ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ : ଦ୍ବିତୀୟ ଲହର ରୋକିବାକୁ ହେବ

ପୁଣି ଲକ୍‌ଡାଉନ୍‌ ସ୍ଥିତିକୁ ଫେରିବା ନାହିଁ: ନବୀନ

ନୂଆଦିଲ୍ଲୀ/ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ତୁରନ୍ତ ରୋକିବାକୁ ହେବ, ଅନ୍ୟଥା ଏହା ସମଗ୍ର ଦେଶରେ ବ୍ୟାପିଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସତର୍କ କରାଇ ଦେଇଛନ୍ତି। ଦେଶର ୭୦ ଜିଲ୍ଲାରେ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍‌ ବୈଠକ କରିଥିଲେ। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟମାନେ କେତେକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ହେବ ଏବଂ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ନକରି ସଚେତନ କରାଇବା ଦିଗରେ ଗୁରୁତ୍ବ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଶାସନିକସ୍ତରରେ ସତର୍କତା ପଦକ୍ଷେପ ସହିତ ଟେଷ୍ଟିଂ ପରିସର ମଧ୍ୟ ବଢ଼ାଇବାକୁ ହେବ। ଦେଶ କରୋନା ବିରୋଧୀ ଲଢ଼େଇରେ ଯେଉଁ ଆତ୍ମବିଶ୍ବାସ ହାସଲ କରିଛି ତାହା ଅବହେଳାରେ ପରିବର୍ତ୍ତନ ‌ନହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭୟର ବାତାବରଣ ନଥାଇ କରୋନା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଶାସନ-ପ୍ରଶାସନ ତ୍ବରିତ ରଣନୀତିରେ କାମ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦ୍ବିତୀୟ ଲହରକୁ ରୋକିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୁଣି ଥରେ ଆମେ ଲକ୍‌ଡାଉନ୍ ସ୍ଥିତିକୁ ଫେରିବା ଠିକ୍ ହେବନାହିଁ। ତେଣୁ ସମସ୍ତେ ସତର୍କ ଓ ସଚେତନ ରହିବା ସହ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ପାଳନ କରିବା ଦରକାର। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ଏକ ବର୍ଷ ହେଲା ସାରା ବିଶ୍ବ କୋଭିଡ୍‌-୧୯ ଜନିତ ସଙ୍ଗିନ ସ୍ଥିତିକୁ ସାମ୍ନା କରୁଛି। କରୋନା ଭାଇରସ୍‌ ସାରା ବିଶ୍ବର ସବୁ କୋଣକୁ ବ୍ୟାପି ଯାଇଥିବାରୁ ପ୍ରତିଟି ମଣିଷ ପାଇଁ ଏହା କଷ୍ଟଦାୟକ ବର୍ଷ। ପ୍ରତି ପରିବାର ଓ ସମାଜ କେବଳ ସ୍ବାସ୍ଥ୍ୟ ସଙ୍କଟର ସାମ୍ନା କରି ନାହାନ୍ତି, ବରଂ ଅର୍ଥନୀତି ଓ ଜୀବିକା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିଛି।

ଓଡ଼ିଶାରେ ଆମେ ପ୍ରତି ବର୍ଷ ବାତ୍ୟା ପରି ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହେଉଛୁ। ଆମ ପ୍ରଶାସନିକ କଳ ସଙ୍କଟଜନକ ସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଓଡ଼ିଶାବାସୀଙ୍କ ସହଯୋଗ ଦ୍ବାରା ମହାମାରୀକୁ ନିୟନ୍ତ୍ରଣ କରିବାରେ ଆମେ ସମର୍ଥ ହୋଇଛୁ ଓ ଏହାର କ୍ଷତି କମ୍ ରହିଛି। ଏହି ସଙ୍କଟ ସମୟରେ ଆମର ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶାସନିକ ବ୍ୟବସ୍ଥା ଲଗାତାର ଭାବେ କାମ କରିଚାଲିଛି। କରୋନା ଟିକା ନାଗରିକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିବାରେ ସହାୟ ହୋଇଛି। ମହାମାରୀ ଶେଷ ପର୍ଯ୍ୟାୟରେ ପହଞ୍ଚିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି। କମ୍ ସମୟ ମଧ୍ୟରେ ବୈଜ୍ଞାନିକମାନେ ଟିକା ବାହାର କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା‌ ଜ୍ଞାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଟିକା ପ୍ରସ୍ତୁତିରେ ଭାରତ ଆଗଧାଡ଼ିରେ ରହିବା ଆମ ପାଇଁ ଗର୍ବର ବିଷୟ। ଟିକା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆମେ ଅଧିକ ଘରୋଇ କ୍ଷେତ୍ରକୁ ସଂପୃକ୍ତ କରିବାର ଅାବଶ୍ୟକତା ରହିଛି। କୋଭିଡ୍‌ ସ୍ବାସ୍ଥ୍ୟ ନିୟମାବଳୀ ଆମେ ଦୀର୍ଘ ସମୟ ଧରି ପାଳନ କରି ଆସୁଛୁ। ବର୍ତ୍ତମାନ ବିଭିନ୍ନ ଦେଶ ଓ ଭାରତର କିଛି ରାଜ୍ୟରେ କୋଭିଡ୍‌ର ବହୁବିଧ ‌ସଂକ୍ରମଣ ବ୍ୟାପୁଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଭାରତ ପରି ବିଶାଳ ଲୋକସଂଖ୍ୟା ଥିବା ଦେଶରେ ଗୋଷ୍ଠୀଗତ ପ୍ରତିରୋଧକ କ୍ଷମତା ସୃଷ୍ଟି ପାଇଁ ଦୀର୍ଘ ସମୟ ଲାଗିବ। ତେଣୁ ଆମକୁ ଅଧିକ ସତର୍କ ରହିବା ଜରୁରୀ। କୋଭିଡ୍‌ ବିରୋଧୀ ଯୁଦ୍ଧରେ ଆମେ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ କହିଥିଲେ ଯେ ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌କୁ ନେଇ ଆମକୁ ପୂର୍ବ ଭଳି ଗମ୍ଭୀରତା ଦେଖାଇବାକୁ ହେବ। ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୁବ୍‌ କମ୍‌ ସମୟରେ ଟ୍ରାକ୍‌ କରିବା ଏବଂ ଆର୍‌ଟି-ପିସିଆର୍‌ ଟେଷ୍ଟ ହାରକୁ ୭୦ ପ୍ରତିଶତରୁ ଅଧିକ ରଖିବା ବହୁତ ଗୁରୁତ୍ବପୂର୍ଣ୍ଣ। ଛୋଟ ସହରରେ ଟେଷ୍ଟିଂ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଛନ୍ତି। ରେଫରାଲ ବ୍ୟବସ୍ଥା ଏବଂ ଏମ୍ବୁଲେନ୍ସ ନେଟ୍‌ୱର୍କ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଦେଶର କେତେକ ଅଂଚଳରେ ଟିକାକରଣରେ ମନ୍ଥରତା ନେଇ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ଟିକାକରଣର ଗତି ଲଗାତାର ବଢ଼ୁଛି ଏବଂ ଦିନକରେ ଏହା ୩୦ ଲକ୍ଷ ସଂଖ୍ୟା ଅତିକ୍ରମ ମଧ୍ୟ କରିଥିବା ନଜିର ରହିଛି। ତେବେ କେତେକ ଅଂଚଳରେ ଟେଷ୍ଟିଂ ଓ ଟିକାକରଣରେ ମନ୍ଥରତା ଦେଖିବାକୁ ମିଳିଥିବାରୁ ଏ ଦିଗରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ଆଣ୍ଟିଜେନ୍‌ ଟେଷ୍ଟ୍‌ରେ କାମ ହେବନାହିଁ, ରାଜ୍ୟମାନେ ଆର୍‌ଟି ପିସିଆର୍‌ ଟେଷ୍ଟ ବଢ଼ାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ କେରଳ, ଓଡ଼ିଶା, ଛତିଶତଗଡ଼ ଏବଂ ୟୁପିର ଉଦାହରଣ ଦେଇଥିଲେ ଏବଂ ସମସ୍ତ ରାଜ୍ୟ ଆର୍‌ଟି ପିସିଆର୍‌ ଟେଷ୍ଟ୍‌ ବଢ଼ାଇବା ଉପରେ ଗୁରୁତ୍ବଦେବାକୁ କହିଛନ୍ତି। ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନା ସ୍ଥିତି ନେଇ ନିଜ ରିପୋର୍ଟ ରଖିଥିଲେ। ଏହି ରିପୋର୍ଟ ଆଧାରରେ ଆଗକୁ ରଣନୀତି ପ୍ରସ୍ତୁତ ହେବ। ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସାମିଲ ହୋଇନଥିଲେ।

ସମ୍ବନ୍ଧିତ ଖବର