ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଦେଶରେ ବ୍ରଡ୍‌ବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୮୦କୋଟି: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ)ର କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ସେ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ କରିବା ସହ ୬ଜି ଆର୍‌ଆଣ୍ଡ୍‌ବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି। ସେ ‘କଲ୍‍ ବିଫୋର ୟୁ ଡିଗ୍’ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ।

ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା। ମାର୍ଚ୍ଚ ୨୦୨୨ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଭାବେ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ।

ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ସୁଶ୍ରୀ ଡୋରେନ୍‌-ବୋଗଡାନ ମାର୍ଟିନ୍ କହିଛନ୍ତି ଯେ ଏହି ଅଞ୍ଚଳରେ ଆଟିୟୁର ଉପସ୍ଥିତି ଉନ୍ନତ ଜ୍ଞାନକୌଶଳ ଓ ଦକ୍ଷତା ବିକାଶରେ ଉନ୍ନତି ଆଣିବ। ସେ କହିଛନ୍ତି, ଅର୍ଥନୀତିକୁ ବୃଦ୍ଧି କରିବା, ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା, ବାଣିଜ୍ୟର ବିକାଶ କରିବା ଏବଂ ନିଜ ଲୋକଙ୍କୁ ସଶକ୍ତ କରିବା ପାଇଁ ଡିଜିଟାଲ ରୂପାନ୍ତର ଖୋଜୁଥିବା ଦେଶମାନଙ୍କ ପାଇଁ ଭାରତ ଏକ ଆଦର୍ଶ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତକୁ ଜ୍ଞାନକୌଶଳ ନବସୃଜନ ଏବଂ ଡିଜିଟାଲ୍ କ୍ଷେତ୍ରରେ ଅଗ୍ରଣୀ କରାଇଛି। ଆଧାର, ୟୁପିଆଇ ଭଳି ପଦକ୍ଷେପ ଭାରତକୁ ଜ୍ଞାନ-ଆଧାରିତ ଅର୍ଥନୀତିରେ ପରିଣତ କରିଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ହିନ୍ଦୁ ନବବର୍ଷ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭାରତ ଜି-୨୦ ଅଧ୍ୟକ୍ଷ ଭାବରେ ନିଜର ଦାୟିତ୍ୱ ତୁଲାଉଥିବାରୁ ଆଞ୍ଚଳିକ ବିଭେଦ ହ୍ରାସ କରିବା ହେଉଛି ଏହାର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ପାଇଁ ଟେଲିକମ୍ ଜ୍ଞାନକୌଶଳ ସଶକ୍ତୀକରଣ ପାଇଁ ଏକ ମିସନ। ଡିଜିଟାଲ୍ ଜ୍ଞାନକୌଶଳ ଭାରତରେ ସମସ୍ତଙ୍କ ପାଇଁ ଉପଲବ୍ଧ। ୨୦୧୪ ପୂର୍ବରୁ ବ୍ରଡବ୍ୟାଣ୍ଡ ସଂଯୋଗରେ ଭାରତରେ ୬ କୋଟି ବ୍ୟବହାରକାରୀ ଥିଲେ କିନ୍ତୁ ଆଜି ଏହି ସଂଖ୍ୟା ୮୦ କୋଟିରୁ ଅଧିକ ହୋଇଛି। ୨୦୧୪ ପୂର୍ବରୁ ଥିବା ୨୫ କୋଟି ତୁଳନାରେ ଭାରତରେ ଇଣ୍ଟରନେଟ ସଂଯୋଗ ସଂଖ୍ୟା ମଧ୍ୟ ୮୫ କୋଟିରୁ ଅଧିକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ୍ ଜୟଶଙ୍କର, କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁଂଶି ଚୌହାନ ଏବଂ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ-ବେଗଡାନ ମାର୍ଟିନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର