ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା : ପଦ୍ମଶ୍ରୀ ମନୋନୟନ ପୂର୍ବରୁ ଗୀତାଙ୍କ ସହ ଫୋନରେ କଥା ହୋଇଥିଲେ ମୋଦି !

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ହେବା ପରେ ଏହାକୁ ଗ୍ରହଣ କରିବାକୁ  ମନା କରିଦେଇଛନ୍ତି ପ୍ରବାସୀ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ହେଲେ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ପଦ୍ମ ପୁରସ୍କାର ପ୍ରଦାନ ପୂର୍ବରୁ ଗୀତାଙ୍କ ସହ ଆଲୋଚନା କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ଦୁହିଁଙ୍କ ଭିତରେ ୯୦ମିନିଟ ଧରି ଚର୍ଚ୍ଚା ହୋଇଥିଲା ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପ୍ରଥମେ ଗୀତା ମେହେଟ୍ଟାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଫୋନରେ ଯୋଗାଯୋଗ କରିଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ହେଲେ ଫୋନ୍ ଉଠାଇଥିଲେ ଔରଙ୍ଗଜେବ ରୋଡ ସ୍ଥିତ ବାସଭବନର କେୟାରଟେକର । ଫୋନରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଗୀତା ଦିଲ୍ଲୀରେ ରହୁ ନ ଥିବା ବୁଝାଇବାକୁ ଚେଷ୍ଟା କରିଥିଲେ କେୟାରଟେକର । ଏହାପରେ ତାଙ୍କ ସହ ଫୋନରେ  କଥା ହୋଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କୁ ମଧ୍ୟ ଗୀତା ମେହେଟ୍ଟା ଆମେରିକାରେ ରହୁଥିବା କହିଥିଲେ ସେ । ମୋଦି ଗୀତାଙ୍କ ଫୋନ ନମ୍ବର ମାଗିଥିଲେ ହେଲେ ତାଙ୍କ ପାଖରେ ତାହା ନ ଥିବା ସେ ଜଣାଇଥିଲେ ।

ସୂଚନା ଅନୁସାରେ ଏହାପରେ ଗୀତାଙ୍କ ଫୋନ ନମ୍ବର ଆଣିବା ପାଇଁ ପ୍ରୟାସ କରିଥିଲା ଆମେରିକାରେ ଥିବା ଭାରତୀୟ ଦୂତାବାସ । ଏହାପରେ ଗୀତା ମେହେଟ୍ଟାଙ୍କ ସହ ଆଲୋଚନା କରି ଭାରତ ଆସିଲେ ସାକ୍ଷାତ କରିବା ପାଇଁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ।  କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଚର୍ଚ୍ଚା କରିଥିଲେ ଗୀତା ମେହେଟ୍ଟା । ଏପରିକି ୨୦ମିନିଟ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୯୦ ମିନିଟ ଧରି ଚର୍ଚ୍ଚା ଚାଲିଥିଲା ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର