ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡୁର ଧନୁଷକୋଡି ନିକଟରେ ଥିବା ଅରିଚଲ ମୁନାଇ ଗସ୍ତ କରି ସମୁଦ୍ରକୂଳରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧ୍ୟାନ ଓ ପ୍ରାଣାୟାମ କରିଛନ୍ତି। ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ସମାରୋହର ଗୋଟିଏ ଦିନ ପୂର୍ବରୁ ସେ ଏହି ଗସ୍ତ କରିଛନ୍ତି, ଯାହା ତାଙ୍କର ରାମାୟଣ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କାର୍ଯ୍ୟକ୍ରମର ଏକ ଅଂଶ। ବିଶ୍ୱାସ କରାଯାଏ ଯେ ଧନୁଷକୋଡି ହେଉଛି ସେହି ସ୍ଥାନ ଯେଉଁଠାରେ ଭଗବାନ ରାମ ରାବଣକୁ ପରାସ୍ତ କରିବା ପାଇଁ ଶପଥ ନେଇଥିଲେ। ଶ୍ରୀକୋଦଣ୍ଡରାମସ୍ୱାମୀ ମନ୍ଦିରରେ ମଧ୍ୟ ମୋଦୀ ପୂଜାର୍ଚ୍ଚନା କରିଥିଲେ। କୋଦଣ୍ଡରାମ ନାମର ଅର୍ଥ ହେଉଛି ଧନୁର୍ଦ୍ଧାରୀ ରାମ। ଏହା ଧନୁଷକୋଡିରେ ଅବସ୍ଥିତ। କୁହାଯାଏ ଯେ ଏଠାରେ ରାବଣର ଭାଇ ବିଭୀଷଣ ପ୍ରଥମେ ଭଗବାନ ରାମଙ୍କୁ ଭେଟି ତାଙ୍କୁ ଶରଣ ମାଗିଥିଲେ। ଏହି ସ୍ଥାନରେ ଭଗବାନ ରାମ ବିଭୀଷଣ ମୁଣ୍ଡରେ ମୁକୁଟ ପିନ୍ଧାଇ ତାଙ୍କୁ ଲଙ୍କାର ରାଜା ଘୋଷଣା କରିଥିଲେ। ଏହାପରେ ସୋସିଆଲ ମିଡିଆ ଏକ୍ସରେ ମୋଦୀ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କ ଜୀବନରେ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖିଥିବା ଅରିଚଲ ମୁନାଇରେ ରହିବାର ସୁଯୋଗ ମିଳିଛି। ଏହା ହେଉଛି ରାମସେତୁର ପ୍ରାରମ୍ଭିକ ବିନ୍ଦୁ। ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀସ୍ଥିତ ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିର ଏବଂ ଦକ୍ଷିଣ ରାଜ୍ୟର ରାମେଶ୍ୱରମ୍ର ଶ୍ରୀଅରୁଲମିଗୁ ରାମନାଥସ୍ୱାମୀ ମନ୍ଦିର ପରିଦର୍ଶନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp