ନୂଆଦିଲ୍ଲୀ : ଯୁଦ୍ଧ-ଧ୍ବସ୍ତ ୟୁକ୍ରେନ୍ ପରିସ୍ଥିତି ଉପରେ ଆଲୋଚନା ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାରରୁ ଫେରି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

Advertisment

ରବିବାର ରାତି ୮ଟାରେ ଆରମ୍ଭ ହୋଇଥିବା ବୈଠକର ଉଦ୍ଦେଶ୍ୟ ହେଉଛି ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ଛାତ୍ରମାନେ କିପରି ନିରାପଦରେ ପ୍ରତ୍ୟାବର୍ତ୍ତନ କରିବେ। ପ୍ରାୟ ୧୬,୦୦୦ ଭାରତୀୟ ୟୁକ୍ରେନ୍‌ରେ ଫସିରହି ଥିଲେ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛାତ୍ର। ସେମାନଙ୍କୁ ଆଣିବା ପାଇଁ ‘ଅପରେସନ ଗଙ୍ଗା’ ମାଧ୍ୟମରେ ଭାରତ ପକ୍ଷରୁ ବିମାନ ପଠାଯାଉଛି ଏବଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି।

ଭାରତୀୟଙ୍କୁ ଆଣିବା ପାଇଁ କେନ୍ଦ୍ର ଦିନରାତି କାମ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବା ଲାଗି ଭାରତ ଅକ୍ଳାନ୍ତ ଉଦ୍ୟମ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି। ଉତ୍ତରପ୍ରଦେଶର ବାରାଣସୀଠାରେ ମୋଦୀ କହିଲେ ଯେ, ଯେତେବେଳେ ବି କୌଣସି ଦେଶରେ ଯୁଦ୍ଧ ବା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଭାରତ ସେଠାରେ ରହୁଥିବା ନିଜ ନାଗରିକମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛି। ସେମାନଙ୍କୁ ନିରାପଦରେ ନିଜ ଦେଶକୁ ଫେରାଇ ଆଣିବା ପାଇଁ ଅକ୍ଳାନ୍ତ ଉଦ୍ୟମ କରିଆସିଛି।

ପ୍ରଧାନମନ୍ତ୍ରୀ କହିଲେ, ‘ଅପରେସନ ଗଙ୍ଗା’ ଜରିଆରେ ଆମେ ଯୁଦ୍ଧ-ବିଧ୍ବସ୍ତ ଦେଶରେ ଫସିରହିଥିବା ହଜାର ହଜାର ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣୁଛୁ। ଆମର ଯେଉଁ ପୁଅ-ଝିଅମାନେ ତଥାପି ସେଠାରେ ରହିଯାଇଛନ୍ତି, ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାର ଦିନରାତି କାମ କରୁଛି।