କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍‌ଙ୍କ ଉପରେ ଚାପ

ଵାସିଂଟନ୍: ଆଗାମୀ ଜାନୁଆରିରେ ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ କାର୍ଯ୍ୟଭାର ସମ୍ଭାଳିବା ସମୟରେ ତାଙ୍କୁ ସୁବିଧାରେ କ୍ଷମତା ହସ୍ତାନ୍ତର ଲାଗି ତାଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଉପରେ ଚାପ ପଡ଼ିବା ଆରମ୍ଭ ହୋଇଛି। ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍‌ଙ୍କୁ ଔପଚାରିକ ଭାବେ ଗ୍ରହଣ କରିବା ଲାଗି ସାଧାରଣ ସେବା ପ୍ରଶାସନ ବିଭାଗର ଦାୟିତ୍ବ ରହିଛି ଏବଂ ଏଥି ସହିତ ମଧ୍ୟ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ଟ୍ରମ୍ପ୍‌ଙ୍କ ଦ୍ବାରା ନିଯୁକ୍ତ ଉକ୍ତ ବିଭାଗର ପ୍ରଶାସିକା ଏମିଲି ମର୍ଫି ଏ ଯାଏ ସେ ସଂକ୍ରାନ୍ତ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି କି କେବେ କରିବେ କିଛି ସୂଚନା ଦେଇନାହାନ୍ତି। ସୁତରାଂ ଏଯାଏ ବାଇଡେନ୍‌ଙ୍କ ବିଜୟକୁ ସ୍ବୀକାର କରିନଥିବା ଏବଂ ନିର୍ବାଚନକୁ ହଡ଼ପ କରିନିଆଯାଇଛି ବୋଲି ବିଭ୍ରାନ୍ତି ସୃଷ୍ଟି କରୁଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ ଡେମୋକ୍ରାଟ୍‌ମାନଙ୍କର କ୍ଷମତା ହାସଲରେ ବାଧା ଉପୁଜାଇବେ ବୋଲି ରହିଥିବା ଆଶଙ୍କା ବଳବତ୍ତର ହେବାରେ ଲାଗିଛି।

ତେବେ ଆଧୁନିକ ଯୁଗରେ ପରବର୍ତ୍ତୀ ଶାସକଙ୍କ ପାଇଁ ଏପରି ପ୍ରତିବନ୍ଧକ ସୃଷ୍ଟି କରିବାର କ୍ବଚିତ ନଜିର ରହିଛି। ଅପରପକ୍ଷେ, ମହାମାରୀ କୋଭିଡ୍‌ ଭିତରେ ଏପରି ଶାସନ ପରିବର୍ତ୍ତନ ଘଟୁଥିବାରୁ କ୍ଷମତା ହସ୍ତାନ୍ତରର ଗୁରୁତ୍ବ ବଢ଼ିଯାଇଛି। ଏଥିପାଇଁ ସରକାରଙ୍କର ବ୍ୟାପକ ସକ୍ରିୟତା ଲୋଡ଼ା ହେଉଛି। ବାଇଡେନ୍‌ଙ୍କ କ୍ଷମତା ହସ୍ତାନ୍ତର ସହଯୋଗୀ ଜେନ୍‌ ସାକିଙ୍କ କହିବାନୁସାରେ, ଆମେରିକୀୟମାନଙ୍କ ସାମୂହିକ ଇଚ୍ଛାକୁ ସରକାର ସ୍ପଷ୍ଟ ଏବଂ ସ୍ବଚ୍ଛ ଭାବେ ସମ୍ମାନ କରି ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରୁଛନ୍ତି ବୋଲି ସଂକେତ କରିବା ଉପରେ ହିଁ ଦେଶର ଜାତୀୟ ସୁରକ୍ଷା ଓ ଆର୍ଥିକ ସ୍ବାର୍ଥ ନିର୍ଭର କରେ। ସେହିପରି ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ପ୍ରକ୍ରିୟାର କେନ୍ଦ୍ରୀୟ ନିର୍ଦ୍ଦଳୀୟ ପରାମର୍ଶଦାତା କମିଟି ଏଥିପାଇଁ ଟ୍ରମ୍ପ୍‌ ପ୍ରଶାସନ ଉପରେ ଚାପ ପକାଇଛି। ନିର୍ବାଚନ ପର କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ଲାଗି କମିଟି ବାଧ୍ୟ କରିଛି ଏବଂ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ଆଇନ ଅନୁଯାୟୀ ବାଇଡେନ୍‌ଙ୍କ ଟିମ୍‌ ଏଥିରୁ ପୂର୍ଣ୍ଣ ସୁବିଧା ହାସଲ କରିବାର ବିଧି ରହିଛି।

ସମ୍ବନ୍ଧିତ ଖବର