ଟ୍ୟାକ୍ସକୁ ଛାଡ଼ି କୋଭିସିଲ୍ଡ ବୁଷ୍ଟର ଡୋଜର ମୂଲ୍ୟ ହେବ ୬୦୦ ଟଙ୍କା: ଅଦାର ପୁନାୱାଲା

ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ। ଆଜି ଅପରାହ୍ନରେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। କୋଭିଡ-୧୯ ବିରୋଧରେ ସତର୍କତାମୂଳକ ଟିକାକରଣ ବର୍ତ୍ତମାନ ଏପ୍ରିଲ ୧୦ ତାରିଖରୁ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଗୋଷ୍ଠୀକୁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ବୁଷ୍ଟର ଡୋଜ ନେଇ ସରକାରଙ୍କ ଘୋଷଣା ପରେ ଏବେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା ବୁଷ୍ଟର ଡୋଜର ମୂଲ୍ୟ ବିଷୟରେ କହିଛନ୍ତି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କୋଭିସିଲ୍ଡ ବୁଷ୍ଟର୍ ଡୋଜର ମୂଲ୍ୟ ୬୦୦ ଟଙ୍କା ହେବ ଏବଂ ଟ୍ୟାକ୍ସ ମିଶିବା ପରେ ଏହାର ଦାମ୍ ଟିକେ ଅଧିକ ରହିବ। ଏହା ସହ କୋଭଭାକ୍ସକୁ ବୁଷ୍ଟର୍ ଡୋଜ୍ ଭାବରେ ସ୍ୱୀକୃତି ମିଳିବା ପରେ ଏହାର ଦାମ୍ ୯୦୦ ଟଙ୍କା ରହିବା ସହ ଟ୍ୟାକ୍ସ ଦେବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ସତର୍କତାମୂଳକ ଏହି କୋଭିଡ ଟିକା ଡୋଜକୁ ବୁଷ୍ଟର ଡୋଜ୍‌ କୁହାଯାଉଛି। ଭାରତ ଅଳ୍ପ କିଛି ଦେଶ ମଧ୍ୟରୁ ଗୋଟିଏ ଯାହା ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କ ପାଇଁ ବୁଷ୍ଟର କୋଭିଡ ଟିକା ଦେଇନାହିଁ। ବୟସ ନିର୍ବିଶେଷରେ କେବଳ ଆଗଧାଡିର କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ବୁଷ୍ଟର ଡୋଜ୍‌ ନେବା ପାଇଁ ଅନୁମତି ଦେଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବଂ ଭାଇରୋଲୋଜିଷ୍ଟମାନେ କୋଭିଡ ଜନିତ ମୃତ୍ୟୁ ଏବଂ କୋଭିଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଜଟିଳତା ହ୍ରାସ କରିବା ପାଇଁ ବୁଷ୍ଟର ଡୋଜ୍‌ ସୁପାରିଶ କରିଛନ୍ତି। ବିଶ୍ୱର ଅନେକ ଦେଶ ଇତିମଧ୍ୟରେ କୋଭିଡ ଟିକାର ଚତୁର୍ଥ ଡୋଜ୍‌ ଦେବା ଆରମ୍ଭ କରିଛନ୍ତି। କାରଣ କୋଭିଡ ଟିକାର କାର୍ଯ୍ୟକାରିତା ସାଧାରଣତଃ ଚାରିରୁ ଛଅ ମାସ ମଧ୍ୟରେ ରହିଥାଏ।

ସମ୍ବନ୍ଧିତ ଖବର