କୋଲକାତା: ରବିବାର ଦିନ ଆୟୋଜନ କରାଯାଇଥିବା ବିଶାଳ ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗକୁ ନିର୍ବାଚନ ଥିବା ବେଳେ କୋଲକାତାର ଐତିହାସିକ ‘ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ୍’ରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ପ୍ରଚାର ପାଇଁ ଟିଏମସି ତିଆରି କରିଥିବା ଗୀତକୁ ନେଇ ଦିଦିଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।
ଶୁକ୍ରବାର ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଖେଳ ହେବ, ଆମେ ଦେଖିବୁ, ଆମେ ଜିତିବୁ। ଏମିତି କି ଟିଏମସିର ପ୍ରଚାର ଗୀତରେ ମଧ୍ୟ ଖେଳ ହେବ ବୋଲି କୁହାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜବାବରେ କହିଥିଲେ ଯେ, କିଛି ଆଉ ଲୁଚି ରହି ନାହିଁ। ପଶ୍ଚିମବଙ୍ଗବାସୀ ସବୁକିଛି ଜାଣନ୍ତି। ଏହି ଖେଳ ଆଉ ଜାରି ରହିବ ନାହିଁ। ଖେଳ ଶେଷ ହେବା ଦରକାର। ଏହା ପରେ ଦିଦିଙ୍କୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ କରି ପ୍ରଧାନମନ୍ତ୍ରୀ କହିଥିଲେ, ଦିଦି, ଶୁଣ। ଟିଏମସିର ଖେଳ ଶେଷ। ଖେଳ ଶେଷ, ବିକାଶ ଆରମ୍ଭ।