ଯୁବବର୍ଗ ଏବଂ ମହିଳାମାନଙ୍କ ସ୍ବାର୍ଥପ୍ରତି ବିଶେଷ ଧ୍ୟାନ ଦେଇ କାର୍ଯ୍ୟ କରିବି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟନିର୍ବାହ କରିବା ବେଳେ ସମସ୍ତ ନାଗରିକ, ବିଶେଷକରି ଭାରତର ଯୁବବର୍ଗ ଏବଂ ମହିଳାମାନଙ୍କ ସ୍ବାର୍ଥପ୍ରତି ଧ୍ୟାନ ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ। ଆଜି ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ଶପଥ ଗ୍ରହଣ ପରେ ଶ୍ରୀମତୀ ମୁର୍ମୁ  ଦେଇଥିବା  ପ୍ରଥମ ଉଦ୍‌ବୋଧନରେ ଏହା କହିଛନ୍ତି।

ଭାରତର ପ୍ରଧାନବିଚାରପତି ଏନ ଭି ରମଣା ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁଙ୍କୁ ଶପଥପାଠ କରାଇବା ପରେ ସେ ନିଜର ପ୍ରଥମ ସମ୍ବୋଧନ ଉପସ୍ଥାପନ କରିଥିଲେ। ଉଦ୍‌ବୋଧନ ପ୍ରାରମ୍ଭରେ ରାଷ୍ଟ୍ରପତି ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଏବଂ ତାଙ୍କୁ ଭୋଟ୍‌ ଦେଇଥିବା ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ କୃତଜ୍ଞତା ଜଣାଇ ଥିଲେ।

ଏହି ଅବସରରେ ସେ  କହିଛନ୍ତି, ଆଶା, ଆକାଙ୍‌କ୍ଷା ଏବଂ ଭାରତର ନାଗରିକମାନଙ୍କର ଅଧିକାରର ସଙ୍କେତ ଏହି ପବିତ୍ର ସଂସଦରୁ ମୁଁ ଦେଶବାସୀଙ୍କୁ ସବିନୟ ଅଭିନନନ୍ଦନ ଜଣାଉଛି। ମୋର କାର୍ଯ୍ୟ ଓ ଦାୟିତ୍ବ ନିର୍ବାହ କରିବାରେ ଆପଣମାନଙ୍କର ଶ୍ରଦ୍ଧା, ବିଶ୍ବାସ ଓ ସମର୍ଥନ ହେବ ମୋର ସବୁଠୁ ବଡ଼ ସାମର୍ଥ୍ୟ।

ଦେଶର ରାଷ୍ଟ୍ରପତି ହେବା ମୋର ବ୍ୟକ୍ତିଗତ କୃତ୍ବିତ୍ବ ନୁହେଁ, ଭାରତର ସମସ୍ତ ନିର୍ଧନ ଜନତାଙ୍କର। ଭାରତର ନିର୍ଧନମାନେ କେବଳ ଆଶା କରନ୍ତି ନାହିଁ, ସେମାନଙ୍କର ଆଶା ପୂରଣ ମଧ୍ୟ କରିପାରନ୍ତି, ମୋର ପ୍ରାର୍ଥୀତ୍ବ ହେଉଛି ତା’ର ପ୍ରମାଣ।

ମୁଁ ହେଉଛି ଦେଶ ସ୍ବାଧୀନ ହେବା ପରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ନେତ୍ରୀ ଯିଏ ରାଷ୍ଟ୍ରପତି ଭାବେ ନିର୍ବାଚିତା ହୋଇଛି। କଲେଜ ଯିବାରେ ମୁଁ ହେଉଛି ଆମ ଗାଁ’ ପ୍ରଥମ ଛାତ୍ରୀ।

ସ୍ବାଧୀନ ଭାରତର ନାଗରିକମାନଙ୍କ ସହିତ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କର ଯେଉଁ ପ୍ରତ୍ୟାଶା ଥିଲା ତାହା ପୂରଣ କରିବା ଲାଗି ଆମେ ଆମ ଉଦ୍ୟମକୁ ତ୍ବରାନ୍ବିତ କରିବା ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

ସଂଯୋଗବଶତଃ ଦେଶ ସ୍ବାଧୀନତାର ୫୦ତମ ବାର୍ଷିକୀ ପାଳନ କରୁଥିବା ବେଳେ ମୋର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଆଜି ଦେଶ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ମୁଁ ନୂଆ ଦାୟିତ୍ବ ଗ୍ରହଣ କରୁଛି। ଭାରତ ଆଗାମୀ ୨୫ ବର୍ଷର ପରିକଳ୍ପନା ହାସଲ କରିବାକୁ ପ୍ରସ୍ତୁତି କରୁଥିବା ଏଭଳି ସ୍ମରଣୀୟ ସମୟରେ ନୂତନ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ।

Image Courtesy of Zee News

ଆସନ୍ତାକାଲି ‘କାର୍ଗିଲ୍‌ ବିଜୟ ଦିବସ’। ଏହି ଦିବସ ଭାରତୀୟ ସେନାର ଶୌର୍ଯ୍ୟ ଓ ଧୈର୍ଯ୍ୟର ପ୍ରତିଫଳନ କରୁଛି। ‘କାର୍ଗିଲ୍‌ ବିଜୟ ଦିବସ’ ଉପଳକ୍ଷେ ଦେଶର ସଶସ୍ତ୍ର ବାହିନୀ ଓ ଦେଶର ନାଗରିକମାନଙ୍କୁ ମୋର ଆଗୁଆ ଅଭିନନ୍ଦନ।

ମୁଁ ଆଦିବାସୀ ସମ୍ପ୍ରଦାୟ ହୋଇ ମଧ୍ୟ ଜଣେ ୱାର୍ଡ କାଉନ୍‌ସିଲର୍‌ରୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛି। ଏହା ହେଉଛି ଗଣତନ୍ତ୍ରର ଜନନୀ ଭାରତର ମହାନତା।

ଆଜି ମୁଁ ସମସ୍ତ ଦେଶବାସୀ, ବିଶେଷକରି ଭାରତର ଯୁବବର୍ଗ ଏବଂ ମହିଳାମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ, ଏହି ପଦବୀରେ ରହି କାର୍ଯ୍ୟ ନିର୍ବାହ କରିବା ବେଳେ ସେମାନଙ୍କ ସ୍ବାର୍ଥପ୍ରତି ଧ୍ୟାନ ଦେବା ହେବ ମୋର ପ୍ରଥମ କର୍ତ୍ତବ୍ୟ। ବିଶ୍ବ କଲ୍ୟାଣର ଉଚ୍ଛ୍ବାସ ସହିତ ମୁଁ ପୂର୍ଣ୍ଣ ବିଶ୍ବସ୍ତତା ଏବଂ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସଦାସର୍ବଦା ପ୍ରସ୍ତୁତ ରହିବି।

ସମ୍ବନ୍ଧିତ ଖବର