥିବା ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି ଯେ, ନୌସେନା ପୁରୁଷଙ୍କ ସମେତ ମହିଳା ଅଗ୍ନିବୀରଙ୍କ ନିଯୁକ୍ତ ମଧ୍ୟ କରିବ । ନଭେମ୍ବର ୨୧ରୁ ପ୍ରଥମ ବ୍ୟାଚ ନାଭାଲ ଅଗ୍ନିବୀରଙ୍କ ତାଲିମ ଆଇଏନଏସ ଚିଲିକାରେ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର