ଇସଲାମାବାଦ: ପାକିସ୍ତାନରେ କୌଣସି ଗୋଟିଏ ଦଳକୁ ସରକାର ଗଢ଼ିବା ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ପିଟିଆଇ ସମର୍ଥିତ ସ୍ବାଧୀନ ସଦସ୍ୟମାନେ ଅଧିକ ଆସନ ପାଇଥିଲେ ମଧ୍ୟ, ତାଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ନୱାଜ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍‌ଏଲ୍‌-ଏନ୍‌) ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟରେ ମେଣ୍ଟ ହୋଇଛି। ପାଳିକରି ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାର ସମ୍ଭାବନା ଉପରେ ‌ଗତକାଲି ବିଚାରବିମର୍ଶ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବିଲାୱଲ ଓହରି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବୈଠକରେ ଉଭୟ ଦଳର ନେତାମାନେ ଅଧା କାର୍ଯ୍ୟକାଳ ପାଇଁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ତେବେ ଆଜି ବିଲାୱଲ ପ୍ରଧାନମନ୍ତ୍ରୀ ହେବେନାହିଁ ଏବଂ ନୱାଜ ସରିଫ୍‌ଙ୍କ ଦଳର ସରକାରକୁ ସମର୍ଥନ ଜାରି ରଖିବେ ବୋଲି କହିଛନ୍ତି।

Advertisment

ଏହା ଫଳରେ ନୱାଜ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାପାଇଁ ରାସ୍ତା ସଫା ହୋଇଯାଇଛି। ମେଣ୍ଟ ରଣନୀତି ଚୂଡ଼ାନ୍ତ କରିବାକୁ ଅନୁଷ୍ଠିତ ବୈଠକରେ ପିପିପି ସାଂସଦ ଆସିଫ୍ ଅଲି ଜର୍ଦାରୀ, ପିପିପି ଅଧ୍ୟକ୍ଷ ବିଲାଵଲ-ଭୁଟ୍ଟୋ ଜର୍ଦାରୀ ଏବଂ ପିଏମ୍‌ଏଲ୍‌-ଏନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଜାରି ହୋଇଥିବା ମିଳିତ ବିବୃତି ଅନୁଯାୟୀ, ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଏବଂ ଉଭୟ ପକ୍ଷ ଦେଶର ସ୍ୱାର୍ଥ ଓ କଲ୍ୟାଣକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ।