ନୂଆଦିଲ୍ଲୀ : ସରକାରୀ ତେଲ କମ୍ପାନିଗୁଡ଼ିକ ଆଜି ଘରୋଇ ଏଲ୍ପିଜି ଦାମ୍ରେ ୫୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍ପିଜି ଦାମ୍ ଦେଶର ଅନେକ ସ୍ଥାନରେ ହଜାରେ ଟଙ୍କା ଟପିଯାଇଛି। ଭୁବନେଶ୍ବରରେ ଏଲ୍ପିଜି ଦାମ ୧୦୨୬ ଟଙ୍କାରେ ପହଞ୍ଚିଯାଇଛି। ଦିଲ୍ଲୀ ଓ ମୁମ୍ବାଇରେ ଘରୋଇ ଏଲ୍ପିଜି ଦାମ ୯୯୯ ଟଙ୍କା ୫୦ରେ, କୋଲକାତାରେ ୧୦୨୬ ଟଙ୍କାରେ, ଚେନ୍ନାଇରେ ୧୦୧୫ ଟଙ୍କା ୫୦ରେ ପହଞ୍ଚିଛି। ସେହିଭଳି କଟକରେ ଏଲପିଜି ଦାମ ୧୦୨୬ ଟଙ୍କା ୫୦ରେ, ସମ୍ବଲପୁରରେ ୧୦୬୧ ଟଙ୍କା, ବାଲେଶ୍ବରରେ ୧୦୪୨ ଟଙ୍କା, ବ୍ରହ୍ମପୁରରେ ୧୦୪୭ ଟଙ୍କା, ଜୟପୁରରେ ୧୦୨୮ ଟଙ୍କା, ରାଉରକେଲାରେ ୧୦୫୯ ଟଙ୍କା ଏବଂ ବାଲେଶ୍ବରରେ ୧୦୨୭ ଟଙ୍କାରେ ପହଞ୍ଚିଛି।
ଗତ ବର୍ଷକ ମଧ୍ୟରେ ଘରୋଇ ଏଲ୍ପିଜି ଦାମ୍ ପାଖାପାଖି ୨୦୦ ଟଙ୍କା ମହଙ୍ଗା ହୋଇଯାଇଛି। ଗତ ମାର୍ଚ୍ଚ ୨୨ ତାରିଖରେ ମଧ୍ୟ ଘରୋଇ ଏଲ୍ପିଜି ଦାମ୍ ୫୦ ଟଙ୍କା ବଢ଼ାଇଥିଲେ। ତେଣୁ ଗତ ଦେଢ଼ମାସ ମଧ୍ୟରେ ଘରୋଇ ଏଲ୍ପିଜି ଦର ୧୦୦ ଟଙ୍କା ବଢ଼ିଯାଇଛି।ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦୀର୍ଘଦିନ ହେଲା ୧୦୦ ଟଙ୍କା ଉପରେ ରହିଛି। ଏଭଳି ସ୍ଥିତିରେ ଏଲପିଜି ସମେତ ଅନ୍ୟାନ୍ୟ ଗ୍ୟାସର ଦରବୃଦ୍ଧି ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।