ନୂଆଦିଲ୍ଲୀ: ପଡ଼ୋଶୀ ଭାରତ ସହିତ ଆମେରିକା ଭଳି ଦେଶ ସହିତ ଚୀନର ଭଲ ସଂପର୍କ ନାହିଁ। ଭାରତ ସୀମାରେ ଦୁଇ ଦେଶର ଯବାନ ମଝିରେ ମଝିରେ ମୁହାଁମୁହିଁ ହେଉଛନ୍ତି। ଏଥିସହିତ ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ସହିତ ଚୀନର ସଂପର୍କ ଆହୁରି ଖରାପ ଗତ କିଛି ମାସ ମଧ୍ୟରେ ହୋଇଛି। ଏଭଳି ସ୍ଥିତିରେ ଯୁଦ୍ଧ ପ୍ରସ୍ତୁତି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ ସେନା ବାହିନୀକୁ ଆହ୍ବାନ ଦେଇଛନ୍ତି। ଚଳିତବର୍ଷ ଚୀନ ଏହାର ପ୍ରତିରକ୍ଷା ବ୍ୟୟରେ ୭.୨ ପ୍ରତିଶତ ବୃଦ୍ଧି କରିବ। ସଂସଦକୁ ଉଦ୍ବୋଧନ ଦେବା ସମୟରେ ଲି କହିଛନ୍ତି କୌଣସି ପ୍ରମୁଖ କାର୍ଯ୍ୟ ସଂପାଦନ ପାଇଁ ସାମରିକ କାର୍ଯ୍ୟ, ଦକ୍ଷତା ବିକାଶ ଏବଂ ଯୁଦ୍ଧ ପ୍ରସ୍ତୁତି ମଧ୍ୟରେ ଉତ୍ତମ ସମନ୍ବୟ ରଖାଯିବାର ଆବଶ୍ୟକତା ରହିଛି। ଚୀନ ସେନା (ପିପୁଲ୍ସ ଲିବରେସନ ଆର୍ମି)ର ୧୦୦ ବର୍ଷ ପୂର୍ତ୍ତି ୨୦୨୭ରେ ହେବ। ଏଥିପାଇଁ ଚୀନ ସେନା ଅନେକ ଅସ୍ତ୍ରଶସ୍ତ୍ର ସେନାରେ ସାମିଲ କରିବାରେ ଲାଗିଛି।
ଜାତୀୟ ବଜେଟରେ ଚୀନ ପ୍ରତିରକ୍ଷା ବ୍ୟୟ ବାବଦରେ ୧.୫୫ ଲକ୍ଷ କୋଟି ୟୁଆନ (୨୨୪ ବିଲିଅନ ଡଲାର) ପ୍ରସ୍ତାବ ରଖାଯାଇଛି। ଚୀନର ପ୍ରତିରକ୍ଷା ବ୍ୟୟବରାଦ ଉପରେ ପଡ଼ୋଶୀ ଦେଶ ସମେତ ଆମେରିକା ମଧ୍ୟ ତୀକ୍ଷ୍ଣ ନଜର ରଖିଥାଏ। ଚଳିତବର୍ଷକୁ ମିଶାଇଲେ ଲଗାତାର ଗତ ୮ ବର୍ଷ ହେଲା ଚୀନର ପ୍ରତିରକ୍ଷା ବ୍ୟୟବରାଦ ବୃଦ୍ଧି ହାର ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି। ତେବେ କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ ଚିତ୍ର ଦିଆଯାଇନାହିଁ। କେବଳ ମୋଟ ବ୍ୟୟବରାଦ ଏବଂ ବୃଦ୍ଧି ସଂପର୍କରେ ତଥ୍ୟ ମିଳିଛି। ଚୀନର ଅର୍ଥନୈତିକ ଅଭିବୃଦ୍ଧି ହାର ଚଳିତବର୍ଷ ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଦେଶରେ ଦେଖାଦେଇଥିବା ବିଭିନ୍ନ କାରଣରୁ ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତିରେ ଚଳିତବର୍ଷର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ ବୋଲି କୁହାଯାଇଛି।
ତାଇୱାନ ଠାରୁ ଆରମ୍ଭ କରି ଦକ୍ଷିଣ ଚୀନ ମହାସାଗରରେ ଆମେରିକାର କାର୍ଯ୍ୟକଳାପକୁ ନେଇ ଚୀନ ଚିନ୍ତାରେ ଅଛି। ଚୀନର ଚେତାବନୀ ସତ୍ତ୍ବେ ଆମେରିକାର ତତ୍କାଳୀନ ବାଚସ୍ପତି ନାନ୍ସି ପେଲୋସି ହଠାତ୍ ତାଇୱାନର ତାଇପେଇ ଗସ୍ତ କରିଥିଲେ। ଏଥିରେ ଚୀନ ରାଗିଯାଇ ତାଇୱାନ ଆକାଶରେ ଯୁଦ୍ଧ ଜାହାଜ ଉଡ଼ାଇବା ସମେତ ସମୁଦ୍ରରେ ଯୁଦ୍ଧ ପୋତକୁ ସକ୍ରିୟ କରିଥିଲା।