ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ତଥା ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ’କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା ଦେଖିବାକୁ ମିଳିଛି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଳଚ୍ଚିତ୍ର ଆସନ୍ତାକାଲି ରିଲିଜ୍ ହେଉଥିବା ବେଳେ ଏହାକୁ ନେଇ ଏଭଳି ହିଂସ୍ର ପ୍ରତିବାଦ ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଫିଲ୍ମ ମୁକ୍ତିଲାଭର ଅବ୍ୟବହିତ ପୂର୍ବରୁ ଆଜି ରାଜପୁତ କର୍ଣ୍ଣିସେନାର ସଦସ୍ୟମାନେ ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଏହି ରାଜ୍ୟମାନଙ୍କରେ ୫୦ରୁ ଅଧିକ ସ୍ଥାନରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଛି ଏବଂ କର୍ଣ୍ଣିସେନାର ଶତାଧିକ ସମର୍ଥକଙ୍କୁ ପୁଲିସ ଅଟକ ରଖିଛି । ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେବାପରେ ବିଭିନ୍ନ ସ୍ଥାନରେ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଛି। କର୍ଣ୍ଣିସେନା ସମର୍ଥକମାନେ ଶତାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ସାଧାରଣ ଜନତାଙ୍କୁ ମଧ୍ୟ ଅନେକ ସ୍ଥାନରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଆଜି ୫୦ରୁ ଅଧିକ ସିନେମା ହଲ୍ରେ ଭଙ୍ଗାରୁଜା ହୋଇଥିବାରୁ ହଲ୍ ମାଲିକମାନେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଆଜି କର୍ଣ୍ଣିସେନା ଦେଶବ୍ୟାପୀ ବିଭିନ୍ନ ସାମାଜିକ ସଂଗଠନକୁ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛି ଏବଂ କୌଣସି ସ୍ଥାନରେ ବି ଚଳଚ୍ଚିତ୍ରର ମୁକ୍ତିଲାଭ କରାଇ ନଦେବାକୁ ଧମକ ଦେଇଛି ।
ରାଜସ୍ଥାନରେ ବିତରକମାନେ ପଦ୍ମାବତ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଭୟରେ ମନା କରିଦେଇଛନ୍ତି। ହରିୟାଣା ଏବଂ ଗୁଜରାଟରେ ମଧ୍ୟ ଚଳଚ୍ଚିତ୍ର ବିତରକ ସଂସ୍ଥାମାନେ ପଦ୍ମାବତକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଶତାଧିକ ସିନେମା ହଲ୍ ମାଲିକ ପଦ୍ମାବତୀ ପ୍ରଦର୍ଶନ କରିବେ ନାହିଁ ବୋଲି ଆଗୁଆ ଜଣାଇ ଦେଇଛନ୍ତି। ଦିଲ୍ଲୀ-ଜୟପୁର ରାଜପଥରେ ଆଜି କର୍ଣ୍ଣିସନୋର ଅବରୋଧ ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପାଶ୍ୱରେ ହଜାର ହଜାର ଯାନବାହନ ଅଟକି ରହିଥିଲା। ଚିତ୍ତୋର ଦୁର୍ଗ ଆଜି ଦ୍ୱିତୀୟ ଦିନ ପାଇଁ ବନ୍ଦ ରଖାଯାଇଥିଲା ଏବଂ ସେଠାରେ ରାଜପୁତ ମହିଳାଙ୍କ ସମାବେଶରେ ପଦ୍ମାବତକୁ ଯେ କୌଣସି ମୂଲ୍ୟ ଦେଇ ବିରୋଧ କରାଯିବ ବୋଲି ଘୋଷଣା କରାଯାଇଛି । ହରିୟାଣାରେ ହିଂସାକାରୀମାନେ ସୋହନାରେ ଏକ ବସ୍ ଜାଳିଦେଇଛନ୍ତି। ସିନେମା ହଲ୍ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିବା ଖବର ମିଳିଛି । ଗୁରୁଗ୍ରାମରେ କ୍ଲବ୍ ଏବଂ ବାର୍ଗୁଡ଼ିକ ଆଜି ସନ୍ଧ୍ୟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।/sambad/media/post_attachments/wp-content/uploads/2018/01/1115-1-300x249.jpg)
ଉତ୍ତର ପ୍ରଦେଶରେ ମଧ୍ୟ ପ୍ରତିବାଦ ଜୋର୍ଦାର ହୋଇଛି। ଲକ୍ଷ୍ନୌରେ କର୍ଣ୍ଣିସେନା ବିଭିନ୍ନ ସିନେମା ହଲ୍୍କୁ ଯାଇ ପଦ୍ମାବତ ନ ଦେଖାଇବାକୁ ଧମକ ଦେଇଛନ୍ତି। ମୁଜାଫରନଗର ଏବଂ କାନପୁରରେ ୬ଟି ସ୍ଥାନରେ କର୍ଣ୍ଣିସେନା ସମର୍ଥକମାନେ ହିଂସା ଭିଆଇଛନ୍ତି। କର୍ଣ୍ଣିସେନା ମୁଖ୍ୟ ଲୋକେନ୍ଦ୍ର ସିଂହ କଲଭି କହିଛନ୍ତି ଆସନ୍ତାକାଲି କୌଣସି ସ୍ଥିତିରେ ବି ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ ହେବାକୁ ଦିଆଯିବ ନାହିଁ। ଅହମଦାବାଦରେ ଉଗ୍ର ପ୍ରଦର୍ଶନକାରୀମାନେ ୪୦ରୁ ଅଧିକ ବାଇକ୍ ଓ ଅନେକ ଟ୍ରକ୍ରେ ନିଆଁ ଲଗାଇ ଦେଇଥିବା ବେଳେ ବିଭିନ୍ନ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ କରିଛନ୍ତି। ୫୦ରୁ ଅଧିକ ଦୋକାନରେ ଭଙ୍ଗାରୁଜା କରିବା ସହ ଏକ ସପିଂ ମଲ୍ରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ସେଠାରେ ପରିସ୍ଥିତିକୁ ବହୁ କଷ୍ଟରେ ନିୟନ୍ତ୍ରଣ କରାଯାଇଥିବା ବେଳେ କେତେବେଳେ କିଭଳି ସ୍ଥିତି ହେବ କହିହେଉନାହିଁ। ଫିଲ୍ମଟିର ରିଲିଜ୍ ବନ୍ଦ କରିବା ପାଇଁ କୌଣସି ରାଜ୍ୟର ଅଧିକାର ନାହିଁ ଏବଂ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାରମାନଙ୍କର ବୋଲି ଗତକାଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଥିଲେ ମଧ୍ୟ ମାମଲା ଅନିୟନ୍ତ୍ରିତ ହୋଇପଡ଼ିଛି। ହିଂସା ବ୍ୟାପକ ହେଉଥିବାରୁ ଏହି ଚଳଚ୍ଚିତ୍ରର ଭବିଷ୍ୟତ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି। ଗତ ୧୮ ତାରିଖରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବାକୁ ସୋମବାର ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର କରିଥିବା ଆବେଦନକୁ ମଧ୍ୟ ଗତକାଲି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ।
ହିଂସ୍ର ଆନ୍ଦୋଳନକାରୀ ମଲ୍ ଜାଳିଦେଲେ
ଶତାଧିକ ଗାଡ଼ି ପୋଡ଼ି, ଯାତ୍ରୀଙ୍କୁ ଆକ୍ରମଣ
ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ
ସ୍କୁଲ୍ ବସ୍ ଭଙ୍ଗାରୁଜା, ଛାତ୍ରଛାତ୍ରୀ ଆତଙ୍କିତ
ପଦ୍ମାବତୀ ଚଳଚ୍ଚିତ୍ରକୁ ବିରୋଧ କରି କର୍ଣ୍ଣିସେନା ଚଳାଇଥିବା ହିଂସାତ୍ମକ ଆନ୍ଦୋଳନରୁ ଛାତ୍ରଛାତ୍ରୀ ମଧ୍ୟ ବାଦ ପଡ଼ିନାହାନ୍ତି। ଆଜି ଗୁରୁଗ୍ରାମରେ ଆନ୍ଦୋଳନକାରୀମାନେ ଏକ ଘରୋଇ ସ୍କୁଲ୍ ବସ୍ରେ ଭଙ୍ଗାରୁଜା କରିଥିଲେ। ବସ୍ ଭିତରେ ଥିବା ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରକ୍ଷା ପାଇବାକୁ ହାମୁଡ଼େଇ ରହିଥିବା ଭିଡିଓ ଭାଇରାଲ ହୋଇଛି। ଜିଡି ଗୋଏଙ୍କା ଓ୍ଵାର୍ଲ୍ଡ ସ୍କୁଲ୍ର ବସ୍୍ଟି ଏକ ବସ୍ ଷ୍ଟପ୍ ନିକଟରେ ଅଟକି ଥିବା ବେଳେ କର୍ଣ୍ଣିସେନାର ୫୦ରୁ ଅଧିକ ସମର୍ଥକ ବସ୍ଟିକୁ ଘେରିଯାଇ ପ୍ରବଳ ପଥର ମାଡ଼ କରିଥିଲେ। ଘଟଣାବେଳେ ବସ୍ ଭିତରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଥିବା ଜଣପଡ଼ିଛି। ପିଲାମାନେ ପ୍ରାଣ ବିକଳରେ ସିଟ୍ ତଳେ ପଶି ନିଜକୁ ରକ୍ଷା କରିଥିଲେ। ଏହି ଘଟଣା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/busBurntANI.jpg)