ରାଜସ୍ଥାନରେ ବର୍ବର କାଣ୍ଡ : ସମ୍ପତ୍ତି ବିବାଦ ପାଇଁ ମନ୍ଦିର ପୁରୋହିତଙ୍କୁ ଜିଅନ୍ତା ଜାଳିଦେଲେ

ଜୟପୁର : ରାଜସ୍ଥାନରର କରୌଲି ଜିଲ୍ଲା ସ୍ଥିତ ସପୋତ୍ରା ଥାନା ଅଂଚଳର ଜଣେ ମନ୍ଦିର ପୂରୋହିତଙ୍କୁ ସମ୍ପତ୍ତି ବିବାଦ ପାଇଁ ଜିଅନ୍ତା ଜାଳି ଦିଆଯାଇଛି। ଗତ ବୁଧବାର ସକାଳେ ଏହି ବର୍ବର କାଣ୍ଡ ଘଟିଥିଲା। ଆକ୍ରମଣର ଶିକାର ହୋଇଥିବା ମନ୍ଦିର ପୁରୋହିତଙ୍କ ନାମ ବାବୁଲାଲ୍‌ ବୈଷ୍ଣବ। ଗୁରୁତର ଅବସ୍ଥାରେ ସେ ଜୟପୁର ଏସ୍‌ଏମ୍ଏସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। କରୌଲି ଜିଲ୍ଲା ଅଧୀନସ୍ଥ ବୁକ୍‌ନା ଗ୍ରାମରେ ଥିବା ରାଧା ଗୋପାଳ ମନ୍ଦିରରେ ବୈଷ୍ଣବ ପୂରୋହିତ ଭାବେ ପୂକା କାର୍ଯ୍ୟ ସମ୍ପାଦନ କରୁଥିଲେ। ତେବେ ଯେଉଁ ମନ୍ଦିରରେ ସେ ପୂଜା କରୁଥିଲେ ସେହି ମନ୍ଦିର ସମ୍ପତ୍ତି ପାଇଁ ହିଁ ତାଙ୍କ ଜୀବନ ଚାଲିଯାଇଛି।

କରୌଲି ଏସ୍‌ପି ମ୍ରିଦୁଳ କଚୱା କହିଛନ୍ତି, ସମ୍ପତ୍ତି ବିବାଦ ପାଇଁ ଏଭଳି ଏକ ବଡ଼ ଅଘଟଣ ଘଟିଛି। ପୁରୋହିତ ବୈଷ୍ଣବ ମୃତ୍ୟୁ ପୂର୍ବରୁ ତାଙ୍କ ସହ କ’ଣ ଘଟିଥିଲା ତାହା ସବୁ ପୁଲିସକୁ କହିଛନ୍ତି। ବୈଷ୍ଣବଙ୍କ କହିବା ଅନୁଯାୟୀ ଅଭିଯୁକ୍ତ କୈଳାସ ମୀନା ତାଙ୍କ ଉପରକୁ ପେ‌ଟ୍ରୋଲ୍‌ ଫୋପାଡ଼ି ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ମାମଲାରେ ମୀନାଙ୍କ ସମେତ ମୋଟ୍‌ ୬ ଜଣଙ୍କ ନାମ ସେ କହିଛନ୍ତି। ବୈଷ୍ଣବଙ୍କ ବୟାନ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାପାଇଁ ଏକ ଟିମ୍‌ ଗଠନ କରିଛି ବୋଲି ଏସ୍‌ପି କହିଛନ୍ତି। ଅନ୍ୟପ‌କ୍ଷେ ପୂରୋହିତ ବୈ‌ଷ୍ଣବ ନିଜେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ବୋଲି କୁହାଯାଉଥିଲେ ସୁଦ୍ଧା ପୁଲିସ ପୂରୋହିତଙ୍କ ବୟାନକୁ ଗ୍ରହଣ କରିଛି। ଏହି ମାମଲାରେ ଅଭିଯୁକ୍ତ ବିରୋଧରେ ଧାରା ୩୦୨ ଅଧୀନରେ ଏକ ମାମଲା ରୁଜୁ କରିଛି।

ମିଳିଥିବା ସୂଚନାନୁଯାୟୀ ପୂରୋହିତ ବୈଷ୍ଣବଙ୍କର ୫.୨ ଏକର ଜମି ଅଛି। ଏହି ଜମି ରାଧା କୃଷ୍ଣ ମନ୍ଦିର ଟ୍ରଷ୍ଟ୍‌ର। ବୈଷ୍ଣବ ଏବଂ ତାଙ୍କ ପରିବାର ଏହି ଜମିରେ ଚାଷ କରୁଥିଲେ। ଏଭଳି ଜମିକୁ ମନ୍ଦିର ମାଫି କୁହାଯାଏ। ଗାଁ ମନ୍ଦିରରେ ଭଗବାନଙ୍କ ସେବାରେ ନିୟୋଜିତ ହୋଇଥିବା ପୁରୋହିତଙ୍କୁ ରୋଜଗାରର ଉତ୍ସ ଭାବେ ଏହି ଜମି ଦିଆଯାଇଥାଏ। କିନ୍ତୁ କ‌ରୌଲିରେ ଏହି ଜମିକୁ ନେଇ ବିବାଦ ହୋଇଛି। ବାବୁଲାଲ୍‌ ବୈଷ୍ଣବ ଉକ୍ତ ଜମି ନିକଟରେ ଥିବା ଏକ ଜାଗାରେ ନିଜ ପାଇଁ ଏକ ଘର ନିର୍ମାଣ କରିବାକୁ ଚାହିଥିଲେ। କିନ୍ତୁ ମୀନା ସମ୍ପ୍ରଦାୟର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଏହା ସେମାନଙ୍କ ଜମି ବୋଲି କହିଥିଲେ। ଶେଷରେ ମାମଲାକୁ ଗାଁର ବରିଷ୍ଠମାନଙ୍କ ପାଖକୁ ନିଆଯାଇଥିଲା। ରାୟ ପୂରୋହିତଙ୍କ ସପକ୍ଷରେ ହିଁ ଆସିଥିଲା। ଏହା ପରେ ପୁରୋହିତ ଜମିରେ ଅମଳ କରିଥିବା ନିଜ ଶସ୍ୟକୁ ଥୋଇ ଜମିର ମାଲିକାନା ଦେଖାଇବାକୁ ଚେ‌ଷ୍ଟା କରିଥିଲେ। ଅନ୍ୟପକ୍ଷେ ଅଭିଯୁକ୍ତ କୈଳାଶ ମୀନା ଏହି ଜମିରେ ନିଜର ଏକ ଚାଳିଆ ଘର ତିଆରି ଆରମ୍ଭ କରିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଅଭିଯୁକ୍ତମାନେ ବୈଷ୍ଣବଙ୍କ ଶସ୍ୟରେ ପେ‌ଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେବା ସହ ତାଙ୍କ ଶରୀ‌ରରେ ମଧ୍ୟ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର