ପ୍ରଫୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳଙ୍କ ଶୋକ

ନୂଆଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୟୁଟରରେ ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ। ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ। ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ। ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି

ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି, ଓଡ଼ିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି ଓ କୀର୍ତ୍ତି ଚିର ସ୍ମରଣୀୟ ରହିବ ବୋଲି ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତପ୍ରେମୀମାନଙ୍କୁ ସମବେଦନା ଜଣାଇଛନ୍ତି।

ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ କରଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ହେବା ସହିତ ଓଡ଼ିଶାର ସଂଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜଳ ନକ୍ଷତ୍ରର ଅବସାନ ଘଟିବା ବ୍ୟକ୍ତ କରିଛନ୍ତି। ସେ ଏକାଧାରାରେ ଜଣେ ସୁସଂଗୀତ ନିର୍ଦେଶକ, କଣ୍ଠଶିଳ୍ପୀ, ଲେଖକ ଓ ସ୍ତମ୍ଭକାର ଥିଲେ। ସେ ଅନେକ ଲୋକପ୍ରିୟ ଗୀତର ସଂଗୀତ ନିର୍ଦେଶନା ଦେଇଥିଲା ବେଳେ ଅନେକ ଗୀତର କଣ୍ଠଦାନ କରି ଓଡ଼ିଶାର ପୁରପଲ୍ଲୀରେ ଲୋକପ୍ରିୟତା ହାସଲ କରିଥିଲେ। ଜୀବନବ୍ୟାପୀ ସଂଗୀତ ସାଧନା ପାଇଁ ଅନେକ ମାନ ସମ୍ମାନ ଓ ପୁରସ୍କାର ପାଇଥିଲେ। ଏତଦବ୍ୟତୀତ କଳା କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ କେନ୍ଦ୍ର ସରକାରଙ୍କ ତରଫରୁ ସର୍ବୋଚ୍ଚ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ।
ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଶ୍ରୀ କରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ବର୍ଗତ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର