ଚାପକୁ ସାମନା କରିବା ବିଚାରପତିଙ୍କ ଉପରେ ନିର୍ଭର କରେ: ଜଷ୍ଟିସ୍‌ ରମଣା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଅନ୍ୟତମ ରାଜଧାନୀ ଅମରାବତୀ ଜମି ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଶୁଣାଣିକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣା ପ୍ରଭାବିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଵାଇ ଏସ୍‌ ଜଗନମୋହନ ରେଡ୍ଡି ଗତ ସପ୍ତାହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ତାଙ୍କ ବିରୋଧରେ ଉଠିଥିବା ଏପରି ଅଭିଯୋଗ ପରିପ୍ରେକ୍ଷୀରେ ଆଜି ନିଜେ ଜଷ୍ଟିସ୍‌ ରମଣା ମୁହଁ ଖୋଲିଛନ୍ତି।

ଯେଉଁଆଡୁ ଯେତେ ଚାପ କି ପ୍ରତିକୂଳ ପରିସ୍ଥିତି ଆସିଲେ ବି ତାହାର ପ୍ରତିରୋଧ କରିବା ହେଉଛି ଜଣେ ବିଚାରପତିଙ୍କର ମହତ୍ତ୍ବପୂର୍ଣ୍ଣ ଗୁଣ ଏବଂ ଏକ ଉଜ୍ଜଳ ତଥା ସ୍ବାଧୀନ ନ୍ୟାୟପାଳିକା ହିଁ ସାମ୍ପ୍ରତିକ ସମୟର ଆହ୍ବାନ ବୋଲି ସେ କହିଛନ୍ତି। ଜଣେ ବ୍ୟକ୍ତି ମର୍ଯ୍ୟାଦାର ସହ ଜୀବନ ବିତାଇବା ଲାଗି ବିନମ୍ରତା, ଧୈର୍ଯ୍ୟ, ଦୟାଶୀଳତା, ଦୃଢ଼ କର୍ମମୟତା ଏବଂ ନିଜକୁ ଅବିରତ ଉନ୍ନତ କରିବା ପାଇଁ ଜ୍ଞାନ ଆହରଣ ଆଦି ଅସଂଖ୍ୟ ଗୁଣ ରହିଛି। ତେବେ ବିଶେଷ କରି ଜଣେ ବିଚାରପତି ହେବା ପାଇଁ ଜଣକୁ ସିଦ୍ଧାନ୍ତରେ ଦୃଢ଼ ଏବଂ ନିଷ୍ପତ୍ତି ନେବାରେ ନିର୍ଭୀକ ହେବାକୁ ପଡ଼ିବ। ଯାବତୀୟ ପ୍ରତିବନ୍ଧକକୁ ସାହସର ସହ ମୁକାବିଲା କରିବା ସହ ସମସ୍ତ ଚାପ ଓ ବାଧାବିଘ୍ନକୁ ସାମନା କରିବା ହିଁ ଜଣେ ବିଚାରପତିଙ୍କର ଗୁରୁତ୍ବପୂର୍ଣ୍ଣ ଗୁଣ ବୋଲି ଜଷ୍ଟିସ ରମଣା କହିଛନ୍ତି।

ସମ୍ବନ୍ଧିତ ଖବର