ନୂଆଦିଲ୍ଲୀ: ସାଇବର ଫ୍ରଡ୍ ବା ଡିଜିଟାଲ ଆରେଷ୍ଟ ସ୍କାମ । ଏ ଏମିତି ଏକ ଚକ୍ରବ୍ୟୁହ, ଯେଉଁଥିରେ ଫସି ଲୋକ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ସରଳ ଓ ପରିଶ୍ରମୀ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ହଡ଼ପ କରି ମାଲାମାଲ ହେଉଛନ୍ତି ଲୁଟେରା । ତେଣୁ ଆଜି ମନକୀ ବାତ କାର୍ଯ୍ୟକ୍ରମରେ ଏଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗରେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶେଷ କରି ସାଇବର ଫ୍ରଡରୁ ସୁରକ୍ଷା ପାଇଁ ୩ଟି ଉପାୟ ବତାଇଛନ୍ତି ପ୍ରଧାନମନ୍ତ୍ରୀ ।
ସାଇବର ଫ୍ରଡ୍ ବା ଡିଜିଟାଲ ଅରେଷ୍ଟ ସ୍କାମରୁ ବର୍ତ୍ତିବା ପାଇଁ ୩ଟି ପ୍ରମୁଖ ଉପାୟ ଦେଶବାସୀଙ୍କ ଆଗରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୌଣସି ଫେକ୍ କଲ ଆସିଲେ ଆଦୌ ବିଚଳିତ ନହୋଇ କିଛିକ୍ଷଣ ସ୍ଥିର ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତରବରିଆ ଭାବେ କୌଣସି ଭୁଲ କରନ୍ତୁ ନାହିଁ । ନିଜର ବ୍ୟକ୍ତିଗତ ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ । ସମ୍ଭବ ଥିଲେ ଫ୍ରଡ୍ କଲର ସ୍କ୍ରିନସଟ୍ ନିଅନ୍ତୁ ଓ ରେକର୍ଡିଂ କରନ୍ତୁ ବୋଲି ମୋଦୀ କହିଛନ୍ତି ।
କୌଣସି ସରକାରୀ ଏଜେନ୍ସି ଫୋନ୍ କରି ଧମକ ଦିଅନ୍ତି ନାହିଁ । ଏପରିକି ଭିଡିଓ କଲ୍ କରି ପଚରାଉଚରା ମଧ୍ୟ କରନ୍ତି ନାହିଁ । ଟଙ୍କା ମାଗିଲେ କିଛି ଗଡ଼ବଡ଼ ଅଛି ବୋଲି ଜାଣି ନିଅନ୍ତୁ । ମୋଦୀ କହିଛନ୍ତି ଏଭଳି ହେଲେ ରାଷ୍ଟ୍ରୀୟ ସାଇବର ହେଲ୍ପଲାଇନ ନମ୍ୱର- ୧୯୩୦ରେ ଡାଏଲ କରନ୍ତୁ । cybercrime.gov.inରେ ରିପୋର୍ଟ କରନ୍ତୁ । ପରିବାର ଓ ପୋଲିସକୁ ଜଣାଇବା ସହ ପ୍ରମାଣକୁ ସୁରକ୍ଷିତ ରଖନ୍ତୁ ।
ସରଳ ଲୋକଙ୍କୁ ଚୁନା ଲଗାଇବା ପାଇଁ ସାଇବର ଠକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି । ତା ଭିତରୁ ଡିଜିଟାଲ ଆରେଷ୍ଟ ସ୍କାମ ଗୋଟିଏ । ଯେଉଁଥିରେ ଡରାଇ ଧମକାଇ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ହାସଲ କରିବା ପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦିଅନ୍ତି ସାଇବର ଅପରାଧୀ।