ଚୀନ୍‌ ଉପରେ ଚାପ ବଢ଼ିଲା, କୋଭିଡ୍ ଉତ୍ପତି ନେଇ ଆମେରିକାର ଖୋଳତାଡ଼

୩ ମାସରେ ରିପୋର୍ଟ ଦେବ ଗୁଇନ୍ଦା ବିଭାଗ

ୱାସିଂଟନ : କରୋନା ମହମାରୀରେ ସମଗ୍ର ବିଶ୍ବ ଛଟପଟ ହେଉଛି। ୨୦୧୯ ଡିସେମ୍ବରରେ ପ୍ରଥମେ ଚୀନର ଉହାନ ସହରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଏହାପରେ ସମଗ୍ର ବିଶ୍ବକୁ ବନାଗ୍ନି ଭଳି ବ୍ୟାପିଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ପ୍ରାୟ ୩୫ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କରୋନାର ପ୍ରକୃତ ଉତ୍ପତ୍ତି କେଉଁଠି ଏବଂ କେମିତି ହେଲା ତାହାର ଖୋଳତାଡ଼ ଆମେରିକା ଏବେ ଆରମ୍ଭ କରିଛି।

ଆମେରିକା ‌ରାଷ୍ଟ୍ରପତି ଜୋ ବାଇଡେନ ଏ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ୩ ମାସ ମଧ୍ୟରେ ଏହି ରିପୋର୍ଟ ଦେବା ପାଇଁ ବାଇଡେନ ଆମେରିକାର ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରୋଗ ଚୀନରେ କୌଣସି ପ୍ରାଣୀ ଠାରୁ କିମ୍ବା ପରୀକ୍ଷାଗାରରୁ ବାହାରିଛି ତାହାର ତଦନ୍ତ କରିବାକୁ ବାଇଡେନ କହିଛନ୍ତି। ଆମେରିକା ଗୁଇନ୍ଦା ଏଥିପାଇଁ ତାହାର ଉଦ୍ୟମକୁ ଦୁଇଗୁଣ କରିବ। ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରି ବି‌ଶ୍ଳେଷଣ କରିବା ପରେ ନିର୍ଣ୍ଣାୟକ ସିଦ୍ଧାନ୍ତର ନିକଟତର ଆମେରିକା ହୋଇପାରିବ ବୋଲି ବାଇଡେନ ଆଶା ରଖିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ ରାଷ୍ଟ୍ରପତି ବାଇଡେନଙ୍କ ଏ ସଂକ୍ରାନ୍ତ ବିବୃତି ଜାରି କରାଯାଇଛି।

Stadler Form

ଆମେରିକା ରାଷ୍ଟ୍ରପତିଙ୍କ କହିବାନୁଯାୟୀ, ଏଜେନ୍ସିଗୁଡ଼ିକ ଏବେ କରୋନାର ଦୁଇଟି ସମ୍ଭାବ୍ୟ କାରଣକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ତେବେ ଏହି ତଦନ୍ତରେ ଚୀନ୍ ଯେଭଳି ସଂପୂର୍ଣ୍ଣ ଭାବେ ସହଯୋଗ କରିବ ସେଥିପାଇଁ ତାହା ଉପରେ ଚାପ ପକାଇବା ପାଇଁ ଆମେରିକା ବିଶ୍ବର ଅନ୍ୟ ସମଭାବାପନ୍ନ ସହଯୋଗୀଙ୍କ ସହ ମିଶି କାର୍ଯ୍ୟ କରିବ। ଏହି ଅନ୍ତର୍ଜାତୀୟ ସ୍ତରର ତଦନ୍ତ ସ୍ବଚ୍ଛତା ଓ ପ୍ରମାଣ ଆଧାରରେ ସଂପୂର୍ଣ୍ଣ କରାଯିବ। ତେଣୁ ଚୀନକୁ ଏହି ତଦନ୍ତରେ ସବୁ ପ୍ରକାର ଆନୁଷଙ୍ଗିକ ତଥ୍ୟ ଏବଂ ପ୍ରମାଣ ଦାଖଲ କରିବାକୁ ପଡ଼ିବ। ଆମର ନିରୀକ୍ଷକମାନେ ଯଦି ବର୍ତ୍ତମାନ ଭଳି ପ୍ରାରମ୍ଭିକ ପର୍ଯ୍ୟାୟରେ ଭୂତାଣୁ ଉତ୍ପତ୍ତି ସ୍ଥଳର ମୂଳରେ ପହଞ୍ଚି ନପାରିବେ ତାହେଲେ କୋଭିଡ-୧୯ର ମୂଳ ଖୋଜି ବାହାର କରିବା ସବୁବେଳେ କଷ୍ଟକର ହୋଇପଡ଼ିବ ବୋଲି ବାଇଡେନ କହିଛନ୍ତି।

ଗୋଟିଏ ପଟେ କୋଭିଡ-୧୯ ମହମାରୀ ପାଇଁ ତାଙ୍କ ଦେଶ ଦାୟୀ ନୁହେଁ ବୋଲି ଚୀନ୍ କହିଆସୁଛି। ଅନ୍ୟପଟେ ଏହି ମହାମାରୀ ପାଇଁ ଚୀନ ହିଁ ଦାୟୀ ବୋଲି ଆମେରିକା ଦାବି କରିଆସୁଛି। ବିଶେଷକରି ଆମେରିକାର ରିପବ୍ଲିକାନ ଦଳର ସଦସ୍ୟମାନେ ଚୀନର ଲାବରେଟୋରିରୁ ଏହି ଭୂତାଣୁ ବ୍ୟାପିଛି ବୋଲି ମତ ଦେଇ ଆସୁଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ବାଇଡେନଙ୍କ ଉକ୍ତ ତଦନ୍ତ ନିର୍ଦ୍ଦେଶର ଗଭୀର ପ୍ରଭାବ ଉଭୟ ଆମେରିକା ଏବଂ ଚୀନ ପାଇଁ ରହିଛି। ବାଇଡେନ ଗତ ମାର୍ଚ୍ଚରେ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ସଂପର୍କରେ ଏକ ରିପୋର୍ଟ ମାଗିଥିଲେ। ତେବେ କୌଣସି ସଂକ୍ରମିତ ପ୍ରାଣୀ ସଂପର୍କରେ ମଣିଷ ଆସିବା ଦ୍ବାରା କିମ୍ବା ଲାବରେଟୋରି ଦୁର୍ଘଟଣାରୁ ତାହା ଜଣାଇବାକୁ ବାଇଡେନ ରିପୋର୍ଟ ମାଗିଥିଲେ। ବର୍ତ୍ତମାନ ସୁଦ୍ଧା ଆମେରିକାର ଗୁଇନ୍ଦା ଏହି ଦୁଇଟି ସମ୍ଭାବ୍ୟ କାରଣ ନେଇ କହୁଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କାରଣଟି କ’ଣ ତାହା ଜାଣିବାରେ ସକ୍ଷମ ହୋଇନାହାନ୍ତି।

ସମ୍ବନ୍ଧିତ ଖବର