ମସ୍କୋ : ମସ୍କୋ ଦଖଲ ପାଇଁ ଏକ ଅସଫଳ ଉଦ୍ୟମ କରି ପଛକୁ ହଟିବା ପରେ ବେସରକାରୀ ସେନା ୱାଗନର ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ତାଙ୍କ ସୈନ୍ୟମାନେ ରୁଷରେ କ୍ଷମତା ପରିବର୍ତ୍ତନ ପାଇଁ ଅଭିଯାନ କରିନଥିଲେ ।
ଟେଲିଗ୍ରାମ ଆପରେ ପୋଷ୍ଟ ହୋଇଥିବା ୧୧ ମିନିଟର ନୂଆ ଅଡିଓରେ ଓ୍ଵାଗନର ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍ କହିଛନ୍ତି, ୟୁକ୍ରେନରେ ସେମାନଙ୍କ ପ୍ରତି ହେଉଥିବା ଆଚରଣକୁ ବିରୋଧ କରିବାକୁ ଏହା କରାଯାଇଥିଲା । ତେବେ ଏହି ଅଡିଓରେ ସେ ବର୍ତ୍ତମାନ କେଉଁଠି ଅଛନ୍ତି କିମ୍ବା ତାଙ୍କ ଭବିଷ୍ୟତ ଯୋଜନା କ'ଣ ତାହା କହିନାହାନ୍ତି।
ଶନିବାର ଦିନ ସେ ଋଷର ରାଜଧାନୀ ମସ୍କୋ ଅଭିମୁଖେ ଯାତ୍ରା କରୁଥିବା ତାଙ୍କ ସୈନ୍ୟମାନଙ୍କୁ ପଛକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ତାଙ୍କର ଠିକଣା ଏବେ ଗୋପନ ରହିଛି । ରୁଷ୍ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଥିବା ବେଳେ କୁହାଯାଉଛି ଯେ ପ୍ରିଗୋଜିନ୍ ର ଲୋକମାନେ ମସ୍କୋଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଥିଲେ। ରକ୍ତପାତ ଏଡ଼ାଇବା ପାଇଁ ସେ ଫେରିବାକୁ ନିଷ୍ପତ୍ତି ନେଇଥିବା ପ୍ରିଗୋଜିନ୍ କହିଛନ୍ତି। ବେଲାରୁସ୍ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋଙ୍କ ସହାୟତାରେ କ୍ରେମଲିନ୍ ଓ୍ବାଗନର ଗ୍ରୁପ ସହ ବୁଝାମଣା କରିବାରେ ସଫଳ ହୋଇଥିଲା।