ଛାତ୍ରଛାତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅବତରଣ ଆସନ୍ତା ୭ ତାରିଖ ରାତି ୧ଟା ୫୫ ମିନିଟରେ ହେବ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୬୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ଦେଖି‌ବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଛାତ୍ରଛାତ୍ରୀମାନେ ଇସ୍ରୋର ବେଙ୍ଗାଲୁରୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଅଗଷ୍ଟ ୧୦ରୁ ୨୫ ତାରିଖ ମଧ୍ୟରେ ଦେଶରେ ଏକାଧିକ ପର୍ଯ୍ୟାୟ ବିଶିଷ୍ଟ ବିଜ୍ଞାନ କୁଇଜ୍ ଅନଲାଇନରେ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କୁ ୧୦ ମିନିଟ ମଧ୍ୟରେ ୨୦ଟି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା। ଏଥିରେ ୬୦ ଜଣ ଛାତ୍ରଛାତ୍ରୀ ସଫଳ ହୋଇଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ଚନ୍ଦ୍ରଯାନ-୨ ଅବତରଣ ଦେଖିବାର ସୁଯୋଗ ମିଳିବ। ଏଥିରେ ଓଡ଼ିଶାରୁ ଝାରସୁଗୁଡ଼ା ଏମସିଏଲର ଡିଏଭି ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରୀ ସରନ୍ୟା ନନ୍ଦା ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର