ନୂଆଦିଲ୍ଲୀ : ଶନିବାର ଆଭାସୀ ଭାବେ ଅନୁଷ୍ଠିତ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ନାଗରିକ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସଂକଳ୍ପବଦ୍ଧ। ଆଜି ପ୍ରତ୍ୟେକ ବିଶେଷଜ୍ଞ ବିଶ୍ବାସ କରୁଛନ୍ତି, ଭାରତ ଆଉ କିଛି ବର୍ଷ ଭିତରେ ବିଶ୍ବର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି ବୋଲି ମୋଦୀ କହିଥିଲେ।
ଦେଶର ୪୪ଟି ସ୍ଥାନରେ ଏହି ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ନବନିଯୁକ୍ତମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଓ ବିଭାଗରେ କାର୍ଯ୍ୟ କରିବେ। ଏହି ରୋଜଗାର ମେଳା ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଯୁବବର୍ଗଙ୍କୁ ସଶକ୍ତୀକରଣ କରିବ। ସେମାନେ ଦେଶର ବିକାଶରେ ଭାଗ ନେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ବିବୃତିରେ କୁହାଯାଇଛି।
୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବା ଲକ୍ଷ୍ୟରେ ଅକ୍ଟୋବର ୨୨, ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା।
ଆଜିର ଆଭାସୀ ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶ ଯେତେବେଳେ ଆଗକୁ ବଢ଼ୁଛି, ସରକାରୀ କର୍ମଚାରୀ ଭାବେ ଦେଶ ସେବା କରିବାର ସୁଯୋଗ ପାଇବା ଯୁବବର୍ଗଙ୍କ ପାଇଁ ସମ୍ମାନର ବିଷୟ। ଲୋକମାନେ ଏକ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ। ଦେଶ ଆଉ କିଛି ବର୍ଷ ଭିତରେ ବିଶ୍ବର ପ୍ରମୁଖ ତିନି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି ବୋଲି ଅଧିକାଂଶ ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି। ଅର୍ଥାତ୍ ରୋଜଗାର ମେଳା ମାଧ୍ୟମରେ ଏହି ନିଯୁକ୍ତି ସୁଯୋଗ ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧିରେ ସହାୟକ ହେବ। ଆଜି ଭାରତର ବ୍ୟାଙ୍କିଂ କ୍ଷେତ୍ର ସବୁଠାରୁ ସୁଦୃଢ଼। ପୂର୍ବ ସରକାର ଅମଳରେ ଦେଶର ବ୍ୟାଙ୍କିଂ କ୍ଷେତ୍ର ଅତ୍ୟନ୍ତ ଦୁର୍ବଳ ଥିଲା। ଆଜି ଆମେ ଡିଜିଟାଲ କାରବାର କରିପାରୁଛୁ ଯାହା ୯ ବର୍ଷ ତଳେ ସମ୍ଭବ ନ ଥିଲା। ଆଗରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବିପୁଳ ଅଚଳ ପରିସମ୍ପତ୍ତି ଯୋଗୁ ଦେବାଳିଆ ହୋଇ ଚାଲୁଥିଲା। କିନ୍ତୁ ସେମାନେ ଏବେ ରେକର୍ଡ ଲାଭ କରୁଛନ୍ତି। ଭାରତ ଏବେ ବିଶ୍ବର ବିଶ୍ବାସ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ବ୍ୟାଙ୍କିଂ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଛୋଟ ଛୋଟ ବ୍ୟାଙ୍କର ଏକତ୍ରୀକରଣ ଓ ବ୍ୟାଙ୍କଗୁଡ଼ିକରେ ପେସାଦାରଙ୍କ ନିଯୁକ୍ତି ସେଥି ମଧ୍ୟରୁ ଅନ୍ୟତମ। ମୁଦ୍ରା ଯୋଜନାରେ ଋଣ ପ୍ରଦାନ ଆଦି ବିଭିନ୍ନ ସରକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ଲୋକଙ୍କ ସେବା କରୁଛନ୍ତି ବୋଲି ମୋଦୀ କହିଥିଲେ।