ବାରଣାସୀ: ବିରୋଧୀଙ୍କ ଚାପ ସତ୍ତ୍ବେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନାଗରିକତା ସଂଶୋଧନ ଆଇନ (ସିଏଏ) ନିଷ୍ପତ୍ତିରେ ଅଟଳ ରହିଛୁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଭଳି ନିଷ୍ପତ୍ତିକୁ ଦେଶବାସୀ ଅପେକ୍ଷା କରିଥିଲେ ଏବଂ ଏହି ନିଷ୍ପତ୍ତି ଦେଶବାସୀଙ୍କ ହିତରେ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ବାରଣାସୀ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ମିଳିପାରିଛି। ସରକାରଙ୍କ ବିଭିନ୍ନ ସଫଳ ପଦକ୍ଷେପ ସମ୍ପର୍କରେ କହିବାକୁ ଯାଇ ମୋଦୀ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଗଠନ ସଂପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଗଠନ ଫଳରେ ମନ୍ଦିର ନିର୍ମାଣ କାମ ତ୍ବରିତ ବେଗରେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଆଜି ପ୍ରଧାନମନ୍ତ୍ରୀ ବାରଣାସୀ ଲୋକସଭା ନିର୍ବାଚନମଣ୍ଡଳୀରେ ୫୦ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏ ସମସ୍ତ ପ୍ରକଳ୍ପର ମୂଲ୍ୟ ୧,୨୫୪ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ଆଜି ‘ମହାକାଳ ଏକ୍ସପ୍ରେସ’କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଏକ୍ସପ୍ରେସ ଟ୍ରେନ୍‌ ଉତ୍ତର ପ୍ରଦେଶର ବାରଣାସୀ ଏବଂ ମଧ୍ୟପ୍ରଦେଶ ଉଜ୍ଜୟିନୀର ଓମ୍‌କାରେଶ୍ବର ପୀଠକୁ ସଂଯୋଗ କରିବ। ସେହିଭଳି ପ୍ରଧାନମନ୍ତ୍ରୀ ୪୩୦ ଶଯ୍ୟାବିଶିଷ୍ଟ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ପରିସରରେ ୭୪ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ‘କାଶୀ ଏକ୍‌ ରୂପ ଅନେକ୍‌’ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏ ସମସ୍ତ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରେପ୍ପା ପ୍ରମୁଖ ସାମିଲ ଥିଲେ।

publive-image

ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ୬୩ ଫୁଟ ଉଚ୍ଚତାବିଶିଷ୍ଟ ଭାରତୀୟ ଜନସଂଘ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚତ କରିଛନ୍ତି। ପଞ୍ଚ ଲୁହାରେ ନିର୍ମିତ ଏହି ମୂର୍ତ୍ତିଟି ଦେଶର ଉଚ୍ଚତମ ବୋଲି କୁହାଯାଉଛି। ୨୦୦ କାରିଗର ପ୍ରା‌ୟ ଗୋଟିଏ ବର୍ଷ କା‌ଳ ଧରି ଏହି ମୂର୍ତ୍ତି ନିର୍ମାଣ କରିଥିଲେ। ୩୦ ଓଡ଼ିଆ ଶିଳ୍ପୀ ଏହାକୁ ନିର୍ମାଣ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମୃତି କେନ୍ଦ୍ର ଉଦ୍‌ଘାଟନ କରିଥିଲେ।