ଦୁଇ ଦକ୍ଷ ‘ପିକେ’ଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଭରସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ସହିତ ଖାପ ଖୁଆଇ ଦୀର୍ଘ ବର୍ଷ ଧରି ତାଙ୍କ ଟିମ୍‌ରେ ରହିଥିବା ଦୁଇ ବରିଷ୍ଠ ଅଫିସରଙ୍କୁ ଏବେ ଗୁରୁଦାୟିତ୍ବ ମିଳିଛି। ପ୍ରଧାନମନ୍ତ୍ରୀ ସର୍ବଦା ନିଷ୍ଠା, କଠୋର ପରିଶ୍ରମ ଏବଂ ଗୋପନୀୟତାକୁ ଗୁରୁତ୍ବ ଦେଉଥିବା ବେଳେ ସେହି ଆଧାରରେ ମଧ୍ୟ ପିଏମ୍‌ଓ ପାଇଁ ଅଫିସର ଚୟନ ହେୁଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡ. ପ୍ରମୋଦ କୁମାର ମିଶ୍ର ଏବଂ ପ୍ରମୁଖ ପରାମର୍ଶଦାତା ଭାବେ ପ୍ରଦୀପ କୁମାର ସିହ୍ନାଙ୍କ ନିଯୁକ୍ତି ମିଳିଛି। ପ୍ରଧାନମନ୍ତ୍ରୀ ତାଙ୍କ ସହିତ ଠିକ୍‌ ତାଳମେଳ ରଖି କାମ କରୁଥିବା ଅଧିକାରୀଙ୍କୁ ସର୍ବଦା ଗୁରୁତ୍ବ ଦେଉଥିବାରୁ ପୁରୁଣା ଟିମ୍‌କୁ କେବେ ଛାଡ଼ିବାକୁ ଚାହାନ୍ତି ନାହିଁ। ଏହି ପ୍ରକ୍ରିୟାରେ ଏବେ ଦୁଇ ପିକେ (ପ୍ରମୋଦ କୁମାର, ପ୍ରଦୀପ କୁମାର)ଙ୍କ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଛନ୍ତି।
ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ପିକେ ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟତମ ଅଧିକାରୀଙ୍କ ମଧ୍ୟରୁ ଅନ୍ୟତମ। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଗୁଜରାଟରେ ତାଙ୍କ ସହିତ କାମ କରିଥିଲେ। ନୀତି ନିର୍ଦ୍ଧାରଣ ଓ ଉତ୍ତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ ଟିମ୍‌ରେ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରଦୀପ କୁମାର ସିହ୍ନା ୧୯୭୭ ବ୍ୟାଚ୍‌ର ଉତ୍ତର ପ୍ରଦେଶ କ୍ୟାଡର ଅଫିସର୍‌। ସିହ୍ନା ୪ ବର୍ଷ ଧରି କ୍ୟାବିନେଟ୍‌ ସଚିବ ଥିଲେ ଏବଂ ବିଭିନ୍ନ ମନ୍ତ୍ରାଳୟ ଏବଂ ମନ୍ତ୍ରୀଙ୍କ ସହ ଅଫିସରମାନଙ୍କ ସଠିକ୍‌ ତାଳମେଳ ରଖି କାମ କରିବାରେ ତାଙ୍କର ବିଶେଷ ଦକ୍ଷତା ରହିଛି। ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ପିଏମ୍ଓ ସହିତ ବିଭିନ୍ନ ମନ୍ତ୍ରାଳୟର ସମନ୍ବୟ କ୍ଷେତ୍ରରେ ତାଙ୍କର ଗୁରୁଦାୟିତ୍ବ ରହିବ।

ସମ୍ବନ୍ଧିତ ଖବର