ସଂସଦ ଭବନରେ ସାମ୍ବାଦିକ ସମ୍ମିଳନୀ : ସାଂସଦଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ନୂଆଦିଲ୍ଲୀ : ଆସନ୍ତା କାଲି ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ନବନିର୍ବାଚିତ ସାଂସଦମାନଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସଂସଦ ଭବନର ୬୨ ନମ୍ବର ପ୍ରକୋଷ୍ଠରେ ସାଂସଦମାନଙ୍କ ସହାୟତା ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ଯାହା ଆସନ୍ତା କାଲି ଅପରାହ୍ନରୁ କାର୍ଯ୍ୟକ୍ଷମ ହେବ ଏବଂ ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଆଜି ସଂସଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ମହାସଚିବ ସ୍ନେହଲତା ଶ୍ରୀବାସ୍ତବ ୧୭ତମ ଲୋକସଭା ପାଇଁ ନିର୍ବାଚିତ ସାଂସଦଙ୍କ ଦିଲ୍ଲୀ ଆଗମନ ପୂର୍ବପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ନୂଆ ସାଂସଦ ମାନଙ୍କୁ ସ୍ବାଗତ କରିବାପାଇଁ ଦୁଇ ମାସ ପୂର୍ବରୁ ଆରମ୍ଭ କରାଯାଇଥିବା ପ୍ରସ୍ତୁତି କାର୍ଯ୍ୟକ୍ରମରେ ଲୋକସଭା ସଚିବାଳୟର ପାଖାପାଖି ୧୫୦ ଜଣ କର୍ମଚାରୀ ସାମିଲ ଥିବା ଶ୍ରୀମତି ଶ୍ରୀବାସ୍ତବ କହିଥିଲେ।

ସାମ୍ବାଦିକ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରି ଶ୍ରୀମତି ଶ୍ରୀବାସ୍ତବ କହିଥିଲେ ୧୭ ତମ ଲୋକସଭା ପାଇଁ ନିର୍ବାଚିତ ସାଂସଦମାନଙ୍କ ଦିଲ୍ଲୀ ଆଗମନ ପୂର୍ବରୁ ୫୬ ଜଣ ନୋଡାଲ ଅଫିସର ସେମାନଙ୍କ ସହିତ ଯୋଗାଯୋଗରେ ରହିବେ ତଥା ବିଭିନ୍ନ ପ୍ରକାର ସୂଚନା ସମ୍ପର୍କରେ ଅବଗତ କରାଇବେ। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ନୂଆଦିଲ୍ଲୀ ରେଳ ଷ୍ଟେସନ, ହଜରଦ ନିଜାମୁଦିନ ରେଳ ଷ୍ଟେସନ୍‌ ଓ ଆନନ୍ଦବିହାର ‌େରଳ ଷ୍ଟେସନରେ ସାଂସଦମାନଙ୍କୁ ସ୍ବାଗତ କରାଯିବ। ଏଥର ସାଂସଦମାନଙ୍କ ଅସ୍ଥାୟୀ ବାସସ୍ଥାନ ପାଇଁ ଦିଲ୍ଲୀର ଜନପଥ ସ୍ଥିତ ୱେଷ୍ଟର୍ଣ୍ଣ କୋର୍ଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏତତ୍‌ବ୍ୟତୀତ ସାଂସଦମାନେ ରାଜ୍ୟର ଭବନ ଓ ନିବାସ ମାନଙ୍କରେ ମଧ୍ୟ ଅବସ୍ଥାନ କରିବେ ବୋଲି ଶ୍ରୀବାସ୍ତବ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ। ପଞ୍ଚତାରକା ହୋଟେଲରେ ସାଂସଦମାନଙ୍କର ଅସ୍ଥାୟୀ ରହଣୀ ବ୍ୟବସ୍ଥାକୁ ଏଥର ହଟାଇ ଦିଆଯାଇଛି। ସ୍ଥାୟୀ ବାସସ୍ଥାନ ଆବଣ୍ଟନ ହେବା ପର୍ଯ୍ୟନ୍ତ ସାଂସଦ ମାନେ ୱେଷ୍ଟର୍ଣ୍ଣ କୋର୍ଟ ତଥା ରାଜ୍ୟର ଭବନ ଓ ନିବାସ ମାନଙ୍କରେ ଅସ୍ଥାୟୀ ଭାବେ ରହିବେ। ଏଥର ସାଂସଦମାନେ ଦିଲ୍ଲୀ ପହଞ୍ଚିବା କ୍ଷଣି ସ୍ଥାୟୀ ପରିଚୟପତ୍ର ପ୍ରଦାନ କରାଯିବ। ପୂର୍ବରୁ ସାଂସଦମାନଙ୍କୁ ସ୍ବଳ୍ପ ଅବଧି ପାଇଁ ଅସ୍ଥାୟୀ ପରିଚୟପତ୍ର ଦିଆଯାଉଥିଲା। କିନ୍ତୁ ଏହି ନିୟମ ପରିବର୍ତ୍ତନ କରାଯାଇଥିବା ଶ୍ରୀବାସ୍ତ ସୂଚନା ଦେଇଥିଲେ। ନିର୍ବାଚନ ଜିଣିବା ପରେ ସାଂସଦମାନଙ୍କୁ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନରେ ଜିତିଥିବା ପ୍ରମାଣପତ୍ର ସହ ଲୋକସଭା ସଚିବାଳୟରୁ ପଠାଯାଇଥିବା ୪ଟି ଦସ୍ତାବିଜ- ଶପଥଗ୍ରହଣ ସମ୍ପର୍କିତ ଡକ୍ୟୁମେଣ୍ଟ, ହସ୍ତାକ୍ଷରର ନମୁନା, ଅସ୍ଥାୟୀ ବାସସ୍ଥାନର ସୂଚନାପତ୍ର ଓ ଘୋଷଣାପତ୍ରକୁ ହସ୍ତାନ୍ତର କରିବେ ଯାହାକୁ ସାଂସଦମାନେ ପୂରଣ କରି ଅନଲାଇନ୍ ଜରିଆରେ ଲୋକସଭା ସଚିବାଳୟକୁ ପଠାଇବେ। ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଦସ୍ତାବିଜ ଗୁଡ଼ିକ ସାଂସଦମାନେ ଦିଲ୍ଲୀ ପହଞ୍ଚିବା ପରେ ଲୋକସଭା ସଚିବାଳୟରେ ଦାଖଲ କରିବେ।

ଅପରପକ୍ଷେ ନିର୍ବାଚନରେ ପରାଜିତ ହୋଇଥିବା ସାଂସଦମାନଙ୍କୁ ଗୋଟିଏ ମାସ ମଧ୍ୟରେ ସେମାନଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ। ମାସକ ଭିତରେ ସରକାରୀ ବାସଭବନ ଖାଲି କରିବା ସାଂସଦମାନଙ୍କଠାରୁ ଗୋଟିଏ ମାସର ଭଡ଼ା ନିଆଯିବ ନାହିଁ, ଯଦି ଗୋଟିଏ ମାସ ପରେ ପରାଜିତ ସାଂସଦମାନେ ସେମାନଙ୍କର ଆବାସ ଖାଲି ନକରନ୍ତି ତାହେଲେ ପ୍ରଚଳିତ ନିୟମ ଅନୁଯାୟୀ ସେମାନଙ୍କ ଠାରୁ ଭଡ଼ା ଆଦାୟ କରାଯିବ। ସାଂସଦମାନଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ସଂସଦଭବନ ଓ ସଂସଦ ସ୍ଥିତ ସେଣ୍ଟ୍ରାଲ ହଲ୍‌କୁ ମଧ୍ୟ ସାଜସଜା କରାଯାଇଛି।

ସମ୍ବନ୍ଧିତ ଖବର