ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ବାସଭବନରେ ଗତକାଲି ଅନୁଷ୍ଠିତ ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବା ନେଇ ରାଜନୈତିକ ବିବାଦ ତେଜୁଛି । ବିରୋଧୀ ଦଳର କିଛି ନେତା  ସିଜେଆଇଙ୍କ ବାସଭବନରେ ଏଭଳି ପୂଜାରେ ପ୍ରଧାନମନ୍ତ୍ରୀ ସାମିଲ ହେବାକୁ  କଡ଼ା ସମାଲୋଚନା କରି ଏହା ଏହା ଭୁଲ୍‌ ବାର୍ତ୍ତା ଦେଉଛି ବୋଲି କହିଛନ୍ତି।  ଅନ୍ୟପକ୍ଷରେ ଶାସକ ବିଜେପି ଏହାର ଜବାବ ଦେଇ କହିଛି ଯେ ଗଣେଶ ପୂଜାରେ ଯୋଗ ଦେବା ଅପରାଧ ନୁହେଁ ଏବଂ ବିଚାରପତି ଓ ରାଜନେତାମାନେ ଅନେକ ସମୟରେ ମଞ୍ଚରେ ଏକାଠି ହୁଅନ୍ତି।

Advertisment

ସୂଚନାଯୋଗ୍ୟ,  ପ୍ରଧାନମନ୍ତ୍ରୀ ଗତକାଲି ଗଣେଶ ପୂଜା ପାଇଁ ପ୍ରଧାନ ବିଚାରପତିଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ପରିବାର ସଦସ୍ୟମାନେ ସ୍ୱାଗତ କରିଥିଲେ। ଭଗବାନ ଶ୍ରୀ ଗଣେଶ ଆମ ସମସ୍ତଙ୍କୁ ସୁଖ, ସମୃଦ୍ଧି ଏବଂ ଚମତ୍କାର ସ୍ୱାସ୍ଥ୍ୟ ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି  ପ୍ରଧାନ ବିଚାରପତି ଏବଂ ତାଙ୍କ ପତ୍ନୀଙ୍କ ସହ ସେ  ଗଣେଶ ମୂର୍ତ୍ତି ଆଗରେ ପ୍ରାର୍ଥନା କରୁଥିବାର ଏକ ଫଟୋ ସେୟାର କରିଥିଲେ।  ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ୍‌ କରିବା ପରେ ଏହାକୁ ନେଇ ରାଜନୈତିକ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି।  ରାଜ୍ୟସଭା ସାଂସଦ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)  ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଏଭଳି ବୈଠକ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଶିବସେନା ୟୁବିଟି ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟରେ ବିବାଦ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବା ବେଳେ ଏହି ମାମଲାରୁ ପ୍ରଧାନ ବିଚାରପତି ନିଜକୁ ଦୂରେଇ ରଖିବା ଉଚିତ ବୋଲି ସେ କହିଛନ୍ତି। ରାଉତ କହିଛନ୍ତି ଯେ, ସମ୍ବିଧାନର ରକ୍ଷକମାନେ ଯଦି ରାଜନୈତିକ ନେତାମାନଙ୍କୁ ଏଭଳି ଭାବେ ଭେଟିବେ, ତେବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବ ।  ଏଭଳି ସ୍ଥିତିରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ମହାରାଷ୍ଟ୍ର ରାଜନୀତି ସଂକ୍ରାନ୍ତ ମାମଲା ଶୁଣାଣିରୁ ନିଜକୁ ଅଲଗା କରିବା ଉଚିତ ବୋଲି ରାଉତ କହିଛନ୍ତି।  ରାଉତଙ୍କ ଦଳର ଅନ୍ୟତମ ସହଯୋଗୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରଧାନମନ୍ତ୍ରୀ  ପ୍ରଧାନ ବିଚାରପତିଙ୍କ ଘରକୁ ଯିବାନେଇ କଟାକ୍ଷ କରିଛନ୍ତି। 

‘ଶିବସେନା ଶୁଣାଣି’ରୁ ସିଜେଆଇ ଓହରିଯାଆନ୍ତୁ: ସଂଜୟ ରାଉତ
ମନମୋହନ ପ୍ରସଙ୍ଗ ଉଠାଇ ଘେରିଲା ବିଜେପି

ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା କହିଛନ୍ତି,   ଗଣପତି ପୂଜା ଏକ ବ୍ୟକ୍ତିଗତ ପ୍ରସଙ୍ଗ, କିନ୍ତୁ  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସେଠାକୁ କ୍ୟାମେରା  ଯାଉଛି। ଏହା ଦ୍ୱାରା ପଠାଯାଉଥିବା ବାର୍ତ୍ତା ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ବିଜେପି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ୟୁପିଏ ଶାସନ ଅମଳରେ ଯେଉଁମାନେ ଇଫ୍‌ତାର ପାର୍ଟିରେ ପ୍ରଧାନ ବିଚାରପତିଙ୍କ ଉପସ୍ଥିତିକୁ ପ୍ରଶଂସା  କରୁଥିଲେ ଏବେ ସେମାନେ ପ୍ରଧାନ ବିଚାରପତିଙ୍କ ଘରେ ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପରେ ବିଳାପ କରୁଛନ୍ତି। ଏଭଳି ଦୋମୁହାଁ ନୀତି କାହିଁକି ବୋଲି ଯାଦବ ପ୍ରଶ୍ନ କରିଛନ୍ତି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ବିରୋଧୀଙ୍କ ସମାଲୋଚନାର ଜବାବ ଦେଇ କହିଛନ୍ତି,  ୨୦୦୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ତତ୍କାଳୀନ ପ୍ରଧାନ ବିଚାରପତି କେଜି ବାଲକ୍ରିଷ୍ଣନ ଯୋଗ ଦେଇଥିଲେ ଏବଂ କଂଗ୍ରେସ ଏହାକୁ ଜୋରଦାର ସ୍ବାଗତ କରିଥିଲା। ଏବେ କଂଗ୍ରେସ ଏତେ ଅସହିଷ୍ଣୁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।  ରାହୁଲ ଗାନ୍ଧୀଙ୍କ ଭଳି କଂଗ୍ରେସ ନେତାମାନେ  ବିଭିନ୍ନ ସମୟରେ ସୁପ୍ରିମ୍ କୋର୍ଟ ଉପରେ ଆକ୍ରମଣ କରି ଗଣତନ୍ତ୍ରକୁ ଆଘାତ କରୁଛନ୍ତି ବୋଲି ସେ କହିଛନ୍ତି।