କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦେଶ ଭାଇରସ୍‌ ନିୟନ୍ତ୍ରଣ ପାଇଁ ପୂର୍ଣ୍ଣ ସକ୍ଷମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଦିନ‌ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ନେଇ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି ଦେଶ କରୋନା ସହ ଲଢ଼େଇ ପାଇଁ ଏବଂ ଭାଇରସ୍‌କୁ ନିୟନ୍ତ୍ରଣ କରିବାପାଇଁ ପୂର୍ଣ୍ଣ ଭାବେ ସକ୍ଷମ। ସରକାର ସଠିକ୍‌ ସମୟରେ ପଦକ୍ଷେପ ଗ୍ରହଣ କରିଥିବାରୁ ଦେଶ ସଠିକ୍‌ ଭାବେ ଭାଇରସ୍‌ର ନିୟନ୍ତ୍ରଣ କରିପାରିଛି। ବର୍ତ୍ତମାନ ସ୍ଥିତିରେ ଦେଶରେ ଖୁବ୍‌ କମ୍‌ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା ଆବଶ୍ୟକ ହେଉଛି। ଦେଶରେ ସକ୍ରିୟ ମାମଲା ଅପେକ୍ଷା ଆରୋଗ୍ୟ ହାର ମଧ୍ୟ ବଢ଼ିଛି ବୋଲି ମୋଦୀ କହିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ହୋଇଥିବା ବୈଠକରେ ଅନଲକ୍‌ ୧.୦ ପରବର୍ତ୍ତୀ ଯୋଜନା ଏବଂ କରୋନା ମହାମାରୀ ମୁକାବିଲା ଦିଗରେ ଆଲୋଚନା ହୋଇଥିଲା। ବୈଠକରେ ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ଗୁଜରାଟ, ବିହାର ଏବଂ ଉତ୍ତରପ୍ରଦେଶ ସମେତ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରଜ୍ୟପାଳମାନେ ଯୋଗ ଦେଇଥିଲେ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ ଜାରି ହେବା‌ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାକୁ ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍‌ଲକ୍‌ ୨.୦ ପାଇଁ ପ୍ରସ୍ତୁତ ରହିବାକୁ ମୋଦୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଜ୍ୟମାନଙ୍କରେ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ଆଗାମୀ ସ୍ଥିତିର ମୁକାବିଲା ପାଇଁ କେଉଁଭଳି ପଦକ୍ଷେପ ଗ୍ରହଣ ହେଉଛି ତାହା ମଧ୍ୟ ମୁଖ୍ୟମନ୍ତ୍ରୀମାନେ ମୋଦୀଙ୍କୁ ଅବଗତ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜିର ଏହି ବୈଠକରେ ‌ଯୋଗ ଦେଇଥିଲେ। ଶାହ କହିଥିଲେ ମୋଦୀଙ୍କ ନେତୃତ୍ବରେ ଦେଶ ସଫଳ ଭାବେ କରୋନା ମୁକାବିଲା କରିପାରିଛି। କିନ୍ତୁ ଏହି ଲଢ଼େଇ ଶେଷ ହୋଇନି। ଦେଶରେ ଅନ୍‌ଲାକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଶାହ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ମୋଦୀ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହ କୋଭିଡ୍‌ ସ୍ଥିତି ନେଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର