ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କଲେ ମୋଦୀ, କରୋନା ବିରୋଧରେ କେନ୍ଦ୍ର-ରାଜ୍ୟର ମିଳିତ ଲଢ଼େଇ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ଉପାୟ ଏବଂ ରଣନୀତି ସମ୍ପର୍କ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଦେଶବ୍ୟାପୀ ଏବେ ଲକ୍‌ଡାଉନ୍‌ ଭିତରେ କରୋନା ମୁକାବିଲାର ଲକ୍ଷ୍ୟ ହାସଲ ନିମନ୍ତେ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଭାଇରସ୍‌ ସମ୍ପର୍କିତ ଯାଞ୍ଚ, ସଂକ୍ରମିତଙ୍କୁ ଠାବ କରିବା, ସେମାନଙ୍କୁ ଆଇସୋଲେସନ୍‌ରେ ରଖିବା ଏବେ ସବୁଠାରୁ ବଡ଼ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲକ୍‌ଡାଉନ୍‌ ଶେଷ ହେବାପରେ ଜନସାଧାରଣ ରାସ୍ତାକୁ ଆ‌ସିଲେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେହି ପରିସ୍ଥିତିର ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। କୋଟି କୋଟି ଜନତା ରାସ୍ତାକୁ ଓହ୍ଲାଇବା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ଓ କେନ୍ଦ୍ର ଏକ ରଣନୀତିରେ କାମ କରିବାକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥିବା ଏହି ବୈଠକରେ କହିଛନ୍ତି। ଜିଲ୍ଲା ସ୍ତରରେ ଏହାର ନିୟନ୍ତ୍ରଣ ପାଇଁ ମଧ୍ୟ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ମୁକାବିଲା ପାଇଁ ଯେଭଳି ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଲ୍ଲୀର ଜମାତ୍‌ ସମ୍ମିଳନୀ ପାଇଁ ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ବିପଦର ମୁକାବିଲା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀମାନେ ଅବଗତ କରାଇଥିଲେ।

ସବୁ ରାଜ୍ୟରେ କୃଷିଜାତ ସାମଗ୍ରୀ କ୍ରୟ ପାଇଁ କୃଷି ଊତ୍ପାଦ ବଜାର କମିଟି ସହିତ ଅନ୍ୟ ପ୍ଲା‌ଟଫର୍ମ ଗଠ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜରୁରୀ ଚିକିତ୍ସା ଉପକରଣ ମହଜୁଦ ରଖିବା ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାକୁ ସୁନିଶ୍ଚିତ କରିବାପାଇଁ ସବୁ ରାଜ୍ୟ ଯୁଦ୍ଧସ୍ତରରେ କାମ କରିବା ଆବଶ୍ୟକ। କୋଭିଡ୍‌-୧୯ ରୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ଅଲଗା ଓ ସ୍ବତନ୍ତ୍ର ହସ୍ପିଟାଲ୍‌ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ଏହି ସମୀକ୍ଷ‌ା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର