ସ୍ୱାଧୀନତା ଦିବସ ଅବସରରେ କରୋନା ଯୋଦ୍ଧାଙ୍କୁ ସଲାମ କଲେ ପ୍ରଧାନମନ୍ତ୍ରୀ

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଐତିହାସିକ ଲାଲକିଲ୍ଲା ଠାରୁ ଅଭିଭାଷଣ ପ୍ରଦାନ ବେଳେ କରୋନା ଯୋଦ୍ଧାଙ୍କ ସାହସକୁ ସଲାମ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଭାଷଣ ପ୍ରସଙ୍ଗରେ କହିଛନ୍ତି, ଯେ ଏବେ ଦେଶରେ କୋଭିଡ଼-୧୯ ମହାମାରୀ ଜାରି ରହିଥିବା ବେଳେ ଭାରତ ପର୍ୟ୍ୟାୟକ୍ରମିକ ତଥା ସକାରାତ୍ମକ ଆଭିମୁଖ୍ୟର ସହ ଏହା ବିରୋଧରେ ସଂଗ୍ରାମ ଜାରି ରଖିଛି । ଏହା ଦେଶକୁ “ଆତ୍ମନିର୍ଭର” ହେବାରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଦେଶର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ ସଫଳତା ସଂପର୍କରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଅଭିଭାଷଣରେ କରୋନା ମହାମାରୀରେ ଯେଉଁ ବ୍ୟକ୍ତିମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ଭାରତର କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କର ନିସ୍ୱାର୍ଥପର ନିଷ୍ଠା ଓ ଶ୍ରମ ସକାଶେ ସଭିଏଁ ପ୍ରଶଂସା କରିବା ଉଚିତ । “ସେବା ପରମୋ ଧର୍ମଃ” ଆପ୍ତ ବାକ୍ୟକୁ ସେମାନେ ନିଜ କର୍ମ ଓ ନିଷ୍ଠା ବଳରେ ପ୍ରତିପାଦିତ କରିପାରିଛନ୍ତି । ସମଗ୍ର ଦେଶକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ କହିଲେ ଯେ “କରୋନା ବିରୋଧୀ ଲଢ଼େଇରେ ଆମେ ନିଶ୍ଚୟ ବିଜୟ ଲାଭ କରିବୁ । ଆମର ଦୃଢ଼ ମନୋବଳ ଏହି ବିଜୟ ପଥରେ ସହାୟକ ହେବ ।”

“ଆତ୍ମନିର୍ଭର ଭାରତ” ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଏବେ ଏହି ମନୋଭାବକୁ ନେଇ କୋଭିଡ଼-୧୯ ବିରୋଧରେ ସଂଗ୍ରାମ କରୁଛି ଏବଂ ଏହା ଆମକୁ ଅନେକାଂଶରେ ସଫଳତା ପ୍ରଦାନ କରିଛି । ଦେଶରେ ଏବେ ପିପିଇ କିଟ୍‌, ଏନ-୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ପ୍ରସ୍ତୁତ କରାଯାଇପାରୁଛି ଯାହାକି ଘରୋଇ ଭାବେ ପୂର୍ବରୁ ଏତେ ଉତ୍ପାଦିତ ହେଉନଥିଲା । ଏହିସବୁ ସାମଗ୍ରୀର ଉତ୍ପାଦନ କ୍ଷମତା ବୃଦ୍ଧି “ସ୍ଥାନୀୟ ଉତ୍ପାଦନ ପାଇଁ ନାରା” କୁ ପ୍ରତିଧ୍ୱନିତ କରିଛି।

BBBNews

ଲାଲକିଲ୍ଲାର ମଞ୍ଚ ଉପରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଏବେ କୋଭିଡ଼ ନମୁନା ପରୀକ୍ଷା କ୍ଷମତାରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରାଯାଇପାରିଛି । ଦେଶରେ ପୂର୍ବରୁ ଏହି ଧରଣର ପରୀକ୍ଷା ସକାଶେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ତାହା ଏବେ ୧୪୦୦ରୁ ଅଧିକ ହୋଇପାରିଛି ଏବଂ ସେସବୁ ଦେଶର ବିଭିନ୍ନ ସ୍ଥାନରେ ବିସ୍ତାରିତ ହୋଇ ରହିଛି । ପୂର୍ବରୁ ଦେଶରେ ଦୈନିକ ମାତ୍ର ୩୦୦ ନମୁନା ପରୀକ୍ଷା କରାଯାଉଥିବାବେଳେ ଏବେ ପ୍ରତି ଦିନ ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି । ଅତି କମ୍‌ ସମୟ ମଧ୍ୟରେ ଏଭଳି ସଫଳତା ଓ ଅଭିବୃଦ୍ଧି ହାସଲ କରାଯିବା ମଧ୍ୟ ଏକ ବିରାଟ ସଫଳତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ କରୋନା ଟୀକାର ବିକାଶ ନିମନ୍ତେ ଭାରତ ତା’ର ରଣନୀତି ପ୍ରସ୍ତୁତ କରିଛି । ଦେଶର ବୈଜ୍ଞାନିକମାନେ ଏ ଦିଗରେ କାର୍ୟ୍ୟ ଆରମ୍ଭ କରି ସାରିଛନ୍ତି ଏବଂ ସେମାନଙ୍କର ମନୋବଳ ବେଶ ଦୃଢ଼ ରହିଛି । ବର୍ତ୍ତମାନ, ତିନୋଟି ଟୀକାର ବିକାଶ ବିଭିନ୍ନ ପରୀକ୍ଷଣ ପର୍ୟ୍ୟାୟରେ ରହିଛି । ଯେତେ ଶୀଘ୍ର ବୈଜ୍ଞାନିକ ମାନେ ଏଥିପାଇଁ ସମ୍ମତି ପ୍ରଦାନ କରିବେ ତାହାର ବିପୁଳ ଉତ୍ପାଦନ ଆରମ୍ଭ କରାଯିବ । ଏହି ଟୀକାର ଉତ୍ପାଦନ ଏବଂ ବିତରଣ ସକାଶେ ଏକ ସୁଚିନ୍ତିତ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଦେଶରେ ମେଡ଼ିକାଲ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ସରକାର ତାଙ୍କର ଦକ୍ଷତାର ସର୍ବାଧିକ ସଂପ୍ରସାରଣ କରିଛନ୍ତି । ଦେଶରେ ନୂଆ ନୂଆ ଏମ୍ସ ଏବଂ ମେଡ଼ିକାଲ କଲେଜମାନ ସ୍ଥାପନ କରାଯାଉଛି ଯାହା ମେଡ଼ିକାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ । ଏବେ ଦେଶରେ ୪୫ ହଜାରରୁ ଅଧିକ ଏମବିବିଏସ ସିଟ୍‌ ଏବଂ ଏମଡ଼ି ସିଟ୍‌ ଉପଲବ୍ଧ ରହିଛି । ଆୟୁଷ୍ମାନ ଭାରତର ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ କରୋନା ମହାମାରୀ ସଂକ୍ରମଣ ବେଳେ ଏହି ସ୍ୱାସ୍ଥ୍ୟକର୍ମୀମାନେ ଅଣ କୋଭିଡ଼ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏହି ଅବସରରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏକ ଅଭିନବ ସ୍ୱାସ୍ଥ୍ୟ ଆଇଡ଼ି ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ପ୍ରତ୍ୟେକ ରୋଗ ସଂପର୍କୀତ ବିସ୍ତୃତ ସୂଚନା, ଏହାର ପରୀକ୍ଷଣ- ଲକ୍ଷଣ ଚିହ୍ନଟ, ରିପୋର୍ଟ ଏବଂ ଔଷଧୀୟ ଉପଚାର ଇତ୍ୟାଦି ସଂପର୍କରେ ସମସ୍ତ ସୂଚନା ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର