ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନିବେଶକ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଗତକାଲି କର୍ଣ୍ଣାଟକରେ ପାଳିତ ରାଜ୍ୟୋତ୍ସବ ପାଇଁ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, କର୍ଣ୍ଣାଟକ ହେଉଛି ପରମ୍ପରା ଓ ପ୍ରଯୁକ୍ତି ବିଦ୍ୟା, ପ୍ରକୃତି ଓ ସଂସ୍କୃତି, ଚମତ୍କାର ସ୍ଥାପତ୍ୟ ଓ ଜୀବନ୍ତ ଷ୍ଟାର୍ଟ-ଅପ୍ଗୁଡିକର ମିଶ୍ରଣ। ପ୍ରତିଭା କିମ୍ବା ପ୍ରଯୁକ୍ତିବିଦ୍ୟାର କଥା ଯେତେବେଳେ ଉଠେ, ସେତେବେଳେ ‘ବ୍ରାଣ୍ଡ୍ ବେଙ୍ଗାଲୁରୁ’ ମନକୁ ସର୍ବପ୍ରଥମେ ଆସେ। ଏହି ନାମ କେବଳ ଭାରତରେ ନୁହେଁ , ସମଗ୍ର ବିଶ୍ୱରେ ଭଲ ଭାବରେ ପରିଚିତ ବୋଲି ମୋଦୀ କହିଥିଲେ।
କର୍ଣ୍ଣାଟକରେ ନିବେଶକମାନଙ୍କ ବୈଠକ ଆୟୋଜନ ଉପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ପ୍ରତିଯୋଗିତାର ତଥା ସହଯୋଗୀ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଥିଲେ। ସେ କହିଥିଲେ, ବିନିର୍ମାଣ ଏବଂ ଉତ୍ପାଦନ ମୁଖ୍ୟ ରୂପରେ ରାଜ୍ୟ ସରକାରଙ୍କର ନୀତିଗୁଡିକ ଦ୍ୱାରା ଏବଂ ନିୟନ୍ତ୍ରଣ ଉପରେ ନିର୍ଭରଶୀଳ ହୋଇଥାଏ। ଏହି ବୈଠକରେ ହଜାର ହଜାର କୋଟି ଟଙ୍କାର ଭାଗୀଦାରିତା ହେବାର ଯୋଜନା ରହିଛି, ଯାହାର ପରିଣାମସ୍ୱରୂପ ଦେଶର ଯୁବକମାନଙ୍କ ନିମନ୍ତେ ନିଯୁକ୍ତିର ସୁଯୋଗ ବଢ଼ିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଭାରତ ଯେଉଁ ସ୍ଥିତିରେ ଅଛି, ସେଥିରୁ ଆଗକୁ ବଢ଼ିବାକୁ ପଡିବ। ଗତବର୍ଷ ଭାରତରେ ୮୪ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା। ଏହି ସମୟ ହେଉଛି ଅନିଶ୍ଚିତତାର ସମୟ, ତଥାପି ଅଧିକାଂଶ ଦେଶ ଭାରତୀୟ ଅର୍ଥନୀତିର ମୂଳ ସିଦ୍ଧାନ୍ତ ଉପରେ ବିଶ୍ୱାସ କରୁଛନ୍ତି। ଆମେ ଭାରତର ଅର୍ଥ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଆମର ମୌଳିକ ସିଦ୍ଧାନ୍ତଗୁଡିକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ। ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରକ୍ଷେପବକ୍ରକୁ ବୁଝିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ନାଲିଫିତାର ଫାନ୍ଦରେ ନିବେଶକମାନଙ୍କୁ ପକାଇବା ପରିବର୍ତ୍ତେ ଆମେ ନିବେଶ ପାଇଁ ଲାଲ୍ ଗାଲିଚାର ପରିବେଶ ସୃଷ୍ଟି କରିଛୁ ଏବଂ ନୂତନ ଜଟିଳ ଆଇନ ତିଆରି କରିବା ପରିବର୍ତ୍ତେ ଏହାକୁ ଯୁକ୍ତିସଙ୍ଗତ କରିଛୁ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ସମ୍ଭାବ୍ୟ ନିବେଶକମାନଙ୍କୁ ଆକୃଷ୍ଟ କରିବା ଏବଂ ପରବର୍ତ୍ତୀ ଦଶନ୍ଧି ପାଇଁ ଏକ ବିକାଶ ଯୋଜନା ପ୍ରସ୍ତୁତ କରିବା ଏହି ବୈଠକର ଉଦ୍ଦେଶ୍ୟ ରହିଛି। ବେଙ୍ଗାଲୁରୁରେ ୨ରୁ ୪ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୮୦ରୁ ଅଧିକ ବକ୍ତା ଭାଷଣ ଦେବେ। ଏହି ବକ୍ତାମାନଙ୍କ ମଧ୍ୟରେ କୁମାର ମଙ୍ଗଲମ୍ ବିର୍ଲା, ସଜ୍ଜନ ଜିନ୍ଦଲ ଏବଂ ବିକ୍ରମ କିର୍ଲୋସ୍କରଙ୍କ ଭଳି ଅନେକ ବରିଷ୍ଠ ଶିଳ୍ପପତି ମଧ୍ୟ ଅଛନ୍ତି। ଅଧିବେଶନ ସହିତ ଅନେକ ବ୍ୟବସାୟିକ ପ୍ରଦର୍ଶନୀ ସମାନ୍ତରାଳ ଭାବରେ ଏଠାରେ ଚାଲିବ। ବିଶ୍ୱ ସ୍ତରର ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକକୁ ଏହାର ସଂସ୍କୃତିକୁ ସାରା ବିଶ୍ୱକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ।