ଦରଦାମ ଆଲୋଚନା: ଭଲ ସ୍ଥିତିରେ ଅଛି ଭାରତ

କଞ୍ଚା ବାଇଗଣ ଖାଇଲେ ଟିଏମ୍‌ସି ସାଂସଦ

ନୂଆଦିଲ୍ଲୀ : କଂଗ୍ରେସର ୪ ଜଣ ଲୋକସଭା ସାଂସଦଙ୍କ ଉପରୁ ବାଚସ୍ପତି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହିତ ଦରବୃଦ୍ଧି ସଂପର୍କରେ ଆଲୋଚନା ପାଇଁ ସରକାର ରାଜି ହୋଇଛନ୍ତି। ଫଳରେ ଆଜି ଅପରାହ୍ଣରେ ଲୋକସଭାରେ ଦରବୃଦ୍ଧି ଉପରେ ଆଲୋଚନା ହୋଇଛି। ଆସନ୍ତାକାଲି ରାଜ୍ୟସଭାରେ ଏହା ଉପରେ ଆଲୋଚନା ହେବ। ସଂସଦରେ ଦୀର୍ଘ ୨ ସପ୍ତାହର ହୋହଲ୍ଲା ଏବଂ ହଟ୍ଟଗୋଳ ପରେ ବିରୋଧୀଙ୍କ ଦାବି ମୁତାବକ ଆଜି ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗରେ ବିତର୍କ ଆରମ୍ଭ ହୋଇଛି।
ଲୋକସଭାରେ ଦରବୃଦ୍ଧି ସଂପର୍କିତ ବିର୍ତକର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ମାନ୍ଦାବସ୍ଥା କିମ୍ବା ଦରବୃଦ୍ଧିଜନିତ ମାନ୍ଦାବସ୍ଥାରେ ପଡ଼ିବାର କୌଣସି ସମ୍ଭାବନା ନାହିଁ। ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଆମେରିକାରେ ଯାହା ବୈଷୟିକ ଦୃଷ୍ଟିରୁ ମାନ୍ଦାବସ୍ଥା କୁହାଯାଉଛି ଭାରତରେ ସେଭଳି ଅବସ୍ଥା ଦେଖାଦେବାର ନାହିଁ। ତେବେ ଅର୍ଥମନ୍ତ୍ରୀ ବକ୍ତବ୍ୟ ରଖିବା ସମୟରେ କଂଗ୍ରେସ ସାଂସଦମାନେ ପ୍ରତିବାଦ କରିବା ସହିତ କକ୍ଷତ୍ୟାଗ କରିଛନ୍ତି। ସରକାରଙ୍କ ପଦକ୍ଷେପ ଫଳରେ ଦେଶରେ ଖାଇବା ତେଲ ଦାମ ବହୁମାତ୍ରାରେ ହ୍ରାସ ପାଇଛି। ବ୍ୟାଙ୍କଗୁଡ଼ିକର ମୋଟ ଏନପିଏ ବା ଅନାଦାୟ ଋଣ ୬ ବର୍ଷର ନିମ୍ନ ସ୍ତର ୫.୯ ପ୍ରତିଶତରେ ରହିଛି। ଭାରତର ଋଣ ଓ ଜିଡିପି ଅନୁପାତ ୫୬.୨୧ ପ୍ରତିଶତ ରହିଛି। ଅନେକ ଦେଶ ତୁଳନାରେ ଭାରତର ଋଣ ଓ ଜିଡିପି ଅନୁପାତ ଭଲ ରହିଛି। ଜୁଲାଇ ମାସରେ ଅର୍ଥ ବିଭାଗ ଦ୍ବିତୀୟ ସର୍ବାଧିକ ଜିଏସଟି ଆଦାୟ କରିଛି। ଗତ ୫ ମାସ ହେଲା ଦେଶରେ ଜିଏସଟି ଆଦାୟ ୧.୪ ଲକ୍ଷ କୋଟି ଟଙ୍କା ରହିଛି। କରୋନା ସଂକଟ ସତ୍ତ୍ବେ ଦେଶର ମୁଦ୍ରାସ୍ଫୀତି ୭ ପ୍ରତିଶତ କିମ୍ବା ତା ଠାରୁ ତଳେ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସୀତାରମଣ ଗୃହରେ ବକ୍ତବ୍ୟ ରଖିବା ପୂର୍ବରୁ ଅନ୍ୟ ସାଂସଦମାନେ ଆଲୋଚନା କରି‌ଥିଲେ। ଏଆଇଏମ୍‌ଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସୀ ଦରବୃଦ୍ଧିକୁ ଦୁର୍ନୀତି ସହ ତୁଳନା କରିଛନ୍ତି। ଦରବୃଦ୍ଧି ଓ ଜିଏସଟି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି। ଆଜି ଦିନରେ ରାଜ୍ୟସଭାରେ ଇଣ୍ଡିଆନ ଆଣ୍ଟାର୍କଟିକ ବିଲ୍‌ ୨୦୨୨ ଏବଂ ଗଣ ବିଧ୍ବଂସୀ ଅସ୍ତ୍ର ଏବଂ ସେମାନଙ୍କ ବିତରଣ ବ୍ୟବସ୍ଥା (ବେଆଇନ କାର୍ଯ୍ୟକଳାପ ନିଷେଧ) ସଂଶୋଧନ ବିଲ୍‌-୨୦୨୨ ଗୃହୀତ ହୋଇଛି। ୨ଟି ବିଲ୍‌ ଗୃହୀତ‌ ହେବାପରେ ଗୃହକୁ ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଅନ୍ୟପକ୍ଷେ ସେଣ୍ଟ୍ରାଲ ୟୁନିଭର୍ସିଟିଜ (ଆମେଣ୍ଟମେଣ୍ଟ୍‌) ବିଲ୍‌ ୨୦୨୨ ଆଜି ଲୋକସଭାରେ ଆଗତ ହୋଇଛି। ବାଚସ୍ପତି ଆଜି ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପୂର୍ବରୁ ଏକ ସର୍ବଦଳୀୟ ବୈଠକ କରିଥିଲେ। କିନ୍ତୁ ଦରବୃଦ୍ଧି ପ୍ରସଙ୍ଗ‌ରେ ଆଲୋଚନା ହେବା ପୂର୍ବରୁ ଆଜି ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗରେ ସାଂସଦମାନେ ହୋହଲ୍ଲା ଏବଂ ହଟ୍ଟଗୋଳ କରିଥିଲେ।

ଦରବୃଦ୍ଧିଜନିତ ମାନ୍ଦାବସ୍ଥା ହେବନି: ନିର୍ମଳା
କକ୍ଷତ୍ୟାଗ କଲେ କଂଗ୍ରେସ ସାଂସଦ
ରାଜ୍ୟସଭାର ୪୦ ଘଣ୍ଟା ସମୟ ବରବାଦ୍‌

ଇତି ମଧ୍ୟ‌ରେ ଆଜି ଟିଏମ୍‌ସି ସାଂସଦମାନେ ଗୃହରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଦାବି କରି ସଂସଦ ଭବନ ପରିସରରେ ଆନ୍ଦୋଳନ କରିଛନ୍ତି। ଶିବସେନା ନେତା ସଂଜୟ ରାଉତଙ୍କ ଗିରଫକୁ ବିରୋଧ କରି ଆଜି ରାଜ୍ୟସଭାରେ ପ୍ରବଳ ହୋହଲ୍ଲା ହେବାରୁ ଗୃହକାର୍ଯ୍ୟ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ମୋଟ୍‌ ୧୦ଟି କାର୍ଯ୍ୟ ଦିବସରେ ୪୦ ଘଣ୍ଟାରୁ ଅଧିକ ସମୟ ବରବାଦ ହୋଇଯାଇଛି। ୧୦ କାର୍ଯ୍ୟ ଦିବସରେ ମୋଟ୍‌ ୫୧ ଘଣ୍ଟା ୩୫ ମିନିଟ୍‌ରୁ ୪୦ ଘଣ୍ଟା ୪୫ ମିନିଟ୍‌ ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁଁ ଧୋଇ ଯାଇଛି ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଛି।

ନୂଆଦିଲ୍ଲୀ : ସଂସଦରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଟିଏମ୍‌ସି ସାଂସଦ ଆଜି ସଂସଦକୁ କଞ୍ଚା ବାଇଗଣ ଆଣି ଆସିଥିଲେ ଏବଂ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ସମୟରେ ସେ ଏହି କଞ୍ଚା ବାଇଗଣରୁ ଖଣ୍ଡେ ଚୋବାଇ ଦରବୃଦ୍ଧି ସମସ୍ୟା ସଂକ୍ରାନ୍ତରେ କହିଥିଲେ। ଟିଏମ୍‌ସି ସାଂସଦ କାକଳୀ ଘୋଷ ଦଷ୍ଟିଦାର ଆଜି ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହେବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଏହି ସମାନ ସମୟରେ ସେ କହିଥିଲେ, ସରକାର କ’ଣ ଆମକୁ କଞ୍ଚା ପନିପରିବା ଖାଇବାକୁ ଚାହୁଛନ୍ତି। ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର ଯେଉଁଭଳି ଭାବେ ବଢ଼ୁଛି ଏହାଦ୍ବାରା ଲୋକମାନେ ଦିନେ ପନିପରିବା ନରାନ୍ଧି ଏହାକୁ କଞ୍ଚା ଖାଇବେ। ଏଭଳି ମନ୍ତବ୍ୟ ରଖିବା ସମୟରେ କାକଳୀ ନିଜେ ହାତରେ ଧରିଥିବା କଞ୍ଚା ବାଇଗଣରୁ ଖଣ୍ଡେ କାମୁଡ଼ିବା ଦେଖିବାକୁ ମିଳିଛି। ଗ୍ୟାସ ଦର କମାଇବାପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର