ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ପଞ୍ଚରଥ ମନ୍ଦିର ବୁଲାଇବା ପରେ ଏକାଠି ବସି ପଇଡ଼ ପିଇଲେ ପ୍ରଧାନମନ୍ତ୍ରୀ ମୋଦୀ; ଦୁଇ ଶୀର୍ଷ ନେତାଙ୍କ ଶରୀରର ଭାଷା କହୁଥିଲା ଅନେକ କଥା…

ଭୁଲ୍‌ ପ୍ରମାଣିତ ହେଲା ସମସ୍ତଙ୍କ ଆଶା ଆଶଙ୍କା

ମହାବଲୀପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ମହାବଲୀପୁରମ୍‌ ଠାରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଯେପରି ଢ଼ଙ୍ଗରେ ହୃଦୟ ଖୋଲା ସ୍ୱାଗତ କଲେ ଓ ପରେ ଉଭୟ ନେତା ପଞ୍ଚରଥ ମନ୍ଦିର ପରିସରରେ ଦୁଇ ଘନିଷ୍ଠ ବନ୍ଧୁ ରୂପେ ଏକାଠି ବୁଲିଲେ ତା’ର ସିଧାପ୍ରସାରଣ ଦେଖି ସମଗ୍ର ବିଶ୍ୱ ଆଜି ସ୍ତବ୍ଧ ହୋଇ ଯାଇଛି। କାରଣ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏକାଧିକ କାରଣକୁ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ସଂପର୍କ ନ ଥିବା ଏବଂ କଶ୍ମୀର ପ୍ରସଙ୍ଗକୁ ନେଇ ଚୀନ୍‌ ଉପରେ ପାକିସ୍ତାନ୍‌ର ଚାପ ପରିପ୍ରେକ୍ଷୀରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ (ହାଉଡି ମୋଦି ସଦୃଶ) ଏପରି ବନ୍ଧୁତ୍ୱପୂର୍ଣ୍ଣ ଅନ୍ତରଙ୍ଗ ମୁହୂର୍ତ୍ତ ହୁଏତ ଦେଖିବାକୁ ମିଳିବ ନାହିଁ ବୋଲି ଅନେକଙ୍କର ଆଶଙ୍କା ଥିଲା !

କିନ୍ତୁ, ସମସ୍ତଙ୍କ ଆଶା ଆଶଙ୍କାକୁ ଆଜି ମହାବଲୀପୁରମ୍‌ ଠାରେ ଉଭୟ ନେତା ଭୁଲ୍‌ ପ୍ରମାଣିତ କରି ଦେଇଛନ୍ତି। ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କର ଚିରାଚରିତ କୁର୍ତ୍ତା ପାଇଜାମା ପରିହାର କରି ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଶୈଳୀରେ ଧୋତି ଉପରେ ସାର୍ଟ ପରିଧାନ କରି ମହାବଲୀପୁରମ୍‌ ଠାରେ ପହଞ୍ଚିଥିଲେ। ଚେନ୍ନାଇରୁ ଉଭୟ ନେତା ସଡ଼କ ପଥରେ ଦୀର୍ଘ ଏକଘଣ୍ଟାର ଯାତ୍ରା କରି ମହାବଲୀପୁରମ୍‌କୁ ଆସିଥିଲେ ସୁଦ୍ଧା ସେମାନଙ୍କ ମୁହଁରେ ଯାତ୍ରା ଜନିତ କ୍ଳାନ୍ତିର ଚିହ୍ନ ନ ଥିଲା।

Asian News Net

ଉଭୟ ନେତାଙ୍କ ଶରୀରର ଭାଷା କହୁଥିଲା, ଯେପରି ଉଭୟେ ଉଭୟଙ୍କୁ ଭେଟିବା ପାଇଁ ବ୍ୟାକୁଳ ଥିଲେ। ଉଭୟ ନେତା ପରସ୍ପରଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଥରେ ନୁହେଁ ବରଂ ତିନିତିନି ଥର ପରସ୍ପର ସହ ହାତ ମିଶାଇଥିଲେ। ଆଉ ପ୍ରତ୍ୟେକ ଥର ହାତ ମିଶାଇବାର ଅବଧି ପ୍ରାୟ ୩୦ ସେକେଣ୍ଡରୁ ଅଧିକ ରହିଥିଲା। ପରେ ଉଭୟ ନେତା ଫୋଟୋଗ୍ରାଫରମାନଙ୍କୁ ପୋଜ୍‌ ଦେବାକୁ ଯାଇ ହାତରେ ହାତ ଛନ୍ଦି ଗୋଟିଏ ଗୋଟିଏ ହାତ ଉପରକୁ ଉଠାଇଥିଲେ।

ANI

ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ସଙ୍ଗରେ ଧରି ଅର୍ଜୁନଙ୍କ ଧ୍ୟାନସ୍ଥଳୀ ସମେତ ପଞ୍ଚରଥ ମନ୍ଦିର ପରିସର ବୁଲି ବୁଲି ଦେଖାଇ ଥିଲେ। ପରେ ଉଭୟ ନେତା ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ଚେୟାରରେ ବସି ପ୍ରାୟ ୧୬ ମିନିଟ ପର୍ଯ୍ୟନ୍ତ ନିଜ ନିଜ ଇଣ୍ଟରପ୍ରିଟରମାନଙ୍କୁ ଧରି ହସିହସି ବେଶ୍‌ ହାଲ୍‌କାଫୁଲ୍‌କା ଆଳାପ ଆଲୋଚନାରେ ମାତିଥିବା ଦେଖିବାକୁ ମିଳିଥିଲା।

Asian News Net

ଏହି ଅବସରରେ ସେମାନେ ପଇଡ଼ ପିଇବା ଦେଖିବାକୁ ମିଳିଥିଲା। ପଇଡ଼ ପାଣିକୁ ଗ୍ଲାସ୍‌ରେ ନୁହେଁ ବରଂ ସେମାନେ ଗୋଟା ପଇଡ଼ରେ ଷ୍ଟ୍ର ପକାଇ ପିଇଥିଲେ। ବୁଲାବୁଲି ସାରି ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଯେତେବେଳେ ଯିବାକୁ ବାହାରିଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବଳେଇ ଦେବା ପାଇଁ ଗାଡ଼ି ପର୍ଯ୍ୟନ୍ତ ଆସିଥିଲେ। ଗାଡ଼ିରେ ବସିବା ପୂର୍ବରୁ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ପୁଣିଥରେ ନିଜର ହାତକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ସହ ମିଶାଇ ଦୀର୍ଘ ପାଇଁ କରମର୍ଦ୍ଦନ କରିବା ପରେ ଗାଡ଼ିରେ ବସି ସେଠାରୁ ବିଦାୟ ନେଇଥିଲେ।

ଏହାପରେ ସେମାନେ ସୋର ମନ୍ଦିରକୁ ଗସ୍ତ କରିଥିଲେ ।  ମନ୍ଦିର ପରିସରରେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମ୍ମାନାର୍ଥେ ଆୟ‌ୋଜିତ ଦକ୍ଷୀଣ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଭୟ ନେତା ଯୋଗ ଦେଇଥିଲେ। ପ୍ରସିଦ୍ଧ କଳାନୁଷ୍ଠାନ କଳା‌କ୍ଷେତ୍ର ଦ୍ବାରା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର